ହାଇଦ୍ରାବାଦ: Bluesky ହେଉଛି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ, ଯାହାର ୟୁଜରଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଅନେକ ମସ୍କଙ୍କ ପ୍ଲାଟଫର୍ମ 'X' ଛାଡୁଛନ୍ତି । ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଓ ସଂସ୍ଥା ଏକ୍ସ ଛାଡ଼ିବାକୁ ଘୋଷଣା କରିଛନ୍ତି । ଏହି ସମୟରେ ଏକ୍ସ ଛାଡୁଥିବା ୟୁଜର୍ ବ୍ଲୁ ସ୍କାଇ ବ୍ୟବହାର କରୁଛନ୍ତି । ଫଳରେ ରାତାରାତି ଏହାର ୟୁଜରଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସବୁଠୁ ଖାସ କଥା ହେଉଛି ବ୍ଲୁ ସ୍କାଇ ହେଉଛି ଟ୍ବିଟରର ପୂର୍ବତନ ସିଇଓ ଜ୍ୟାକ୍ ଡୋର୍ସିଙ୍କ ଦ୍ବାରା ବିକଶିତ କରାଯାଇଛି ।
Bluesky କଣ ?
ବ୍ଲୁ ସ୍କାଇ ହେଉଛି ଏକ ବିକେନ୍ଦ୍ରୀକରଣ ସାମାଜିକ ନେଟୱାର୍କିଂ ସାଇଟ୍ ଯାହା ଟ୍ବିଟର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସିଙ୍କ ଦ୍ବାରା ଆରମ୍ଭ ହୋଇଛି । ଏହି ପ୍ଲାଟଫର୍ମର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ନିଜର ସ୍ବତନ୍ତ୍ର ମତାମତ ରଖିବା ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା । ବ୍ଲୁ ସ୍କାଇର ସିଷ୍ଟମ୍ ଏପରି ଯେ ଉପଭୋକ୍ତାମାନେ ସେମାନଙ୍କର ତଥ୍ୟକୁ କମ୍ପାନୀର ନିୟନ୍ତ୍ରଣ ବାହାରେ ଯାଇ ହୋଷ୍ଟ କରିପାରିବେ । ଏହି ପ୍ଲାଟଫର୍ମରେ ସର୍ଚ୍ଚ, ନୋଟିଫିକେସନଏବଂ ରି-ପୋଷ୍ଟ ଭଳି ସୁବିଧା ମଧ୍ୟ ଉପଲବ୍ଧ ।
ମିଳିଲେ ନୂଆ 15ମିଲିୟନ ୟୁଜର:-
ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ଲୁ ସ୍କାଇ ଆପ୍କୁ ଡାଉନଲୋଡ୍ କରୁଥିବା ୟୁଜରମାନେ ମୁଖ୍ୟତଃ ବାମପନ୍ଥୀ ତଥା ଉଦାରବାଦୀ ଭାବବାଦୀ ଜ୍ୟାକ୍ ଡୋର୍ସିଙ୍କ ସମର୍ଥକ ଅଟନ୍ତି । ଆମେରିକାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ମଧ୍ୟ ଆଦର୍ଶ ଓ ବିଚାରଧାରା ଆଧାରରେ ବିଭକ୍ତ ହୋଇଥିବା ପରି ଦୃଶ୍ୟମାନ ହେଉଛି । ଫଳରେ ଏଥିରୁ ବ୍ଲୁ ସ୍କାଇ ଉପକୃତ ହେଉଛି । ବ୍ଲୁ ସ୍କାଇ ନିକଟରେ ଘୋଷଣା କରିଛି ଯେ ସେମାନଙ୍କ ୟୁଜରଙ୍କ ସଂଖ୍ୟା 15 ମିଲିୟନ ଅତିକ୍ରମ କରିଛି । ଏହି ପ୍ଲାଟଫର୍ମରେ ସେପ୍ଟେମ୍ବର 2024 ପର୍ଯ୍ୟନ୍ତ କେବଳ 9 ମିଲିୟନ ୟୁଜର ଥିଲେ, କିନ୍ତୁ ନିର୍ବାଚନ ପରେ ଏଥିରେ 10 ଲକ୍ଷରୁ ଅଧିକ ନୂତନ ୟୁଜର ସାମିଲ ହୋଇଛନ୍ତି । ଏହା ପୂର୍ବରୁ ମଧ୍ୟ ବ୍ଲୁ ସ୍କାଇର ୟୁଜରଙ୍କ ସଂଖ୍ୟା ବଢିଥିଲା ଯେତେବେଳେ ଚଳିତ ବର୍ଷ ଅଗଷ୍ଟରେ ବ୍ରାଜିଲରେ X ବ୍ୟାନ୍ ହୋଇଥିଲା । ସେହି ସମୟରେ 2.6 ମିଲିୟନ ୟୁଜର ପ୍ଲାଟଫର୍ମକୁ ଆସିଥିବା ବେଳେ ସେଥିରୁ 85% ବ୍ରାଜିଲ ୟୁଜର ଥିଲେ ।
କାହିଁକି ବଢୁଛି ୟୁଜରଙ୍କ ସଂଖ୍ୟା ?
ପ୍ଲାଟଫର୍ମରେ ନୂତନ ୟୁଜର (ଯେଉଁମାନଙ୍କ ମଧ୍ୟରେ ସାମ୍ବାଦିକ, ବାମପନ୍ଥୀ ରାଜନେତା ଏବଂ ସେଲିବ୍ରିଟି ଅନ୍ତର୍ଭୁକ୍ତ) ମିମ୍ସ ପୋଷ୍ଟ କରିଛନ୍ତି ଏବଂ କହିଛନ୍ତି ସେମାନେ ବିଜ୍ଞାପନ ଓ ଘୃଣ୍ୟ ମନ୍ତବ୍ୟଠାରୁ ଦୂରରେ ରହୁଥିବା ସ୍ଥାନ ବ୍ୟବହାର କରିବାକୁ ଅପେକ୍ଷା କରିଛନ୍ତି । ଖାଲି ସେତିକି ନୁହେଁ ସେମାନଙ୍କ ମଧ୍ୟରୁ କିଛି ଏହା ମଧ୍ୟ କହିଛନ୍ତି ଯେ ବ୍ଲୁ ସ୍କାଇ ପ୍ଲାଟଫର୍ମ ସେମାନଙ୍କୁ ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ଥିବା ଟ୍ବିଟରର ପ୍ରଥମ ଦିନଗୁଡ଼ିକୁ ମନେ ପକାଇ ଦେଇଛି । ବ୍ଲୁ ସ୍କାଇର ଅଭିବୃଦ୍ଧି ସତ୍ତ୍ବେ 'X' ନିର୍ବାଚନ ପରେ ପୋଷ୍ଟ କରିଥିଲା ଯେ ଏହା "ଆମେରିକା ନିର୍ବାଚନରେ ବିଶ୍ବସ୍ତରୀୟ ବାର୍ତ୍ତାଳାପ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି ଏବଂ ନୂତନ ରେକର୍ଡ ସୃଷ୍ଟି କରିଛି ।"
Jack Dorseyଙ୍କ ସମ୍ପର୍କରେ....
ଜ୍ୟାକ୍ ଡୋର୍ସି ହେଉଛନ୍ତି ଟ୍ବିଟରର ସହ-ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ । ସେ 2006 ମସିହାରେ ଟ୍ବିଟର ଆଣିଥିଲେ ଏବଂ 2021ରେ ସିଇଓ ପଦରୁ ଇସ୍ତଫା ଦେଇଥିଲେ । 2022ରେ ସେ ଟ୍ବିଟରର ବୋର୍ଡ ଅଫ୍ ଡାଇରେକ୍ଟର୍ସରୁ ମଧ୍ୟ ଇସ୍ତଫା ଦେଇଥିଲେ । ଏହାପରେ ଏଲନ୍ ମସ୍କ ଟ୍ବିଟର କିଣି ଏହାର ନାମ ‘X’ ରଖିଲେ । ଡୋର୍ସି 2023ରେ ଆଉ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ଲୁ ସ୍କାଇ ଲଞ୍ଚ କରିଥିଲେ କିନ୍ତୁ ସେ ଆଉ ବ୍ଲୁ ସ୍କାଏରେ ନାହାଁନ୍ତି । ଚଳିତ ବର୍ଷ 2024ରେ ବ୍ଲୁ ସ୍କାଇ ବୋର୍ଡରୁ ସେ ଇସ୍ତଫା ଦେବା ପରେ ତାଙ୍କ ଆକାଉଣ୍ଟ ମଧ୍ୟ ଡିଲିଟ୍ କରିଦେଇଛନ୍ତି । ବ୍ଲୁ ସ୍କାଇର ବର୍ତ୍ତମାନର ସିଇଓ ହେଉଛନ୍ତି ଜେ ଗ୍ରାବର୍ ।