ନୂଆଦିଲ୍ଲୀ: ଅମ୍ବାନି-ଆଦାନୀ ପ୍ରସଙ୍ଗରେ ଜୋର ଧରିଲା ରାଜନୀତି । ହାଇଦ୍ରାବାଦରେ ଆୟୋଜିତ ସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଥିଲେ ପ୍ରଧାନମନ୍ତ୍ରୀ । "ସବୁବେଳେ ଅମ୍ବାନି-ଆଦାନୀ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ୍ କରୁଥିବା ଶେହଜାଦା ନିର୍ବାଚନ ସମୟରେ ଚୁପ୍ କାହିଁକି ?" ବୋଲି ପ୍ରଶ୍ନ କରିଥିଲେ ମୋଦି । "ସେମାନଙ୍କଠୁ କେତେ ମାଲ୍ ଉଠାଇଛନ୍ତି?" ବୋଲି ପ୍ରଶ୍ନ କରି କଂଗ୍ରେସକୁ ସିଧା ଟାର୍ଗେଟ୍ କରିଥିଲେ । ଏହାର ଜବାବ ଦେଇଛି କଂଗ୍ରେସ ।
AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ଗାଦି ଟଳମଳ ହେଉଛି । ସେଥିପାଇଁ ସେ ନିଜ ବନ୍ଧୁଙ୍କୁ ଟାର୍ଗେଟ୍ କରିବାକୁ ବି ପଛାଉ ନାହାନ୍ତି ।" ଖଡଗେ ନିଜ ଟ୍ବିଟର (X) ହ୍ୟାଣ୍ଡେଲରେ ଲେଖିଛନ୍ତି, "ବନ୍ଧୁ ଆଉ ବନ୍ଧୁ ହୋଇ ରହିନାହିଁ । ତିନି ପର୍ଯ୍ୟାୟର ମତଦାନ ପରେ ନିଜର ମିତ୍ରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରୁ ସ୍ପଷ୍ଟ ହେଉଛି ଯେ, ତାଙ୍କ ଗାଦି ଟଳମଳ ହେଉଛି ।" ଏହାସହ କଂଗ୍ରେସ ପକ୍ଷରୁ କୁହାଯାଇଛି,"ରାହୁଲ ଗାନ୍ଧୀ ଏପ୍ରିଲ ୩ତାରିଖରୁ ଆଦାନୀଙ୍କ ନାଁ ୧୦୩ ଥର ଓ ଅମ୍ବାନିଙ୍କ ନାଁ ୩୦ ଥର ନେଇଛନ୍ତି । ହେଲେ ତୃଣମୂଳ ସ୍ତରରେ ସ୍ଥିତି ଏତେ ଖରାପ ଯେ, 'ହମ୍ ଦୋ ହମାରେ ଦୋ'ର ବାପା ନିଜ ସନ୍ତାନଙ୍କୁ ତ୍ୟାଗ କରିଦେଲେଣି । ଯିଏ ନିଜ ଦଳ ପାଇଁ ୮ ହଜାର ୨ଶହ କୋଟି ଟଙ୍କା ନେଇଥିଲେ, ଏତେ ବଡ଼ ସ୍କାମକୁ ସୁପ୍ରିମକୋର୍ଟ ମଧ୍ୟ ଅସାମ୍ବିଧାନିକ ଘୋଷଣା କରିଥିଲେ । ଆଜି ସେ ଅନ୍ୟମାନଙ୍କୁ ଦାୟୀ କରୁଛନ୍ତି ।"
ଏହା ବି ପଢନ୍ତୁ...ଅମ୍ବାନି-ଆଦାନୀଙ୍କଠୁ କେତେ ମାଲ୍ ନେଇଛନ୍ତି ଶେହଜାଦା: ପ୍ରଧାନମନ୍ତ୍ରୀ - Modi Accuses Rahul
କଂଗ୍ରେସ ଆହୁରି ମଧ୍ୟ କହିଛି, "ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଭାରତର ଏପରି ଅବସ୍ଥା । ୭୦ କୋଟି ଭାରତୀୟଙ୍କ ସମ୍ପତ୍ତି ଯେତିକି କେବଳ ୨୧ ଆରବପତିଙ୍କ ସମ୍ପତ୍ତି ସେତିକି । ଏହା ଅବଶ୍ୟ ସତ ଯେ, ଏହି ୨୧ ଜଣଙ୍କ ଭିତରେ 'ହମାରେ ଦୋ' ବି ସାମିଲ ଅଛନ୍ତି ।" କରିମନଗରରେ ଅନୁଷ୍ଠିତ ସଭାରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିବା ସହ ଅମ୍ବାନି-ଆଦାନୀ ପ୍ରସଙ୍ଗରେ ବର୍ଷିଛନ୍ତି । ପୂର୍ବରୁ କଂଗ୍ରେସ ଯେଉଁ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଆସୁଥିଲା ସମାନ ପ୍ରସଙ୍ଗରେ କଂଗ୍ରେସକୁ ପାଲଟା ଜବାବ ଦେଇଥିଲେ ମୋଦି । ଯାହାର ଜବାବ ରଖିଛି କଂଗ୍ରେସ । ଏହି ପ୍ରସଙ୍ଗକୁ ନେଇ ଜୋର ଧରିଛି ରାଜନୀତି ।