ରାଞ୍ଚି: ଝାଡଖଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ହେଲେ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସହ କଂଗ୍ରେସ ସମର୍ଥିତ ଦଳ ଭାବେ ଶାସନରେ ରହିଛି । ଆସ୍ଥାଭୋଟରେ ମଧ୍ୟ ଚମ୍ପଇ ସରକାର ସଂଖ୍ୟା ପ୍ରମାଣିତ କରିବାରେ ସଫଳ ହେଲେ । ହେଲେ ଗତକାଲି ମନ୍ତ୍ରମଣ୍ଡଳ ସମ୍ପ୍ରସାରଣ ହେବା ପରେ ମନ୍ତ୍ରୀ ପଦ ନମିଳିବାରୁ କିଛି କଂଗ୍ରେସ ବିଧାୟକ ବିଦ୍ରୋହ ଆରମ୍ଭ କରିଥିବା ସୂଚନା ମିଳିଛି । ଏପରିକି କଂଗ୍ରେସର 12ବିଧାୟକ ଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି । 10 ଜଣ କଂଗ୍ରେସ ବିଧାୟକ ଆଜି ସଂଧ୍ୟାରେ ଦିଲ୍ଲୀ ଗସ୍ତ କରିଛନ୍ତି । ଆଉ 2 ଜଣ ଆସନ୍ତାକାଲି ଦିଲ୍ଲୀ ଯିବା ନେଇ ସୂଚନା ମିଳିଛି ।
ଗତକାଲି ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ ହୋଇଥିଲା । ଏଥିରେ 8 ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଏହି ନୂତନ ମନ୍ତ୍ରୀଙ୍କ ମଧ୍ୟରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର 5 ବିଧାୟକ ଓ ସହଯୋଗୀ କଂଗ୍ରେସର 3 ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଥିଲା । ଏହା ପରେ କଂଗ୍ରେସରେଏହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଆଜି ଦିନ ତମାମ କଂଗ୍ରେସ ବିଧାୟକମାନେ ସର୍କିଟ ହାଉସରେ ଏକାଠି ହୋଇଥିଲେ । ସେମାନଙ୍କୁ ବୁଝାସୁଝା କରିବା ପାଇଁ ମନ୍ତ୍ରୀ ବସନ୍ତ ସୋରେନ ପ୍ରୟାସ କରିଥିଲେ । ହେଲେ ସଂଧ୍ୟା ସୁଦ୍ଧା କୌଣସି ଫଳାଫଳ ବାହାରି ପାରିନଥିଲା । ଅସନ୍ତୁଷ୍ଟ ବିଧାୟକମାନେ ସଂଧ୍ୟାରେ ଦିଲ୍ଲୀ ଗସ୍ତ କରିଛନ୍ତି । 2 ଜଣଙ୍କୁ ଛାଡିଲେ 10 ବିଧାୟକ ଆଜି ଦିଲ୍ଲୀ ଯାଇଛନ୍ତି । ଆସନ୍ତାକାଲି ଆଉ 2 ବିଧାୟକ ଯିବା ନେଇ ସୂଚନା ରହିଛି । ସେମାନେ କଂଗ୍ରେସ ହାଇକମାଣ୍ଡକୁ ଭେଟିପାରନ୍ତି ।
ହେମନ୍ତ ସୋରେନ ଗିରଫ ହେବା ପରେ ଚମ୍ପଇଙ୍କୁ ସର୍ବସମ୍ମତିକ୍ରମେ ମେଣ୍ଟର ବିଧାୟକ ଦଳ ନେତା ଚୟନ କରାଯାଇଥିଲା । ସେତେବେଳେ କଂଗ୍ରେସ କୌଣସି ସମସ୍ୟା ସୃଷ୍ଟି କରିନଥିଲା । ଚମ୍ପଇ ଶପଥ ନେବା ପରେ ଜେଏମଏମ ଓ କଂଗ୍ରେସ ବିଧାୟକମାନଙ୍କୁ ହାଇଦ୍ରାବାଦ ପଠାଯାଇଥିଲା । ଏହା ପରେ ସେମାନେ ରାଞ୍ଚି ଫେରି ଆସ୍ଥାଭୋଟରେ ଅଂଶଗ୍ରହଣ କରିଥିଲେ । ଚମ୍ପଇ ମଧ୍ୟ ଆସ୍ଥା ଭୋଟରେ ସଂଖ୍ୟା ବହୁମତ ପ୍ରମାଣ ଦେବାରେ ସଫଳ ହୋଇଥିଲେ । ହେଲେ ଏବେ ମନ୍ତ୍ରୀପଦକୁ ନେଇ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି । ଡ୍ୟାମେଜ କଣ୍ଟ୍ରୋଲ କରିବା ପାଇଁ ଶାସକ ଜେଏମଏମ ଉଦ୍ୟମ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ