ନୂଆଦିଲ୍ଲୀ: ଦିଲ୍ଲୀର ବହୁ ଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ରହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳୁନି ବେଲ୍ । କେଜ୍ରିଓ୍ବାଲଙ୍କ ଆବେଦନ ଖାରଜ ହେବା ସହିତ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହାରି ଭିତରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଆଜି ପୁଣି ଥରେ ବିଜେପି ବିରୋଧରେ ଅଭିଯୋଗ କରିଛନ୍ତି । ବିଜେପିର ନିର୍ଦ୍ଦେଶରେ ତିହାର ଜେଲ୍ ପ୍ରଶାସନ କାର୍ଯ୍ୟ କରୁଛି ବୋଲି ସେ ଦାବି କରିଛନ୍ତି । କେବଳ କେଜ୍ରିଓ୍ବାଲଙ୍କ ପତ୍ନୀଙ୍କୁ ହିଁ ଭେଟିବାକୁ ଅନୁମତି ଦେଇଥିବା ସେ ଅଭିଯୋଗ କରିଛନ୍ତି ।
ସଞ୍ଜୟ ସିଂ ଅଭିଯୋଗ କରି କହିଛନ୍ତି, "ଯେତେବେଳେ କେଜ୍ରିଓ୍ବାଲଙ୍କ ପତ୍ନୀ ତାଙ୍କ ସହ ସାକ୍ଷାତ କରିବା ପାଇଁ ନିବେଦନ କରିଥିଲେ ସେତେବେଳେ ତାଙ୍କୁ ସାମ୍ନାସାମ୍ନି ନୁହେଁ ବରଂ ଝରକା ଦେଇ ସାକ୍ଷାତ କରିବାକୁ କୁହାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କ ପ୍ରତି ଅମାନବୀୟ ବ୍ୟବହାର କାହିଁକି ? ଏହା ଏକ ଅମାନବୀୟ କାର୍ଯ୍ୟ ଅଟେ । "
ଏହା ମଧ୍ୟ ପଢନ୍ତୁ: 15ରେ କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ - Arvind Kejriwal Plea In Sc
ସଞ୍ଜୟ ସିଂ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, "ହତ୍ୟା ଅପରାଧୀଙ୍କୁ ବାରାକ ପାଖରୁ ଭେଟିବାକୁ ସୁଯୋଗ ଦିଆଯାଉଛି । କିନ୍ତୁ 3ଥରର ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ସୁନୀତାଙ୍କ ପ୍ରତି ଏପରି ଆଇନ କଣ ପାଇଁ ? ଏଭଳି ଅମାନୁଷିକ କାର୍ଯ୍ୟ କେବଳ କେଜ୍ରିଓ୍ବାଲଙ୍କୁ ଅପମାନିତ ଏବଂ ଧୌର୍ଯ୍ୟହରା ହେବା ପାଇଁ କରାଯାଉଛି । ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ଲଢେଇ ଚାଲିଛି ।"
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରାୟ 6ମାସ ଜେଲରେ ରହିବା ପରେ ଗତ ଏପ୍ରିଲ 3 ତାରିଖରେ ତାଙ୍କୁ ଜାମିନ ମିଳିଥିଲା । ତେବେ ଜେଲରୁ ବାହାରିବା ପରେ ସେ ପ୍ରଥମେ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନୀତା, ମନୀଷ ସିସୋଦିଆଙ୍କ ପତ୍ନୀ ସୀମା ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀ ପୁନାଜ ଜୈନଙ୍କୁ ସାକ୍ଷାତ କରିଥିଲେ । ତିହାର ଜେଲରୁ ମୁକୁଳିବା ପରେ ସେ ବିଜେପି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲୋକସଭା ନିର୍ବାଚନ ନେଇ ସେ ଅଧିକ ସକ୍ରିୟ ହୋଇଛନ୍ତି । କହିରଖୁଛୁ କି ଏପ୍ରିଲ 9 ତାରିଖରେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ମଧ୍ୟ ଭେଟିଥିଲେ । କହିରଖୁଛୁ କି, ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସର୍ବୋଚ୍ଚ କୋର୍ଟରେ କେଜ୍ରିଓ୍ବାଲ କରିଥିବା ଆବେଦନର ଶୁଣାଣି 15 ତାରିଖରେ ହେବ । ଦିଲ୍ଲୀ ହାଇକୋର୍ଟ ଗିରଫଦାରୀକୁ ବୈଧ ଦର୍ଶାଇବା ସହ କେଜ୍ରିଓ୍ବାଲଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଏହା ବିରୋଧରେ ସେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ