ଗୌହାଟ୍ଟୀ: ଆସାମରେ ବଡ଼ ବିପର୍ଯ୍ୟୟ ଆଣିଛି ବନ୍ୟା । ଗାଁ ଗଣ୍ଡାଠୁ ଆରମ୍ଭ କରି ବଣଜଙ୍ଗଲ ସବୁକିଛି ପାଣିରେ ଉବୁଟୁବୁ ହେଉଛି । ବନ୍ୟାରେ ଏବେସୁଦ୍ଧା ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ୨୭ ଜିଲ୍ଲାର ପ୍ରାୟ ୧୯ ଲକ୍ଷ ଲୋକ ପାଣି ଘେରରେ ରହିଛନ୍ତି । କେବଳ ମଣିଷ କାହିଁକି, ଏହି ଭୟଙ୍କର ବନ୍ୟା ଜୀବଜନ୍ତୁଙ୍କୁ ମଧ୍ୟ ଗୁରୁତର ପ୍ରଭାବିତ କରିଛି । କାଜିରଙ୍ଗା ଜାତୀୟ ଉଦ୍ୟାନରେ ପାଣିରେ ଭାସିଯାଇ ୧୩୭ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରେ ୬ଟି ଗଣ୍ଡା ରହିଥିବା ସୂଚନା ଦିଆଯାଇଛି ।
ତେବେ କାଜିରଙ୍ଗା କର୍ତ୍ତୃପକ୍ଷ ୯୯ଟି ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଏହି ଜନ୍ତୁଙ୍କ ମଧ୍ୟରେ ଦୁଇଟି ଗଣ୍ଡା ଶାବକ ଏବଂ ଦୁଇଟି ହାତୀ ଶାବକ ରହିଛନ୍ତି । ଜାତୀୟ ଉଦ୍ୟାନ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି, ବନ୍ୟାଜଳରେ ବୁଡି ୧୦୪ଟି ହରିଣ, ୬ଟି ଗଣ୍ଡା ଓ ୨ଟି ସମ୍ବରର ମୃତ୍ୟୁ ହୋଇଛି । ଆଉ ଦୁଇଟି ହରିଣଙ୍କ ଗାଡି ଧକ୍କାରେ ଜୀବନ ଯାଇଥିବାବେଳେ ୨୨ଟି ବନ୍ୟଜନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।
ସେହିପରି କାଜିରଙ୍ଗାରେ ୨୩୩ ଫରେଷ୍ଟ କ୍ୟାମ୍ପ ଭିତରୁ ୭୦ଟି କ୍ୟାମ୍ପ ପାଣି ଘେରରେ ବୁଡିରହିଛି । ରାଜ୍ୟରେ ଦିନକୁ ଦିନ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି । ଏବେସୁଦ୍ଧା ୮୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଲକ୍ଷ ଲକ୍ଷ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବିଶେଷକରି ଗୋଲପାରା, ନଗାଓଁ, ନାଲବରି, କାମରୁପ, ମାରିଗାଁ, ଦିବ୍ରୁଗଡ, ସୋନିତପୁର, ଲକ୍ଷ୍ମୀପୁର, ଦକ୍ଷିଣ ସାଲମାରା, ଧୁବ୍ରି, ଜୋରହଟ, ହୋଜାଇ, କରିମଗଞ୍ଜ, ଶିବସାଗର, ବାରପେଟା, ଢେମାଜୀ, ଗୋଲାଘାଟ, ତିନସୁଖିଆ, ଚିରାଙ୍ଗ ପ୍ରଭୃତି ଜିଲ୍ଲା ବନ୍ୟାରେ ଗୁରୁତର ପ୍ରଭାବିତ ହୋଇଛି ।
ବନ୍ୟାରେ ଏକାଧିକ ଭିତ୍ତିଭୂମି ସହ ରାସ୍ତାଘାଟ, ହେକ୍ଟର ହେକ୍ଟର ଫସଲ କ୍ଷୟକ୍ଷତି ହୋଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଧନଜୀବନ ରକ୍ଷା ପାଇଁ ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ ଏବଂ ସ୍ଥାନୀୟ ପ୍ରଶାସନ ସେନା ଓ ଅର୍ଦ୍ଧସାମରିକ ବାହିନୀ ସହ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି ।