ନର୍ଲାରେ ହେବ ରେଳଡବା ମରାମତି କାରଖାନା, ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
Published : Mar 6, 2024, 11:30 AM IST
Electric Loco Periodical Overhauling Factories: ଭବାନୀପାଟଣା: କଳାହାଣ୍ଡିରେ ହେବ ରେଳ ପିରିଓଡିକାଲ୍ ଓଭରହୋଲିଙ୍ଗ କାରଖାନା । ଫଳରେ ଜିଲ୍ଲାରେ ରୋଜଗାର ବଢ଼ିବା ସହ ଅଞ୍ଚଳର ବିକାଶ ହେବ । ଏମିତି ଅନେକ ସ୍ବପ୍ନ ଦୀର୍ଘ ଦଶନ୍ଧି ତଳେ ଦେଖିଥିଲେ ଜିଲ୍ଲାବାସୀ । ଯାହାକୁ ନେଇ ୨୦୦୯ ମସିହାରେ ତତ୍କାଳୀନ ସାଂସଦ ଭକ୍ତ ଚରଣ ଦାସ ସାଂସଦ ଭାବରେ ଉପସ୍ଥାପନ ମଧ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ଏହି କାରଖାନା ଜିଲ୍ଲାର ନର୍ଲା ଠାରେ ହେବ ବଦଳରେ ବିଶାଖାପାଟଣାକୁ ସ୍ଥାନାନ୍ତର ହୋଇଥିଲା । ଯାହାକୁ ନେଇ ୨୦୧୬ ମସିହାରେ ଆନ୍ଦୋଳନକୁ ଓହ୍ଲାଇ ଥିଲେ କଳାହାଣ୍ଡିବାସୀ । ଭକ୍ତ ଦାସଙ୍କ ଏହି ବନ୍ଦ ଡାକରାରେ ସାମିଲ ହୋଇଥିଲେ କଳାହାଣ୍ଡିବାସୀ । ଫଳରେ ରାଜରାସ୍ତାରେ ଆନ୍ଦୋଳନ ସହ ରାସ୍ତାଘାଟରେ ଟାୟାର ଜାଳି ଆନ୍ଦୋଳନ କରିଥିଲା କଂଗ୍ରେସ । ଯାହାକୁ ନେଇ ପରବର୍ତ୍ତୀ ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କଳାହାଣ୍ଡି ଗସ୍ତ ସମୟରେ ଜିଲ୍ଲାବାସୀ ନର୍ଲା ଠାରେ ରେଳ ମରାମତି କାରଖାନା ସ୍ଥାପନ ନେଇ ଦାବି କରିଥିଲେ ଯାହା ଏବେ ପୂରଣ ହେବାକୁ ଯାଉଛି ।
ଜିଲ୍ଲାବାସୀଙ୍କ ଦୀର୍ଘ ବର୍ଷର ସ୍ଵପ୍ନ ଏବେ ବାସ୍ତବ ରୂପ ନେବାକୁ ଯାଉଛି । ନର୍ଲା ଠାରେ ପ୍ରସ୍ତାବିତ ଇଲେକ୍ଟ୍ରିକ୍ ଲୋକୋ ପିରିଓଡିକାଲ୍ ଓଭରହୋଲିଙ୍ଗ କାରଖାନାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି(ମଙ୍ଗଳବାର) ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ ଆସିଥିବା ବେଳେ ସନ୍ଧ୍ୟାରେ ଭିଡିଓ କଫରେନ୍ସ ଜରିଆରେ ନର୍ଲାର ଚପଟଖଣ୍ଡା ଠାରେ ଇଲେକ୍ଟ୍ରିକ୍ ରେଳ ଇଂଜିନ ପିରିଓଡିକାଲ୍ ଓଭର ହୋଲିଙ୍ଗ କାରଖାନାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ୩୬୯.୭୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବ । ଏହା କଳାହାଣ୍ଡିବାସୀଙ୍କୁ ମୋଦିଙ୍କ ବଡ ଉପହାର ବୋଲି କୁହାଯାଉଛି । ଦୀର୍ଘ ବର୍ଷର ଲଢେଇ ପରେ ଏହି ଲୋକୋମୋଟିଭ ୱାର୍କସପ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇ ନର୍ଲା ରୋଡ ରେଳ ଷ୍ଟେସନରେ ଏକ ଆୟୋଜିତ ସଭାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରକାଶ କରିଛନ୍ତି ।
ଇଟିଭି ଭାରତ,କଳାହାଣ୍ଡି