ଗାନ୍ଧୀନଗର: ଭାରତୀୟ ଦଣ୍ଡ ସଂହିତା, ସିଆରପିସି ଓ ଏଭିଡେନ୍ସ ଆକ୍ଟରେ କେନ୍ଦ୍ର ସରକାର ନିକଟରେ ବଡ ସଂସ୍କାର ଆଣିଛନ୍ତି । ଭାରତ ଏବେ ଅପରାଧିକ ନ୍ୟାୟ ପ୍ରଣାଳୀର ଏକ ନୂଆ ଯୁଗରେ ପ୍ରବେଶ କରିଛି । ତେବେ ଏହି ପରବର୍ତ୍ତନ ଫଳରେ ଆସନ୍ତା 5ବର୍ଷ ମଧ୍ୟରେ ଭାରତ ବିଶ୍ବର ପ୍ରମୁଖ ଆଧୁନିକ ଅପରାଧିକ ନ୍ୟାୟ ବ୍ୟବସ୍ଥାର ଦେଶ ହେବାକୁ ଯାଉଛି । ନ୍ୟାସନାଲ ଫୋରେନସିକ୍ ସାଇନ୍ସ ୟୁନିଭରସିଟି (NFSU)ର 5ମ ଆନ୍ତର୍ଜାତୀୟ ତଥା 44ତମ ଅଲ ଇଣ୍ଡିଆ କ୍ରାଇମିନୋଲୋଜି ସମ୍ମିଳନୀକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମ୍ବୋଧିତ କରି ଏହା କହିଛନ୍ତି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ନିଜ ସମ୍ବୋଧନରେ ଶାହ କହିଛନ୍ତି,‘‘ ବ୍ରିଟିଶ ଅମଳରୁ ଦେଶରେ ପ୍ରଚଳିତ IPC, CrPC ଓ ସାକ୍ଷା ଆଇନକୁ ସଂଶୋଧନ କରାଯାଇ ନୂତନ ଆଇନ କାର୍ଯ୍ୟକାରୀ କରାଯାଇଛି । ଏହି ନୂତନ ବ୍ୟବସ୍ଥାରେ ଫୋରେନସିକ ସାଇନ୍ସର ବଡ଼ ଭୂମିକା ରହିଛି । ନୂଆ ଆଇନ ଅନୁସାରେ,7 ବର୍ଷରୁ ଅଧିକ ଦଣ୍ଡାଦେଶର ବ୍ୟବସ୍ଥା ଥିବା ଅପରାଧର ତଦନ୍ତ ବେଳେ ଫୋରେନସିକ ଅଧିକାରୀ ଘଟଣାସ୍ଥଳକୁ ଯାଇ ନିଜେ ତଦନ୍ତ କରିବେ । ଫଳରେ ଅପରାଧର ତଦନ୍ତ ପ୍ରଭାବୀ ଓ ସହଳ ହୋଇପାରିବ । ଏହା ବିଚାର ବିଭାଗକୁ ମଧ୍ୟ ଅଧିକ ସହଯୋଗ କରିପାରିବ । ଏବେ ଭାରତୀୟ ଅପରାଧିକ ନ୍ୟାୟ ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ପ୍ରାୟ 5 ବର୍ଷ ସମୟ ଲାଗିବ । ଏହାର ବିଭିନ୍ନ ସ୍ତର ରହିଛି । ଏହା ପର୍ଯ୍ୟାୟକ୍ରମିକ ଭାବେ ରୂପାନ୍ତରଣ ହେବ ଓ 5 ବର୍ଷ ମଧ୍ୟରେ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଭାରତର ବିଶ୍ବର ଏକ ପ୍ରମୁଖ ଆଧୁନିକ ବ୍ୟବସ୍ଥାରେ ପରିବର୍ତ୍ତିତ ହୋଇ ହୋଇସାରିଥିବ ।
ଏହା ମଧ୍ୟ ପଢନ୍ତୁ :- ଦେଶ ପାଳୁଛି ପରାକ୍ରମ ଦିବସ, ସ୍ବାଧୀନତା ସଂଗ୍ରାମର ମହାନାୟକ ଥିଲେ ସୁଭାଷ ବୋଷ
ଶୀତ ଅଧିବେଶନରେ ଏହି 3 ବିଲ ସଂସଦରେ ପାରିତ ହୋଇଥିଲା । ଏହି ୩ଟି ବିଲ୍ ଭାରତୀୟ ଦଣ୍ଡ ବିଧାନ ପ୍ରକ୍ରିୟାରେ ସୁଧାର ଆଣିବ ବୋଲି କେନ୍ଦ୍ର ସରକାର କହିଥିଲେ । ୧୮୬୦ ମସିହାରେ ବ୍ରିଟିଶମାନଙ୍କ ଦ୍ବାରା ଲାଗୁ ହୋଇଥିବା ଇଣ୍ଡିଆନ ପେନାଲ କୋଡ (IPC), ୧୮୯୮ ମସିହାରେ ପାରିତ ହୋଇଥିବା କ୍ରିମିନାଲ ପ୍ରୋସିଡିଓର କୋଡ୍ (CrPC) ଓ ୧୮୭୨ ମସିହାରେ ପାରିତ ହୋଇଥିବା ଇଣ୍ଡିଆନ ଏଭିଡେନ୍ସ ଆକ୍ଟକୁ ଉଚ୍ଛେଦ କରାଯାଇଛି । ଭାରତୀୟ ଦଣ୍ଡ ସଂହିତା (IPC) ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩, CrPC ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଓ ଏଭିଡେନ୍ସ ଆକ୍ଟ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ- ୨୦୨୩ କାର୍ଯ୍ୟକାରୀ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ