ରାଞ୍ଚି: ଇଡି ଅଫିସରେ କଂଗ୍ରେସ ସାଂସଦ ଧୀରଜ ସାହୁ । ଦୀର୍ଘ ସମୟ ଧରି ଧୀରଜଙ୍କୁ ପଚରାଉଚରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଚଢାଉ ବେଳେ ଏକ BMW କାର୍ ଜବତ କରାଯାଇଥିଲା । ସେହି ଗାଡ଼ିଟିର ମାଲିକାନା ଧୀରଜଙ୍କ ନାଁରେ ଥିବା ଜଣାପଡ଼ିଥିଲା । ଏହି ମାମଲାରେ ତାଙ୍କୁ ପଚରାଉଚରା କରାଯାଉଥିବା ଜଣାପଡ଼ିଛି । ଏକକାଳୀନ ଓଡି଼ଶା, ପଶ୍ଚିମବଙ୍ଗ ଓ ରାଞ୍ଚିରେ ହୋଇଥିବା ଚଢାଉରେ କୋଟି କୋଟି ଟଙ୍କା ଜବତ ମାମଲାରେ ଇଡି ସମନ ଜାରି କରିଥିଲା ।
ଝାଡ଼ଖଣ୍ଡରେ ଲଗାତାର ଧରପଗଡ଼ ଜାରି ରଖିଛି ଇଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ ପରେ ବର୍ତ୍ତମାନ ଇଡି ସ୍କାନରକୁ ଆସିଛନ୍ତି କଂଗ୍ରେସ ସାଂସଦ ଧୀରଜ ସାହୁ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ହେମନ୍ତ ସୋରେନଙ୍କ ବାସଭବନରୁ ଜବତ BMW କାରଟି ମୁଦିୟାଲି କମ୍ପାନୀ ନାଁରେ ରେଜିଷ୍ଟ୍ରି ହୋଇଛି । ଗତ ୨୦ ତାରିଖରେ ନୂଆଦିଲ୍ଲୀର ଶାନ୍ତି ନିକେତନ ସ୍ଥିତ ହେମନ୍ତ ସୋରେନଙ୍କ ବାସଭବନରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ସମୟରେ ଅନେକ ଦସ୍ତାବିଜ ସହ ନଗଦ ଟଙ୍କା ଜବତ ହୋଇଥିଲା । ଚର୍ଚ୍ଚାରେ ରହିଥିଲେ ଜବତ ହୋଇଥିବା BMW କାର । ଯାହାର ନମ୍ବରପ୍ଲେଟ୍ ହରିୟାଣାର ରହିଥିବାବେଳେ ଏହାର ମାଲିକାନାକୁ ନେଇ ପ୍ରଶ୍ନ ଉଠିଥିଲା ।
ଏହା ମଧ୍ୟ ପଢନ୍ତୁ...କଂଗ୍ରେସ ସାଂସଦ ଧୀରଜ ସାହୁ ଗାନ୍ଧୀ ପରିବାରର ଏଟିଏମ: ଧର୍ମେନ୍ଦ୍ର ପ୍ରଧାନ
ଏହା ମଧ୍ୟ ପଢନ୍ତୁ...ମୁହଁ ଖୋଲିଲେ ସାଂସଦ ଧୀରଜ ସାହୁ, କହିଲେ ଜବତ ଟଙ୍କା ଆମ ପରିବାରର
ଏହା ମଧ୍ୟ ପଢନ୍ତୁ...ଆଇଟି ରେଡ; ଚକା ଆଖି ସବୁ ଦେଖୁଛି ! ବିଜେଡିକୁ କଟାକ୍ଷ କଲା କଂଗ୍ରେସ
ସାଂସଦ ଧୀରଜ ସାହୁଙ୍କ ଓଡ଼ିଶା ଓ ଝାଡ଼ଖଣ୍ଡରେ ଥିବା ଅନେକ ଠିକଣାରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏକକାଳୀନ ଓଡି଼ଶା, ପଶ୍ଚିମବଙ୍ଗ ଓ ରାଞ୍ଚିରେ ହୋଇଥିବା ଚଢାଉରେ ପ୍ରାୟ 300 କୋଟିରୁ ଅଧିକ ଟଙ୍କା ଜବତ ହୋଇଥିଲା । ଏହି ସମୟରେ ଧୀରଜ ପ୍ରତିକ୍ରିୟା ରଖି କହିଥିଲେ ଯେ, ତାଙ୍କର ଯୌଥ ପରିବାର । ତାଙ୍କର ମଦ ବ୍ୟବସାୟ ରହିଛି । ପରିବାରର ଅନ୍ୟ ସଦସ୍ୟମାନେ ଏହି ବ୍ୟାପାର ବୁଝୁଛନ୍ତି । ତେଣୁ ଏହି ସମ୍ପତ୍ତି ସମ୍ପର୍କରେ ତାଙ୍କ ନିକଟରେ ସମ୍ପୂର୍ଣ୍ଣ ତଥ୍ୟ ନାହିଁ । ଏହାପରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିବାବେଳେ, ଆଜି ଇଡି ଅଫିସରେ ହାଜର ହୋଇଛନ୍ତି ସାଂସଦ ଧୀରଜ ସାହୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ