ଭୁବନେଶ୍ବର: ଦିନକୁ ଦିନ ଜଗା ଦର୍ଶନରେ ଅବ୍ୟବସ୍ଥା, ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ବଡ଼ ଦେଉଳଙ୍କୁ ଆସୁଥିବା ଭକ୍ତମାନେ ଏନେଇ ପ୍ରତିକ୍ରିୟା ପ୍ରକାଶ କରୁଥିବା ବେଳେ ଏବେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ସେ ଚିନ୍ତାବ୍ୟକ୍ତ କରିଥିବା ବେଳେ ଐତିହ୍ୟକୁ ସଂରକ୍ଷଣ କରାଯାଉ ବୋଲି ମଧ୍ୟ କହିଛନ୍ତି । ଶ୍ରୀମନ୍ଦିରରେ ଥିବା ଅନେକ ଅବ୍ୟବସ୍ଥା ତାଙ୍କୁ ବ୍ୟଥିତ କରିଛି ବୋଲି ସେ କହିଛନ୍ତି ।
ନିକଟରେ ଛତିଶଗଡ଼ ରାଜ୍ୟପାଳ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ । ଏହି ସମୟରେ ସେ ନିଜେ ହୃଦବୋଧ କରିଥିବା କଥାକୁ ତାଙ୍କ ଆଲେଖ୍ୟ ଜରିଆରେ ଲେଖିଛନ୍ତି । ଏଥିରେ ସେ କହିଛନ୍ତି, "ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଧାଡିରେ ଠିଆ ହୋଇ କଷ୍ଟ ପାଉଛନ୍ତି ଲୋକେ । ସେମାନଙ୍କ ପାଇଁ ବ୍ୟବସ୍ଥା ନାହିଁ । ପ୍ରକଳ୍ପ ହେଉ, ଐତିହ୍ୟ ନଷ୍ଟ ନ ହେଉ । ଐତିହ୍ୟକୁ ସଂରକ୍ଷଣ କରାଯାଉ । ଐତିହ୍ୟକୁ ନଷ୍ଟ ନକରି ପ୍ରକଳ୍ପ କରାଯାଉ । ଗୋଟିଏ ଦ୍ବାରରେ ପ୍ରକଳ୍ପ କରି ଅନ୍ୟ ୩ଟି ଦ୍ବାର ଖୋଲିଦେଲେ ସମସ୍ତେ ପ୍ରବେଶ କରି ଦର୍ଶନ କରିବେ । ପୁରୀ ଜଗନ୍ନାଥ ମନ୍ଦିରର କେତେକ ବ୍ୟବସ୍ଥା ଓ କାର୍ଯ୍ୟ ମୋତେ ଅତ୍ୟନ୍ତ ବ୍ୟଥିତ କରିଛି । ଏହା କେବଳ ମୋ ମନରେ ବ୍ୟଥା ଓ ବେଦନା ନୁହେଁ । ଏହା କୋଟି କୋଟି ଭକ୍ତଙ୍କ ମନର ବେଦନା ।"
ଏହା ବି ପଢନ୍ତୁ- ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ: ପୁରିଲା କଣ୍ଟ, ବର୍ଷିଲା କଂଗ୍ରେସ