ଥିରୁଅନନ୍ତପୁରମ: କେରଳର ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ରଞ୍ଜିତ ଶ୍ରୀନିବାସଙ୍କୁ ହତ୍ୟା ଘଟଣାରେ ଦୀର୍ଘ 2 ବର୍ଷ ପରେ ତାଙ୍କ ପରିବାରକୁ ନ୍ୟାୟ ମିଳିଛି । 15ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସମସ୍ତ ଦୋଷୀ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI) ଏବଂ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI)ର ସଦସ୍ୟ ରହିଥିବା ଜଣାପଡିଛି । 2021 ମସିହା ଡିସେମ୍ବର 19 ତାରିଖରେ ଆଲାପୁଜାସ୍ଥିତ ତାଙ୍କ ବାସଭବନରେ ପରିବାର ଲୋକଙ୍କ ସାମ୍ନାରେ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ କୋର୍ଟ 15ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି ।
ଆଜି (ମଙ୍ଗଳବାର) ଆଡିସନାଲ ଡିଷ୍ଟ୍ରିକ୍ଟ ସେସନ କୋର୍ଟ ରଞ୍ଜିତ ଶ୍ରୀନିବାସ ହତ୍ୟା ଘଟଣାରେ ଏହି ରାୟ ଶୁଣାଇଛନ୍ତି । ହତ୍ୟାକାଣ୍ଡରେ 8ଜଣ ମୁଖ୍ୟ ଅଭିଯୁକ୍ତ ରହିଥିବା ନେଇ କୋର୍ଟ ପକ୍ଷରୁ କୁହାଯାଇଛି । ଏହି 8 ଅପରାଧିଙ୍କୁ ଆଇପିସି ଧାରା 302, 149, 449, 506 ଏବଂ 341 ଅନୁସାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହାପରେ ଏହି ଘଟଣାରେ ଆଉ 7ଜଣ ସମ୍ପୃକ୍ତ ରହିଥିବା ଜଣାପଡ଼ିବା ପରେ ଗିରଫ କରାଯାଇଥିଲା । ଆଜି ମୋଚ 15ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।
ରଞ୍ଜିତ ବିଜେପିର ଓବିସି ମୋର୍ଚ୍ଚା ସଂପାଦକ ଥିଲେ । ତାଙ୍କ ପତ୍ନୀ ଏବଂ ମା'ଙ୍କ ସାମ୍ନାରେ 2021 ମସିହା ଡିସେମ୍ବର 19 ତାରିଖରେ ତାଙ୍କ ବାସଭବନରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଅପରାଧୀଙ୍କୁ ସର୍ବାଧିକ ଦଣ୍ଡ ଦେବା ପାଇଁ ପୀଡିତାଙ୍କ ପକ୍ଷରୁ କୋର୍ଟରେ ଦାବି କରାଯାଇଥିଲା । ଅଭିଯୁକ୍ତମାନେ ତାଲିମପ୍ରାପ୍ତ ହତ୍ୟାକାରୀ ଏବଂ ସେମାନେ ରଞ୍ଜିତଙ୍କୁ ତାଙ୍କ ମା', ଛୁଆ ଏବଂ ସ୍ତ୍ରୀଙ୍କ ସାମ୍ନାରେ ହତ୍ୟା କରିଥିବା ନେଇ କୋର୍ଟ ପକ୍ଷରୁ କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁ : Kerala SDPI Leader Killing: 2 ଅଭିଯୁକ୍ତ ଗିରଫ
ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡ ପରେ ଆଲପୁଜା DYSP ଏନଆର ଜୟରାଜଙ୍କ ନେତୃତ୍ବରେ ଏକ ଅନୁସନ୍ଧାନକାରୀ ଟିମ ଗଠନ କରାଯାଇ ହତ୍ୟାକାଣ୍ଡ ସମୟର ସିସିଟିଭି ଫୁଟେଜ ହାସଲ କରାଯାଇଥିଲା । ଏହି ଫୁଟେଜକୁ ଆଧାର କରି ସ୍ବତନ୍ତ୍ର ତଦନ୍ତକାରୀ ଟିମ(SIT) 15ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଅନୁସନ୍ଧାନକାରୀ ଅଫିସର 2022 ମସିହା ମାର୍ଚ୍ଚ 18 ତାରିଖରେ ଚାର୍ଜସିଟ ଦାଖଲ କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ରଞ୍ଜିତ ହତ୍ୟାକାଣ୍ଡ ମାମଲାର ଶୁଣାଣି ମାଭେଲିକାରା ଆଟିସନାଲ ସେସଲ କୋର୍ଟରକୁ ସ୍ଥାନାନ୍ତର କରାଯାଇଥିଲା । ଏହି ମାମଲାରେ 156ଜଣ ସାକ୍ଷୀ ରହିଥିଲେ । 100 ଡକ୍ୟୁମେଣ୍ଟକୁ ମଧ୍ୟ ଯାଞ୍ଚ କରାଯାଇଥିଲା । କିନ୍ତୁ ଜଣେ ଦୋଷୀଙ୍କର ଫୋନ ଏହି ମମଲାରେ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ପାଲଟିଥିଲା । 2023 ଡିସେମ୍ବର 15 ତାରିଖରେ ଏହାର ଶୁଣାଣି ଶେଷ ହୋଇଥିଲା ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ