ରଜରେ ଆରମ୍ଭ ୧୧୯ ବର୍ଷ ପୁରୁଣା ପ୍ରସିଦ୍ଧ ରାମରଜା ଉତ୍ସବ, ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ - 119 Year Old Ramraja Festival - 119 YEAR OLD RAMRAJA FESTIVAL
Published : Jun 15, 2024, 9:57 PM IST
119 Year Old Ramraja Festival: ଯାଜପୁର: ଓଡିଶାରେ ବେଶ ଧୁମଧାମରେ ପାଳିତ ହେଉଛି ରଜପର୍ବ । ଏହି କ୍ରମରେ ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଶ୍ରୀବନ୍ତପୁର ଅଞ୍ଚଳରେ ପାଳିତ ହୋଇଥାଏ ରାମରଜା ପର୍ବ । ଗତକାଲି ବିଳମ୍ବିତ ରାତିରୁ ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ କରାଯାଇ ମଣ୍ଡପମାନଙ୍କରେ ଚାଲିଛି ପୂଜାର୍ଚ୍ଚନା । ଆଖପାଖ ଅଞ୍ଚଳର ପ୍ରାୟ 8ଟି ମଣ୍ଡପରେ ରାମଚନ୍ଦ୍ର ମହାପ୍ରଭୁଙ୍କ ସହ ଦେବୀ ସୀତା, ଭ୍ରାତା ଲକ୍ଷ୍ଣଣ ଓ ଭକ୍ତ ହନୁମାନଙ୍କ ମାଟିମୂର୍ତ୍ତି ପୂଜା ପାଉଛନ୍ତି । ଝିଅମାନେ ରଜଦୋଳି ଖେଳିବା ସହିତ ରାମରଜା ବୁଲି ଉତ୍ସବର ମଜା ନେଉଛନ୍ତି l ବିଶେଷ ଭାବରେ ଏହି ପୂଜା ଖରସ୍ରୋତା ନଦୀକୂଳ ପରିବେଶରେ ଅନୁଷ୍ଠିତ ହେଉଥିବାରୁ ରାମରଜା ଦେଖିବାକୁ ଦର୍ଶକଙ୍କ ବେଶ୍ ଭିଡ ଜମୁଛି l ସେପଟେ ଦର୍ଶକଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି l
1905 ମସିହାରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଶ୍ରୀବନ୍ତପୁର ଗାଁର ମଝିସାହିରେ ଆରମ୍ଭ ହୋଇଥିଲା ରାମରଜା ପର୍ବ । ଦୀର୍ଘ 119 ବର୍ଷ ଧରି ପାଳିତ ହେଉଥିବା ଏହି ଉତ୍ସବ ପାଳନର ପୃଷ୍ଠଭୂମି ଥିଲା କିଛି ନିଆରା । କଥାରେ ଅଛି ସ୍ଥାନୀୟ ଅଞ୍ଚଳରେ କିଛି କାମ କରିବାକୁ କିଛି କାର୍ଯ୍ୟ ନ ମିଳିବାରୁ ସେତେବେଳେ ବ୍ରିଟିଶ ଶାସନ କାଳରେ ଗାଁର କିଛି ଲୋକ ସୁଦୂର କଲିକତାରେ ଶ୍ରମକାର୍ଯ୍ୟ କରିବାକୁ ଯାଇଥିଲେ । ଥରେ କେତେକ ଶ୍ରମିକ ନିଜ ନିଜର କାମ ସାରି କଲିକତାର ରାମରଜା ତାଲାକୁ ଠାକୁର ଦେଖି ଯାଇଥିଲେ l ଅଜାଣତରେ ସେଠାରେ ଥିବା ଏକ ନିଷିଦ୍ଧ ଅଞ୍ଚଳରେ ଶ୍ରମିକ ମାନେ ପ୍ରବେଶ କରି ଯାଇଥିବା ବ୍ରିଟିଶ ପୋଲିସର ନଜରରେ ପଡିଥିଲେ । ବ୍ରିଟିଶ ପୋଲିସ ବାଲାଙ୍କ କଠୋର ଦଣ୍ଡବିଧାନ ଭୟରେ ଏହି ଓଡିଆ ଶ୍ରମିକ ମାନେ ପ୍ରଥମେ ଭୟଭୀତ ହୋଇପଡିଥିଲେ l ସେହି ମୁହୁର୍ତ୍ତରେ ଏହି ଶ୍ରମିକ ମାନେ ନିଜ ଜୀବନ ସୁରକ୍ଷା ପାଇଁ ପ୍ରଭୁ ଶ୍ରୀରାମଙ୍କୁ ସ୍ମରଣ କରି ଏହି ବିପଦରୁ ଉଦ୍ଧାର ପାଇଥିଲେ l ପ୍ରଭୁ ରାମ ଏହି ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିବାରୁ ପରବର୍ତୀ ଅବସ୍ଥାରେ ମାନସିକ ରକ୍ଷା କରି ସେଠାରୁ ମାଟି ଆଣି ସେହି ବର୍ଷ ଠାରୁ ଗାଁରେ ଆରମ୍ଭ କରିଥିଲେ ରାମରଜା ପର୍ବ l ପରେ ଏହା ଦେଖି ଏବେ ଆଖପାଖ ଗାଁକୁ ବ୍ୟାପିବା ସହ ଏକ ବିରାଟ ମହୋତ୍ସବରେ ପରିଣତ ହୋଇଛି ।
ଏହା ମଧ୍ୟ ପଢନ୍ତୁ ... ରଜରେ ଝୁମୁଛି ରାଉରକେଲା, ପିଠା-ମିଠା-ପାନ ସହ ଚାଲିଛି ଦୋଳି ଖେଳ - Raja Festival Celebration 2024
ଏହି ସମୟରେ ପ୍ରଭୁ ଶ୍ରୀରାମଙ୍କୁ ପୂଜାର୍ଚ୍ଚନା କଲେ ଚତୁଃବର୍ଗ ଫଳପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ବଙ୍ଗୀୟ ଠାଣି ଏବଂ ବୈଦିକ ରୀତିନୀତିରେ ପ୍ରଭୁ ଶ୍ରୀରାମଙ୍କ ରାଜାଭିଷେକ କରାଯାଇ ରାମ, ଲକ୍ଷ୍ଣଣ, ସୀତା ଓ ହନୁମାନଙ୍କର ଯଥାବିଧି ପୂଜାର୍ଚ୍ଚନା କରାଯାଉଛି l ପ୍ରଥମେ ଶ୍ରୀବନ୍ତପୁର ଗାଁର ମଝିସାହିରୁ ଆରମ୍ଭ ହୋଇଥିବା ଏହି ରାମରଜା ଉତ୍ସବ ଏବେ ଆଖପାଖ ଅଞ୍ଚଳକୁ ବ୍ୟାପିଛି । ଶ୍ରୀବନ୍ତପୁର, ବାରଡାଙ୍ଗୀ, ଭଣ୍ଡାରୀପଡା, ଭଗତଭଗବାନପୁର, ଆନନ୍ଦବଜାର, ବାଗଡିଆଁ, ରାଛିପୁର, ନେଳିବାରୀ ଓ ବିରମଣିପୁର ଗାଁର ପ୍ରଭ୍ରୁତି 8ଟି ସ୍ଥାନରେ ପାଳିତ ହେଉଛି ଏହି ନିଆରା ପର୍ବ । ଏଭଳି ପର୍ବ ଜିଲ୍ଲାର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ l ସେଥିପାଇଁ ରଜର ଦ୍ବିତୀୟ ଦିନରେ ଏହି ସ୍ଥାନକୁ ଲୋକଙ୍କ ସୁଅ ଛୁଟି ଥାଏ l ସତରେ ରଜ ସାଙ୍ଗକୁ ରାମରଜା ପର୍ବ ବେଶ ଜମୁଛି l ଝିଅବୋହୂ ଓ ତରୁଣ ତରୁଣୀ ରାମରଜା ବୁଲି ରଜର ମଜା ନେଉଛନ୍ତି l ରଜ ଏକ କୃଷିଭିତ୍ତିକ ପର୍ବ ହେଇଥିବାରୁ ଚାଷୀ ମାନେ ଏହି ତିନିଦିନ ଚାଷ କାମ ବନ୍ଦ ରଖିଥାନ୍ତି । ଶେଷ ରଜ ପରଦିନ ପ୍ରଭୁ ରାମ ପାଣିକୁ ରୀତିନୀତି ଅନୁଯାୟୀ ଯାଇଥାନ୍ତି l
ଇଟିଭି ଭାରତ, ଯାଜପୁର