ଓଡିଶା

odisha

ବୋଲଗଡକୁ ମରୁଡି ଘୋଷଣା ଓ ଋଣ ଛାଡ ଦାବିରେ ଚାଷୀଙ୍କ ଧାରଣା

By ETV Bharat Odisha Team

Published : Jan 17, 2024, 11:06 AM IST

ମରୁଡି ଘୋଷଣା ଓ ଋଣ ଛାଡ ଦାବି

Farmers protest: ଖୋର୍ଦ୍ଧା: ଜିଲ୍ଲାର ବୋଲଗଡ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଶତାଧିକ ଚାଷୀ । ଚଳିତବର୍ଷ ବିଳମ୍ବିତ ମୌସୁମୀ, ଅନାବୃଷ୍ଟି, ଅଦିନିଆ ବର୍ଷା ଯୋଗୁ ଧାନ ଚାଷ ଉଜୁଡି ଯାଇଥିବା ବେଳେ ଏହି ଅଞ୍ଚଳକୁ ମରୁଡି ଘୋଷଣା କରିବା ସହ ଚାଷୀଙ୍କ ଋଣ ଛାଡ, ବ୍ଲକରେ ଅଚଳ ହୋଇ ପଡ଼ିଥିବା ଉଠା ଜଳସେଚନ ପ୍ରକଳ୍ପ ଗୁଡିକୁ ସଚଳ କରିବା ଭଳି ବିଭିନ୍ନ ଦାବି ନେଇ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶତାଧିକ ଚାଷୀ ଧାରଣା ଦେଇଛନ୍ତି । ଦାବି ପୂରଣ ନ ହେବା ଯାଏ ଧାରଣା ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, ଗଜପତିକୁ ମରୁଡି ଘୋଷଣା ଦାବି

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ଚାଷୀ ଚାଷ କାର୍ଯ୍ୟ ପାଇଁ ବିଶେଷ କରି ବର୍ଷା ଉପରେ ନିର୍ଭର କରିଥାନ୍ତି । ଚଳିତ ବର୍ଷ ଏହି ଅଞ୍ଚଳରେ ବିଳମ୍ବିତ ମୌସୁମୀ, ଅନାବୃଷ୍ଟି, ଅଦିନିଆ ବର୍ଷା ଯୋଗୁ ଚାଷଜମି ଉଜୁଡି ଯାଇଥିବା କହିଛନ୍ତି ଚାଷୀମାନେ । ଯେଉଁମାନେ ଲକ୍ଷାଧିକ ଟଙ୍କା ଧାର କରଜ କରି ଚାଷ କରିଥିଲେ ସେମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏଭଳି ସ୍ଥଳେ ବୋଲଗଡ ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା, ଚାଷୀଙ୍କ ଋଣ ଛାଡ କରିବା ଓ ବ୍ଲକରେ ଅଚଳ ହୋଇ ପଡ଼ିଥିବା ଉଠା ଜଳସେଚନ ପ୍ରକଳ୍ପଗୁଡିକୁ ସଚଳ କରିବା ଦାବିରେ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ଚାଷୀ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । 

ତେବେ ପୂର୍ବରୁ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ଚାଷୀମାନେ । ଏହାର ପ୍ରତିବାଦରେ ଧାରଣା ଦିଆଯାଇଥିବା ଚାଷୀ କହିଛନ୍ତି । ତୁରନ୍ତ ମରୁଡି ଘୋଷଣା ସହ କ୍ଷତିପୂରଣ ,ଋଣ ଛାଡ କରାନଗଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ଏବଂ ଆଗାମୀ ଦିନରେ ଚାଷୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ଯ ହେବେ ବୋଲି ଚେତାବନୀ ଦିଆଯାଇଛି । ସେପଟେ ଚାଷୀଙ୍କ ଧାରଣାସ୍ଥଳକୁ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଚାଷୀ ମାନେ ନିଜ ଜିଦରେ ଅଟଳ ରହିଥିବା ସହ ଧାରଣା ଜାରି ରଖିଥିବା ଦେଖିବାକୁ ମିଳିଛି ।
 

ଇଟିଭି ଭାରତ ଖୋର୍ଦ୍ଧା

ABOUT THE AUTHOR

...view details