ନୂଆଦିଲ୍ଲୀ: ସଂସଦ ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁରକ୍ଷା ଉଲ୍ଲଘଂନ ମାମଲା ସାମ୍ନାକୁ ଆସିଛି । ନକଲି ଦଲିଲ ସାହାଯ୍ୟରେ ଜଣେ ଯୁବକ ଗୃହ ମନ୍ତ୍ରଣାଳୟରେ ପ୍ରବେଶ କରିବା ପରେ ଦିଲ୍ଲୀ ପୋଲିସ ଯୁବକଙ୍କୁ ଗିରଫ କରିଛି । ଏଥିସହ ତାଙ୍କୁ ମିଳିତ ଭାବେ ପଚରାଉଚରା କରାଯାଉଛି । ସୂଚନାନୁସାରେ, ଜଣେ ଯୁବକ ନକଲି ଡକ୍ୟୁମେଣ୍ଟ ସାହାଯ୍ୟରେ ଗୃହ ମନ୍ତ୍ରଣାଳୟରେ ପ୍ରବେଶ କରିଥିଲେ ଓ ଗୋପନୀୟ ଅଫିସକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।
ପୋଲିସର ସୂଚନା ମୁତାବକ ଏହି ସନ୍ଦିଗ୍ଧ ଅଭିଯୁକ୍ତଙ୍କ ନାମ ଆଦିତ୍ୟ ପ୍ରତାପ ସିଂ ବୋଲି ଜଣାପଡିଛି । ତାକୁ ଦିଲ୍ଲୀର କର୍ତ୍ତବ୍ୟପଥ ଥାନା ପୋଲିସ ନକଲି ଡକ୍ୟୁମେଣ୍ଟ ସାହାଯ୍ୟରେ ଗୃହ ମନ୍ତ୍ରଣାଳୟରେ ପ୍ରବେଶ କରିବା ଅଭିଯୋଗରେ ଗିରଫ କରିଛି । ତେବେ ଏ ଯାଏଁ ଏ ସମ୍ପର୍କରେ କୌଣସି ଆତଙ୍କବାଦୀ କନେକସନ କଥା ସାମନାକୁ ଆସି ନାହିଁ । ଅଭିଯୁକ୍ତକୁ ସ୍ପେସିଆଲ ସେଲ ଓ ଅନ୍ୟ ଯାଞ୍ଚ ଏଜେନ୍ସି ପଚରାଉଚରା ଜାରି ରଖିଛନ୍ତି ।
ଗତ ବର୍ଷ ଡିସେମ୍ବର 13 ରେ ଲୋକସଭାରେ ଦୁଇଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେସ୍କକୁ ଡେଇଁ ରଙ୍ଗ ଧୂଆଁ ବାହାରିବା ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ପୁରା ହଲ୍ ଧୂଆଁରେ ପରିପୂର୍ଣ୍ଣ ହୋଇଥିଲା । ସେମାନଙ୍କ ସହଯୋଗୀ ମାନେ ମଧ୍ୟ ସଂସଦ ବାହାରେ ସମାନ ପ୍ରଦର୍ଶନ ଆରମ୍ଭ କରିଥିଲେ । ଅଭିଯୁକ୍ତମାନେ ପୋଲିସକୁ କହିଥିଲେ ଯେ ମଣିପୁର ହିଂସା, ବେକାରୀ ଏବଂ ଚାଷୀଙ୍କ ସମସ୍ୟା ପ୍ରତି ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । ଏହି ମାମଲାରେ ମୋଟ ଛ ଜଣଙ୍କୁ ଗିରଫ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ ... ‘ଗତ 10 ବର୍ଷରେ ବିଜେପି ଯାହା କରିଛି, କଂଗ୍ରେସକୁ କରିବା ପାଇଁ 100 ବର୍ଷ ଲାଗିବ’
ତେବେ ସଂସଦ ଭବନର ସୁରକ୍ଷା ଦାୟିତ୍ବ ଗ୍ରହଣ କରିବ କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବଳ (ସିଆଇଏସଫ) । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ପରେ ସଂସଦ ପରିସରରେ ନିୟୋଜିତ ହେବା ପାଇଁ ସିଆଇଏସଏଫ ଅଧିକାରୀ ଓ ଯବାନମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ପ୍ରାଥମିକ ଭାବେ 140 ସିଆଇଏସଏଫ ଅଧିକାରୀ ଓ ଯବାନ ଏହି ସୁରକ୍ଷାରେ ନିୟୋଜିତ ହେବେ ।
ଏବେ ସିଆଇଏସଏଫ ସମଗ୍ର ଦେଶରେ ମୋଟ 358 ପ୍ରତିଷ୍ଠାନରେ ସୁରକ୍ଷା ଯୋଗାଉଛି । ଏହା ସହ କେତେକ ବିଷିଷ୍ଟ ବ୍ୟକ୍ତିବିଶେଷଙ୍କ ସୁରକ୍ଷାରେ ମଧ୍ୟ ଏହି କେନ୍ଦ୍ରୀୟ ବଳର ଅଧିକାରୀ ଓ ଯବାନ ନିୟୋଜିତ ହୋଇଛନ୍ତି । ପୂର୍ବରୁ ସଂସଦ ଭବନର ସୁରକ୍ଷାରେ ଦିଲ୍ଲୀ ପୋଲିସ ଓ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଉପରେ ନ୍ୟସ୍ତ ଅଛି । ହେଲେ ସଂସଦ ଶୀତ ଅଧିବେଶନ ସମୟରେ ଲୋକସଭାରେ ଓ ସଂସଦ ବାହାରେ ହୋଇଥିବା ସୁରକ୍ଷା ବିଭ୍ରାଟ ପରେ ସଂସଦର ସୁରକ୍ଷା ବୃଦ୍ଧି କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ