ଓଡିଶା

odisha

ETV Bharat / videos

କିଏ ହେବେ ମୁଖ୍ୟମନ୍ତ୍ରୀ ? ଏମିତି ସଙ୍କେତ ଦେଲେ ରବି ନାଏକ - Rabi Naik on CM Race of BJP

By ETV Bharat Odisha Team

Published : Jun 7, 2024, 7:08 PM IST

Rabi Naik on CM Race of BJP: ଭୁବନେଶ୍ବର: କୁଚିଣ୍ଡା ବିଜେପି ବିଧାୟକ ରବି ନାଏକ ବିଜୟ ପରେ ରାଜ୍ୟ କାର୍ଯ୍ୟାଳୟ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଓଡ଼ିଶାର ଜନସାଧାରଣଙ୍କୁ ଧନ୍ୟବାଦ । ରାଜ୍ୟବାସୀ ବିଜୁ ଜନତା ଦଳ ସରକାର ସହ ଥିଲେ । ଓଡ଼ିଶାରେ ଏବେ ବିଜେପି ଯେଉଁ ସରକାର କରିଛି ଲୋକଙ୍କ ପାଇଁ କାମ କରିବ । ଓଡ଼ିଶାର କିଭଳି ବିକାଶ ହେବ ସେ ଦିଗରେ ପଦକ୍ଷେପ ନିଆଯିବ । ବିଜେପିର କାର୍ଯ୍ୟକର୍ତ୍ତା ଏବଂ ଦଳର ନିର୍ବାଚିତ ପ୍ରତିନିଧି ସମସ୍ତେ ଶୃଙ୍ଖଳିତ । ଦଳ ଯେଉଁ ନିଷ୍ପତ୍ତି ନିଏ, ତାକୁ ସମସ୍ତେ ପାଳନ କରନ୍ତି । ହାତୀ କାହା ମୁଣ୍ଡରେ ସୁନା କଳସ ଢ଼ାଳିବ, ତାହା ସମୟ ହିଁ କହିବ ।"

ସେହିପରି କିଏ ବିଜେପିର ମୁଖ୍ୟମନ୍ତ୍ରୀ ହେବ, ଏହି ପ୍ରସଙ୍ଗରେ ରବି ନାଏକ କହିଛନ୍ତି, "ବିଜେପି ଯାହାକୁ ବି ମୁଖ୍ୟମନ୍ତ୍ରୀ ପଦ ଦେବ, ତାଙ୍କର କିଛି ଅଭିଜ୍ଞତା ଥିବ । ଓଡ଼ିଶା ବାବଦରେ ଜାଣିଥିବେ, ଓଡ଼ିଶାର ସଂସ୍କୃତି, ପରମ୍ପରା ବିଷୟରେ ଯାହାର ଅଭିଜ୍ଞତା ଥିବ ସିଏ ହିଁ ମୁଖ୍ୟମନ୍ତ୍ରୀ ହେବେ । ଏନେଇ ପାର୍ଟି ଫୋରମ ନିଷ୍ପତ୍ତି ନେବେ । ଦୀର୍ଘ ବର୍ଷ ଧରି କେନ୍ଦ୍ରରେ ଥିବା ମୋଦି ସରକାର ଯାହା କହିଛନ୍ତି, ତାହା କରିଛନ୍ତି । ସେହିପରି ଓଡ଼ିଶା ପାଇଁ ମଧ୍ୟ ବିଜେପିର ନେତୃତ୍ବ ଯାହା କହିଛନ୍ତି, ସବୁ ଦିଗକୁ ଚିନ୍ତା କରି କହିଛନ୍ତି ।" ସେହି ଦୃଷ୍ଟିରୁ ସମୟକୁ ଅପେକ୍ଷା କରନ୍ତୁ ବୋଲି ପ୍ରତିକ୍ରିୟା ରଖିଛନ୍ତି କୁଚିଣ୍ଡା ବିଧାୟକ ରବି ନାୟକ ।

ଏହା ମଧ୍ୟ ପଢ଼ନ୍ତୁ...ମୋଦି ଏନଡିଏ ନେତା ନିର୍ବାଚିତ, କହିଲେ-ବିକଶିତ ଭାରତର ଇଞ୍ଜିନ ହେବ ଓଡ଼ିଶା - Nda Meeting

ଆସନ୍ତାକାଲି ବସିବ ବିଜେପି ବିଧାୟକ ଦଳ ବୈଠକ । ସାମିଲ ହେବେ ସମସ୍ତ ନବନିର୍ବାଚିତ ବିଧାୟକ । ଦିଲ୍ଲୀରୁ ଆସିବାକୁ ଥିବା ନିଷ୍ପତ୍ତି ଉପରେ ହୋଇପାରେ ଆଲୋଚନା । ନେତା ଚୟନ ହୋଇ ବାଜିପାରେ ମୋହର । ଏନେଇ ପରୋକ୍ଷରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ରବି ନାୟକ । ଅନ୍ୟପଟେ ଦଳରୁ ବିଧାୟକମାନଙ୍କୁ ରାଜଧାନୀରେ ଆସି ପହଞ୍ଚିବାକୁ ଦିଆଯାଇଛି ନିର୍ଦ୍ଦେଶ । କୌଣସି ମୁହୂର୍ତ୍ତରେ ଆସିପାରେ ନିଷ୍ପତ୍ତି । ଓଡ଼ିଶାକୁ ନେଇ ଦିଲ୍ଲୀରେ ଚାଲିଛି ମାନସମନ୍ଥନ । ମୁଖ୍ୟମନ୍ତ୍ରୀ ଚେହେରା ଚୟନ ପାଇଁ ମୋଦିଙ୍କ ଡେଡ୍‌ଲାଇନ୍‌ର ଗୋଟିଏ ଦିନ ବିତି ଯାଇଥିବାରୁ ଆଉ ବିଳମ୍ବ କରିବାକୁ ଚାହୁଁନି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details