ନୂଆଦିଲ୍ଲୀ: 2 ମାସ ପରେ ଦେଶରେ ସାଧାରଣ ନିର୍ବାଚନ ସହ 4 ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଆଉ ମାତ୍ର କିଛି ଦିନ ପରେ ନିର୍ବାଚନ କମିଶନଙ୍କ ଦ୍ବାରା ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛନ୍ତି । ଭାରତ ପରି ଜନସଂଖ୍ୟାବହୁଳ ଓ ବହୁଦଳୀୟ ରାଜନୈତିକ ବ୍ୟବସ୍ଥାରେ ସାଧାରଣ ନିର୍ବାଚନ ପରିଚାଳନା କରିବା ବେଶ ଆହ୍ବାନପୂର୍ଣ୍ଣ । ଏଥିରେ ରାଜ୍ୟ ପୋଲିସ ବଳ ଅପେକ୍ଷା କେନ୍ଦ୍ରୀୟ ସଶସ୍ତ୍ର ଫୋର୍ସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଆସିଛି । ଗୃହ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଚଳିତ ବର୍ଷ ନିର୍ବାଚନ ପରିଚାଳନାରେ ବିଭିନ୍ନ କେନ୍ଦ୍ରୀୟ ବଳର ପ୍ରାୟ 3 ଲକ୍ଷ 40 ହଜାର ସଶସ୍ତ୍ର ଯବାନ ନିୟୋଜିତ ରହିବେ ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ନିର୍ବାଚନ କମିଶନ କେନ୍ଦ୍ରୀୟ ଫୋର୍ସର ମୁତୟନ ନେଇ ଅବଗତ କରିସାରିଛି । ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବ ଅନୁସାରେ, ପଶ୍ଚିମବଙ୍ଗକୁ ସର୍ବାଧିକ 920 କମ୍ପାନୀ କେନ୍ଦ୍ରୀୟ ଫୋର୍ସ ପଠାଇବାକୁ ପ୍ରସ୍ତାବ ରହିଛି । ସେହିପରି ଧାରା-370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ପ୍ରଥମ ଥର ସାଧାରଣ ନିର୍ବାଚନ ହେଉଥିବାରୁ ସେଠାରେ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି । ଘାଟିକୁ ମୋଟ 635 କମ୍ପାନୀ ଫୋର୍ସ, ମାଓପ୍ରବଣ ଛତିଶଗଡକୁ 360 କମ୍ପାନୀ, ବିହାରକୁ 295 କମ୍ପାନୀ, ଉତ୍ତର ପ୍ରଦେଶକୁ 252 କମ୍ପାନୀ, ଆନ୍ଧ୍ର ପ୍ରଦେଶ, ଝାଡଖଣ୍ଡ ଓ ପଞ୍ଜାବକୁ 250 କମ୍ପାନା ଲେଖାଏଁ, ଗୁଜୁରାଟ, ତାମିଲନାଡୁ, ମଣିପୁର ଓ ରାଜସ୍ଥାନକୁ 200 କମ୍ପାନୀ ଲେଖାଏଁ ଓଡିଶାକୁ 175 କମ୍ପାନୀ, ଆସାମ ଓ ତେଲେଙ୍ଗାନାକୁ ପ୍ରତ୍ୟେକକୁ 160 କମ୍ପାନୀ ମହାରାଷ୍ଟ୍ର 150 କମ୍ପାନୀ, ମଧ୍ୟ ପ୍ରଦେଶ 113 କମ୍ପାନୀ, ତ୍ରିପୁରା 100 କମ୍ପାନୀ, ହରିୟାଣା 95, ଅରୁଣାଚଳ ପ୍ରଦେଶ 75, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଦିଲ୍ଲୀକୁ 70 କମ୍ପାନୀ ଲେଖାଏଁ, କେରଳ 66, ଲଦାଖ 57 କମ୍ପାନୀ, ହିମାଚଳ ପ୍ରଦେଶ 55, ନାଗାଲାଣ୍ଡ 48, ମେଘାଳୟ 45, ସିକ୍କିମ 17, ମିଜୋରାମକୁ 15 କମ୍ପାନୀ ଲେଖାଏଁ କେନ୍ଦ୍ରୀୟ ଫୋର୍ସ ଦେବା ପାଇଁ ପ୍ରସ୍ତାବରେ କୁହାଯାଇଛି ।
ସ୍ଥାନୀୟ ପ୍ରଶାସନ ସହଯୋଗରେ କେନ୍ଦ୍ରୀୟ ଫୋର୍ସ ଓ ରାଜ୍ୟ ପୋଲିସ ଫୋର୍ସ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବେ । ପ୍ରଶାସନ ଦ୍ବାରା ପ୍ରସ୍ତୁତ ହେବାକୁ ଥିବା ମତଦାନ କେନ୍ଦ୍ର, ଭୋଟିଂ ପରେ ଇଭିଏମ ରଖାଯିବାକୁ ଥିବା ଷ୍ଟ୍ରଙ୍ଗରୁମ, ନିର୍ବାଚନୀ ପ୍ରକ୍ରିୟାରେ ନିୟୋଜିତ ଥିବା ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷାରେ ଏହି ବଳ ନିୟୋଜିତ ରହିବ । ସେହିପରି ମତଗଣନା କେନ୍ଦ୍ର, ନିର୍ବାଚନୀ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ବିଭାଗୀୟ କାର୍ଯ୍ୟାଳୟରେ ମଧ୍ୟ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ । ସେହିପରି ପୂର୍ବରୁ ହିଂସା ରେକର୍ଡ ଥିବା ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଅତିରିକ୍ତ ଫୋର୍ସ ମଧ୍ୟ ମୁତୟନ ହେବେ ।
ଚଳିତ ଥର ଦେଶରେ ସାଧାରଣ ନିର୍ବାଚନ ସହ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡିଶା ଓ ସିକିମ ପରି 4 ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ଏପ୍ରିଲ-ମେ’ ମାସ ମଧ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି । ଏହା ପୂର୍ବରୁ ନିର୍ବାଚନ କମିଶନର ବିଭିନ୍ନ ରାଜ୍ୟ ଗସ୍ତ କରି ପ୍ରାକ-ନିର୍ବାଚନୀ ସ୍ଥିତି ସମୀକ୍ଷା କରିବା ଜାରି କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ଏବେ 15 ରାଜ୍ୟର 56 ଆସନରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି । ଆଜି ନାମାଙ୍କନର ଶେଷ ଦିନରେ ବିଭିନ୍ନ ଦଳର ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । 27 ତାରିଖରେ ଭୋଟ ଗ୍ରହଣ ଓ ସଂଧ୍ୟା ସୁଦ୍ଧା ଫଳାଫଳ ମଧ୍ୟ ସ୍ପଷ୍ଟ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ