ହାଇଦ୍ରାବାଦ: ତେଲେଙ୍ଗାନାରୁ ଏକ ବିଚଳିତ କଲାଭଳି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଭିଡିଓରେ ଦୁଇ ମହିଳା ପୋଲିସ ଜଣେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP) ଛାତ୍ରୀଙ୍କ ଚୁଟି ଟାଣି ରାସ୍ତାରେ ଘୋଷାଡୁ ଥିବାର ସ୍ପର୍ଶକାତର ଦୃଶ୍ୟ ଦେଖିବାକୁ ମିଳୁଛି । ଘଟଣାଟି ରେଙ୍ଗାରେଡ୍ଡୀ ଜିଲ୍ଲା ରାଜେନ୍ଦ୍ରନଗରର । ସମ୍ପୃକ୍ତ ଏବିଭିପି ଛାତ୍ରୀ ରାଜ୍ୟ ସରକାରଙ୍କ ଏକ ନିଷ୍ପତ୍ତି ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ବେଳେ ତେଲେଙ୍ଗାନାର ମହିଳା ପୋଲିସ ତାଙ୍କ ସହିତ ଏଭଳି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାର ଭିଡିଓ ଭାଇରାଲ ହେବା ପରେ ନେଟିଜେନ୍ସ ଓ ବିରୋଧୀ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
କ'ଣ ଥିଲା ସମ୍ପୂର୍ଣ୍ଣ ଘଟଣାକ୍ରମ: ପ୍ରାପ୍ତ ସୂଚନା ମୁତାବକ, ପୀଡିତା ଛାତ୍ରୀ ABVPର ତେଲେଙ୍ଗାନା ରାଜ୍ୟ ସଭାପତି ଅଟନ୍ତି ଏବଂ ତାଙ୍କର ନାଁ ଝାନ୍ସି । ନିକଟରେ ତେଲେଙ୍ଗାନା ସରକାର ରାଜ୍ୟ କୃଷି ଓ ଉଦ୍ୟାନ ବିଶ୍ବବିଦ୍ୟାଳୟର ଜମି ହାଇକୋର୍ଟ ନିର୍ମାଣ ପାଇଁ ଆବଣ୍ଟନ କରିଥିଲେ । ଏହି ନିଷ୍ପତ୍ତି ବିରୋଧରେ ABVP କର୍ମକର୍ତ୍ତା ରାଜେନ୍ଦ୍ରନଗର ବିଶ୍ବବିଦ୍ୟାଳୟରେ ଏକତ୍ରିତ ହୋଇ ଧାରଣା ପ୍ରଦର୍ଶନ କରୁଥିଲେ । ସେଠାରେ ପୋଲିସ ପହଞ୍ଚି ଧାରଣକାରୀଙ୍କୁ ସ୍ଥାନୀୟ ଥାନାକୁ ଉଠାଇ ନେଇଥିଲା ।
ପୋଲିସ ABVP କର୍ମକର୍ତ୍ତାଙ୍କୁ ଉଠାଇ ନେଉଥିବା ବେଳେ ସଂଗଠନର ରାଜ୍ୟ ସଭାପତି ଝାନ୍ସି ପୋଲିସ କବଳରୁ ଖସିଯିବାକୁ ଚେଷ୍ଟା କରୁଥିଲେ । ସେ ରାସ୍ତାରେ ଦୌଡ଼ି ପଳାଉଥିବା ବେଳେ ଦୁଇ ଜଣେ ମହିଳା କନେଷ୍ଟବଳ ସ୍କୁଟିରେ ତାଙ୍କ ପିଛା କରିଥିଲେ ଏବଂ ରାସ୍ତା ଉପରେ ତାଙ୍କର ଚୁଟି ଘୋଷାଡ଼ି ତଳେ ପକାଇ ଦେଇଥିଲେ । ପୁରା ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଘଟଣା ପ୍ରଘଟ ପରେ ତେଲେଙ୍ଗାନାର ବିରୋଧୀ ଦଳ ସମ୍ପୃକ୍ତ ମହିଳା ପୋଲିସଙ୍କ ଏତାଦୃଶ୍ୟ ବ୍ୟବହାରକୁ ସମାଲୋଚନା କରିଛି । ନେଟିଜେନ୍ସ (ସୋସିଆଲ ମିଡିଆ ୟୁଜର୍ସ) ମଧ୍ୟ ଭିଡିଓରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ନିନ୍ଦା କଲେ ବିରୋଧୀ ଦଳ ନେତା: ଘଟଣା ନେଇ ସାଇବରାବାଦ ପୋଲିସ କମିଶନର ଅଭିନାଶ ମହାନ୍ତି କହିଛନ୍ତି, ''ସେହି ମହିଳା କନେଷ୍ଟବଳଙ୍କ ବ୍ୟବହାରର ତଦନ୍ତ କରାଯିବ ଏବଂ ତଦନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ।'' ସେପଟେ ବିଆରଏସ ଏମଏଲସି କବିତା ଘଟଣାକୁ ନିନ୍ଦା କରି କହିଛନ୍ତି, ''ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ରୀଙ୍କ ଉପରେ ପୋଲିସର ଆକ୍ରମଣ ଅମାନବୀୟ । ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ଘଟଣା ଆଦୌ ଗ୍ରହଣୀୟ ନୁହେଁ ।''
ଏହା ମଧ୍ୟ ପଢନ୍ତୁ: ବିରିୟାନୀ ଦେବାରେ ହେଲା ବିଳମ୍ବ, ରେଷ୍ଟୁରାଣ୍ଟ ଷ୍ଟାଫ୍ଙ୍କୁ ନିସ୍ତୁକ ପିଟିଲେ ଗ୍ରାହକ
ଏହା ମଧ୍ୟ ପଢନ୍ତୁ: ଜୟ ଶ୍ରୀରାମ ଲେଖିବାରୁ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଲେ ଶିକ୍ଷକ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ