ଭୁବନେଶ୍ବର: ହିଣ୍ଡେନ୍ବର୍ଗ ରିପୋର୍ଟ ଆସିବା ପରେ ବ୍ୟବସାୟୀ ଆଦାନୀଙ୍କୁ ନେଇ ଦେଶରେ ଜୋର ଧରିଛି ରାଜନୀତି । ଏନେଇ ଆମ ଆଦମୀ ପାର୍ଟି ମଧ୍ୟ ବିଜେପି ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛି । ଆଦାନୀ ଓ ମୋଦିଙ୍କ ବିରୋଧରେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବ ବୋଲି କହିଛନ୍ତି ଓଡ଼ିଶା ଆପ ଆବାହକ ନିଶିକାନ୍ତ ମହାପାତ୍ର । ତେବେ ଓଡ଼ିଶାରେ ଆପର ସଂଗଠନ ନଥିବାରୁ ଦଳକୁ ଏତେଟା ସଫଳତା ମିଳିବନାହିଁ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ ।
ନିର୍ବାଚନ ପ୍ରସ୍ତୁତିରେ ପ୍ରମୁଖ ରାଜନୈତିକ ଦଳ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସୁଛି । ଏନେଇ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ରାଜ୍ୟ ସରକାର ବିଭିନ୍ନ ଯୋଜନାକୁ ତ୍ବରିତ କରି ନିଜେ ବିଭିନ୍ନ ଜିଲ୍ଲା ଗସ୍ତ କରିବା ଆରମ୍ଭ କରିଦେଲଣି । ସେପଟେ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ବିଫଳତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରିବା ସହ କେନ୍ଦ୍ରମନ୍ତ୍ରୀମାନେ ବାରମ୍ବାର ଓଡ଼ିଶା ଗସ୍ତରେ ଆସି ଦଳକୁ ତୃଣମୂଳସ୍ତରରୁ ସଂଗଠନ କରିବା ଆରମ୍ଭ କରି ଦେଇଛନ୍ତି । କଂଗ୍ରେସ ନିକଟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଦଳରେ ସାମିଲ କରାଇ ତାଙ୍କ ରଣନୀତିରେ ନିର୍ବାଚନ ବୈତରଣୀ ପାର ହେବାପାଇଁ ପ୍ରସ୍ତୁତି ଚଳାଇଛି ।
ଓଡ଼ିଶା ଉପରେ ଆପର ନଜର: ତେବେ ଏହି ପ୍ରସ୍ତୁତି ଦୌଡ଼ରେ ଭାଗ ନେଇଛି ଆମ ଆଦମି ପାର୍ଟି । ପଞ୍ଜାବରେ ସଫଳତା ପରେ ଗୁଜୁରାଟ ଉପରେ ନଜର ରଖି ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଆପ ସେଠାରେ ଆଶାନୁରୂପ ଫଳ ପାଇନଥିଲା । ତେବେ ଏହାପରେ ଓଡ଼ିଶା ଉପରେ ଫୋକସ ରଖିଛି ଦଳ । ଏନେଇ ରାଜ୍ୟ ସରକାରଙ୍କ ବିଫଳତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରିଛି ଆପ । ଏହାସହ ଆସନ୍ତା ନିର୍ବାଚନରେ ହେବାକୁ ଥିବା କ୍ୟାମ୍ପେନରେ ଆଦାନୀ ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରିବ ଆପ । ଏନେଇ କିପରି ମୋଦି ଓ ଆଦାନୀ ମିଳିମିଶି ଲୋକଙ୍କ ଟଙ୍କା ଲୁଟ କରିଛନ୍ତି ସେ କଥା ଲୋକଙ୍କ ପାଖରେ ପହଞ୍ଚାଇବା କାମ କରିବୁ ବୋଲି ଓଡ଼ିଶା ଆପ୍ର ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି ।