ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଗିରଫଦାରୀ ବିରୋଧରେ ଆପର ଆନ୍ଦୋଳନ ଜାରି ରହିଛି । କେଜ୍ରିଓ୍ୱାଲଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଆପ ପକ୍ଷରୁ ଆରମ୍ଭ ହୋଇଛି 'ଥାଳି ବଜାଓ' ଅଭିଯାନ । ମଙ୍ଗଳବାର ଦିନ ଗ୍ରେଟର କୈଳାଶ ଅଞ୍ଚଳରେ ଆପ ନେତା ନେତା ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ନେତୃତ୍ୱରେ ଆପ କର୍ମକର୍ତ୍ତାମାନେ ଥାଳି ବଜାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେଜ୍ରିଓ୍ୱାଲଙ୍କୁ ଜେଲରୁ ମୁକ୍ତ କରିବା ନେଇ ନାରା ଦେଇଛନ୍ତି ।
କେଜ୍ରିଓ୍ୱାଲଙ୍କୁ ଗିରଫଦାରୀକୁ ନେଇ ଆମ ଆଦମୀ ପାର୍ଟିର ଆନ୍ଦୋଳନ ଜାରି ରହିଛି । ଆପ ପକ୍ଷରୁ ଥାଳି ବଜାଓ ଅଭିଯାନ ନେଇ ଏକ ଭିଡିଓ ଜାରି କରାଯାଇଛି । ଯେଉଁଥିରେ ଆପ ନେତା ତଥା ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ସମେତ ଅନେକ ଆପ ନେତା ଓ କର୍ମକର୍ତ୍ତାମାନେ ରାଜରାସ୍ତାରେ ଥାଳି ବଜାଇ କେଜ୍ରିଓ୍ୱାଲଙ୍କୁ ଜେଲରୁ ମୁକ୍ତ କରିବା ନେଇ ନାରା ଦେଉଛନ୍ତି ।
ଏହାପୂର୍ବରୁ ମଙ୍ଗଳବାର ଦିନ ଆମ୍ ଆଦମୀ ପାର୍ଟି ପକ୍ଷରୁ 'ମୋଦିଙ୍କ ସବୁୁଠୁ ବଡ ଡର- କେଜ୍ରିଓ୍ୱାଲ' ଡିପି ଅଭିଯାନର ଆରମ୍ଭ କରାଯାଇଥିଲା ଆପର ସମସ୍ତ ନେତା ଓ କର୍ମୀମାନେ ସୋସିଆଲ ମିଡିଆ ଆକାଉଣ୍ଟରେ ଡିପି ପରିବର୍ତ୍ତନ କରି 'ମୋଦିଙ୍କ ସବୁୁଠୁ ବଡ ଡର- କେଜ୍ରିଓ୍ୱାଲ' ଡିପି ରଖିବେ । ଆପ ନେତା ଓ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିଶୀ ଏହି ଅଭିଯାନର ଆରମ୍ଭ କରିବା ସହ କହିଥିଲେ ଯେ, ଏହି ଅଭିଯାନ କେଜ୍ରିଓ୍ୱାଲଙ୍କ ପ୍ରେରଣାରକୁ ଘରେ ଘରେ ପହଞ୍ଚାଇବ । ଇଣ୍ଡିଆ ଓ୍ୱିଥ କେଜ୍ରିଓ୍ୱାଲ ଡଟ କମ୍ (indiawithkejriwal.com)ରେ ଫଟୋ ଡାଉନଲୋଡ କରି ଡିପି ଲଗାଇ କେଜ୍ରିଓ୍ୱାଲଙ୍କୁ ଗିରଫଦାରୀ ବିରୋଧରେ ସ୍ୱର ଉଠାଇବାକୁ ସେ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି ।
ମାର୍ଚ୍ଚ 21 ତାରିଖ ସନ୍ଧ୍ୟାରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୁଖ୍ୟମନ୍ତ୍ରୀଙ୍କୁ ହେପାଜତରେ ନେବାକୁ ଇଡି ଆବେଦନ କରିଥିବା ବେଳେ ରାଉଜ ଆଭିନ୍ୟୁ କୋର୍ଟ ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି କରି 6 ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ।
କେଜ୍ରିଓ୍ୱାଲଙ୍କ ଗିରଫଦାରୀ ଓ ରିମାଣ୍ଡ ବିରୋଧରେ ହୋଇଥିବା ଆବେଦନର ଆଜି(ବୁଧବାର) ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ । ଗିରଫ ହେବା ପରେ କେଜ୍ରିଓ୍ବାଲ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର 6 ଦିନିଆ ରିମାଣ୍ଡରେ ଅଛନ୍ତି । ରାଉଜ ଆଭିନ୍ୟୁ କୋର୍ଟ ତାଙ୍କୁ ରିମାଣ୍ଡରେ ପଠାଇଥିଲେ । ଏହାକୁ ସେ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରି ତତ୍କାଳ ଶୁଣାଣି ପାଇଁ ମଧ୍ୟ ଆବେଦନ କରିଥିଲେ । ହେଲେ ସୁପ୍ରିମକୋର୍ଟ ଜରୁରୀ ଶୁଣାଣିକୁ ଗ୍ରହଣ ନକରିବା ସହ ତଳ କୋର୍ଟକୁ ଯିବାକୁ ପରାମର୍ଶ ଦେଇଥିଲେ । ଆଜି ପୂର୍ବାହ୍ନ ପ୍ରାୟ ସାଢେ 10 ଟାରେ ଦିଲ୍ଲୀ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସ୍ବର୍ଣ୍ଣକାନ୍ତଙ୍କ ଶର୍ମାଙ୍କ ଏକକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିପାରେ । ଯାହା ଉପରେ ସମସ୍ତଙ୍କ ନଜର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ