ନାମାଙ୍କନ ଭରିଲେ ନୂଆପଡା ଓ ଖଡ଼ିଆଳ ବିଧାନସଭା ଆସନ କଂଗ୍ରେସ ପ୍ରାର୍ଥୀ - Congress Files Nomination - CONGRESS FILES NOMINATION
Published : Apr 23, 2024, 9:02 PM IST
Congress MLA Candidates Files Nomination ନୂଆପଡା: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଚାଲିଛି ପ୍ରାର୍ଥୀପତ୍ର ଦାଖଲ । ଆଜି (ମଙ୍ଗଳବାର) ନୂଆପଡା ଓ ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପୃଥକ ପୃଥକ ଭାବରେ ଜାତୀୟ କଂଗ୍ରେସ ଦଳର ଦୁଇ ଜଣ ବିଧାୟକ ପ୍ରାର୍ଥୀ ନୂଆପଡା ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଆଜି ନୂଆପଡା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବରେ ପିସିସି ସଭାପତି ଶରତ ପଟ୍ଟନାୟକ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ବିଧିବଦ୍ଧ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ଖଡ଼ିଆଳ ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବରେ ଯୁବନେତା କମଳ ଚରଣ ତାଣ୍ଡି ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମେ ଖଡ଼ିଆଳ କଂଗ୍ରେସ ବିଧାୟକ ପ୍ରାର୍ଥୀ କମଳ ଚରଣ ତାଣ୍ଡି ଖଡ଼ିଆଳ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରି ମା'ଙ୍କ ଆଶୀର୍ବାଦ ନେଇ ନୂଆପଡା ଅଭିମୁଖେ ବାହାରିଥିଲେ ।
ଏହି ଅବସରରେ କମଳ ଚରଣ ତାଣ୍ଡି କହିଛନ୍ତି, "ଏହି ନିର୍ବାଚନ ଧର୍ମର ନିର୍ବାଚନ ହେବ । ନିଶ୍ଚିତ ଭାବରେ ଅଧର୍ମ, ଗର୍ବ, ଗାରିମା ଓ ଅହଂକାର ଚୁରମାର ହେବ । ଦେଶରେ ବେରୋଜଗାର ବଢିଛି, ଦରଦାମ ବୃଦ୍ଧି ପାଇଛି । ଏଥର ନବୀନ ମୋଦି ସରକାରଙ୍କୁ ଭୋଟର ଜବାବ ଦେବେ ।" ସେହିପରି ଶରତ ପଟ୍ଟନାୟକ କରିଛନ୍ତି,"24 ବର୍ଷର ନବୀନ ସରକାର ଏବଂ କେନ୍ଦ୍ର ମୋଦି ସରକାର ଦୁର୍ନୀତି ଭ୍ରଷ୍ଟାଚାରରେ ଲିପ୍ତରହି ନୂଆପଡାର କିଛି ବିକାଶ କରିନାନାହିଁ । ମୁଁ ଯେତେବେଳେ ଲୋକସଭା ସଦସ୍ୟ ରହିଥିଲି ସେତେବେଳେ ନୂଆପଡାର ଅନେକ ବିକାଶ ହୋଇଛି । ଏଥର ଦଳ ମୋତେ ନୂଆପଡାରୁ ପ୍ରାର୍ଥୀ କରିଥିବାରୁ ଦଳକୁ ଧନ୍ୟବାଦ । କଂଗ୍ରେସ 9ରୁ 90 ବିଜୟୀ ହୋଇ ରାଜ୍ୟରେ ସରକାର ଗଠନ କରିବ । ମୁଁ ନୂଆପଡାରୁ ବିଜୟୀ ହେବା ସହିତ ରାଜ୍ୟବ୍ୟାପୀ କଂଗ୍ରେସ ବାଜିମାତ କରି ସରକାର ଗଠନ କରିବା ।"
ଇଟିଭି ଭାରତ, ନୂଆପଡା