ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କୁ ପଡୁନି ଜେଲ ! ଠିକ ରହୁନି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ । କମିଲେଣି 4.5କେଜି । ଏଭଳି ଦାବି କରିଛନ୍ତି ଆମ ଆଦମୀ ପାର୍ଟି ନେତ୍ରୀ ଅତିଶୀ । ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ରହିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ମାର୍ଚ୍ଚ 21 ତାରିଖରେ ଗିରଫ ହେବା ପରଠାରୁ ସାଢେ 4 କିଲୋ ଓଜନ କମିଥିବା ନେଇ ଆପ୍ ପକ୍ଷରୁ କୁହାଯାଇଛି । ତେବେ ଓଜନ ହ୍ରାସକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଡାକ୍ତର । ତେବେ ତିହାର ଜେଲ ପ୍ରଶାସନ ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲ ସମ୍ପୂର୍ଣ୍ଣ ଭଲ ଅଛନ୍ତି । ଜେଲ ଡାକ୍ତରମାନେ ଏଭଳି ଚିନ୍ତା ପ୍ରକଟ କରିନାହାନ୍ତି । ତେବେ ବର୍ତ୍ତମାନ ଏହି ଘଟଣାକୁ ନେଇ ଚର୍ଚ୍ଚା ବୃଦ୍ଧି ପାଉଛି । ପ୍ରକାଶଥାଉକି, ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ରାଉଜ ଆଭେନ୍ୟୁ କୋର୍ଟ ଗତ 1 ତାରିଖରେ ତାଙ୍କୁ 15 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ସେ ହାଜତରେ ରହିବେ ।
ତେବେ ମନ୍ତ୍ରୀ ଅତିଶୀ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, "ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଜଣେ ମଧୁମେହ ରୋଗୀ । ସ୍ବାସ୍ଥ୍ୟଗତ ସମସ୍ୟା ସତ୍ତ୍ବେ ସେ ଦେଶ ସେବାରେ 24 ଘଣ୍ଟା ନିୟୋଜିତ ରହୁଛନ୍ତି । ଗିରଫ ପରଠାରୁ ତାଙ୍କର 4.5 କିଲୋ ଓଜନ ହ୍ରାସ ପାଇଛି । ବିଜେପି ତାଙ୍କୁ ଜେଲରେ ରଖି ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି । ଯଦି ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ କିଛି ଘଟେ ତାହେଲେ ସମଗ୍ର ଦେଶ କଣ ଭଗବାନ ମଧ୍ୟ ତାଙ୍କୁ କ୍ଷମା କରିବେ ନାହିଁ । "
ଏହା ମଧ୍ୟ ପଢନ୍ତୁ: ଜେଲରୁ ଚାଲିପାରିବ କି ଆପ୍ ସରକାର ? କଣ କହୁଛି ଆଇନଗତ ଦିଗ - Kejriwal Run Govt From Jail
ଜେଲରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟସୂଚୀ: ତିହାର ଜେଲର ବାରାକ ନମ୍ବର 2 ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଠିକଣା । ତେବେ ଗତ 1 ତାରିଖ ରାତି ତାଙ୍କର ଆଶାନ୍ତିରେ କଟିଥିବା ନେଇ କୁହାଯାଇଛି । ଏପ୍ରିଲ 2 ତାରିଖ ଦିନ ସକାଳେ ଉଠିବା ପରେ ଜଳଖିଆରେ ତାଙ୍କୁ ଚା' ଓ ବ୍ରେଡ ଦିଆଯାଇଛି । ପୂର୍ବହ୍ନ 10ଟାରୁ 11ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା । ଭୋଜନରେ ରୁଟି, ଭାତ, ଡାଲି ଏବଂ ତରକାରୀ ଦିଆଯାଉଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଡାଏଟର ବ୍ୟବସ୍ଥା ମଧ୍ୟ କରାଯାଇଛି । ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲର ବାରାକ ନମ୍ବର 1 ରେ ରହିଛନ୍ତି ମନୀଷ ସିସୋଦିଆ । 7 ନମ୍ବରରେ ସତ୍ୟେନ୍ଦ୍ର ଜୈନ ଓ 5 ନମ୍ବରରେ ସଞ୍ଜୟ ସିଂ ରହିଛନ୍ତି । 2 ନମ୍ବରରେ କେଜ୍ରିଓ୍ବାଲ ରହିଥିବା ବେଳେ 6 ନମ୍ବରରେ ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତା ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ