ହାଇଦ୍ରାବାଦ:ଭାରତୀୟ ସ୍ପେଶ ଏଜେନ୍ସି ଇସ୍ରୋ ଆଉ ଏକ ସଫଳତା ହାସଲ କରିଛି । ଗତ ଡିସେମ୍ବର 30 ତାରିଖରେ ଲଞ୍ଚ ହୋଇଥିବା ସ୍ପେଡେକ୍ସ ମିଶନ ଜରିଆରେ ଏହି ସଫଳତା ମିଳିଛି । ଏହି ମିଶନ ଜରିଆରେ ମହାକାଶକୁ ପଠାଯାଇଥିବା ଦୁଇଟି ସ୍ପେଶକ୍ରାଫ୍ଟ SDX-01 ଓ SDX-02 ମଧ୍ୟରେ ଡକିଂ ପ୍ରକ୍ରିୟା ସଫଳ ହୋଇଥିବା ନେଇ X ସାଇଟ୍ରେ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମେ ଦୁଇ ଥର ଡକିଂ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା, ଏହାପରେ ତୃତୀୟ ଥର ଟ୍ରାଏଲ ଡକିଂ କରିଥିଲା ଇସ୍ରୋ । ଆଜି ଶେଷରେ ଏହା ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି । ଚତୁର୍ଥ ପ୍ରୟାସରେ ଏହି ସଫଳତା ହାସଲ କରିଛି ଇସ୍ରୋ ।
ମହାକାଶରେ ସ୍ପେଶ୍ ଡକିଂ ସଫଳ
ଆଜି (ଜାନୁଆରୀ 16) ସକାଳ ପ୍ରାୟ 10ଟା ସ୍ପେଶ୍ ଡକିଂ ସଫଳ ହୋଇଥିବା ନେଇ ଇସ୍ରୋ X ସାଇଟ୍ରେ ଘୋଷଣା କରିଥିଲା । ଏ ନେଇ ଇସ୍ରୋ କହିଛି, "ସ୍ପେଶ୍କ୍ରାଫ୍ଟ ଡକିଂ ସଫଳତାର ସହ ଶେଷ ହୋଇଛି । ଏକ ଐତିହାସିକ ମୁହୂର୍ତ୍ତ । 15 ମିଟରରୁ 3 ମିଟର ହୋଲ୍ଡ ପଏଣ୍ଟ ସମାପ୍ତ ହୋଇଛି । ସଠିକତା ସହିତ ଡକିଂ ଆରମ୍ଭ ହେଲା, ଏହାପରେ ମହାକାଶଯାନ କ୍ୟାପଚର ସଫଳ ହେଲା । ଏହାସହିତ ଡକିଂ ସଫଳତାର ସହିତ ସମାପ୍ତ ହୋଇଛି । ସଫଳ ସ୍ପେଶ୍ ଡକିଂ ହାସଲ କରିବାରେ ଭାରତ ବିଶ୍ବରେ ଚତୁର୍ଥ ଦେଶ ହୋଇଛି ।"
ସ୍ପେଶ୍ ଡକିଂରେ ଭାରତ ବିଶ୍ବରେ ଚତୁର୍ଥ
ସ୍ପେଡେକ୍ସ ମିଶନ ସଫଳ ହୋଇଛି । ଏହାର ଅର୍ଥ ମହାକାଶରେ 'ଡକିଂ' ଟେକ୍ନୋଲୋଜି ବ୍ୟବହାର କ୍ଷେତ୍ରରେ ବିଶ୍ବରେ ଆମେରିକା, ଋଷ, ଚୀନ ପରେ ଚତୁର୍ଥ ସଫଳ ଦେଶ ଭାବେ ରେକର୍ଡ କରିଛି । ଏହାଦ୍ବାରା ଆଗାମୀ ଦିନରେ ଭାରତ ମହାକାଶରେ ନିଜର ସ୍ପେଶ ଷ୍ଟେସନ ସ୍ଥାପନ କରିପାରିବ ।
ଚତୁର୍ଥ ପ୍ରୟାସରେ ସଫଳ ହେଲା ଇସ୍ରୋ
କହି ରଖୁଛୁ କି, ପ୍ରଥମେ ଇସ୍ରୋର ଏହି ଐତିହାସିକ ଡକିଂ ପ୍ରକ୍ରିୟା ଲାଗି ଜାନୁଆରୀ 7 ତାରିଖ ଧାର୍ଯ୍ୟ କରାଯାଇଥିଲା । ହେଲେ ଇସ୍ରୋ ଏହାକୁ ସ୍ଥଗିତ ରଖି ଜାନୁଆରୀ 9 ତାରିଖରେ ଡକିଂ ପ୍ରକ୍ରିୟା ହେବ ବୋଲି କହିଥିଲା । ମାତ୍ର ପାଗ ଅନୁକୂଳ ନଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଜାନୁଆରୀ 12 ତାରିଖରେ ଇସ୍ରୋ ପକ୍ଷରୁ ତୃତୀୟ ଥର ଲାଗି ଡକିଂ ପ୍ରକ୍ରିୟା ଲାଗି ଉଦ୍ୟମ କରାଯାଇଥିଲା । ତୃତୀୟ ଥର ସମ୍ପୂର୍ଣ୍ଣ ଡକିଂ ହୋଇପାରିନଥିବା ବେଳେ ଦୁଇଟି ସାଟେଲାଇଟ୍ 3ମିଟର ପାଖକୁ ଯାଇ ଦୂରେଇ ଥିଲେ । ଏହାଦ୍ବାରା ଟ୍ରାଏଲ ଡକିଂ ସଫଳ ହୋଇଥିଲା ଇସ୍ରୋ କହିଥିଲା । ଆଜି ଚତୁର୍ଥ ପ୍ରୟାସରେ ଇସ୍ରୋ ଏହି ଐତିହାସିକ ସଫଳତା ହାସଲ କରିଛି ।
ଇସ୍ରୋକୁ ଛୁଟିଲା ଶୁଭେଚ୍ଛାର ସୁଅ
ଭାରତୀୟ ସ୍ପେଶ ଏଜେନ୍ସି ଏହି ଐତିହାସିକ ସଫଳତା ହାସଲ କରିବା ପରେ ଇସ୍ରୋକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ବିଭାଗୀୟ ମନ୍ତ୍ରୀ ଓ ସାସଂଦଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏ ନେଇ ରାଷ୍ଟ୍ରପତି ଏକ୍ସ ସାଇଟ୍ରେ ଏକ ପୋଷ୍ଟ କରି ଇସ୍ରୋକୁ ଶୁଭେଚ୍ଛା ଜଣାଇ କହିଛନ୍ତି, "ସ୍ପେଶ ଡକିଂ ଗବେଷଣା ଲାଗି ଲଞ୍ଚ ହୋଇଥିବା ଦୁଇଟି ସ୍ପେଶକ୍ରାଫ୍ଟ ମଧ୍ୟରେ ଇସ୍ରୋ ସପଳ ସ୍ପେଶ୍ ଡକିଂ କରି ଐତିହାସିକ ସଫଳତା ହାସଲ କରିଛି । ସ୍ପେଶ୍ ଡକିଂ କ୍ଷମତା ହାସଲ କରିବାରେ ଭାରତ ବିଶ୍ବରେ ଚତୁର୍ଥ ସ୍ଥାନ ହାସଲ କରିଛି । ଏହି ସଫଳତା ଚନ୍ଦ୍ରଯାନ -4, ଭାରତର ଯୋଜନାବଦ୍ଧ ସ୍ପେଶ୍ ସେଣ୍ଟର ଏବଂ ଗଗନ ଯାନ ଭଳି ମହାକାଶ ଅନୁସନ୍ଧାନରେ ଭାରତର ଭବିଷ୍ୟତ ପ୍ରୟାସ ପାଇଁ ଏକ ପଥ ପରିଷ୍କାର କରିଛି । ଭାରତର ମହାକାଶ କ୍ଷମତା ବୃଦ୍ଧି ପାଇଁ ଇସ୍ରୋ ଏବଂ ଦେଶର ସମସ୍ତ ବୈଜ୍ଞାନିକ ଏବଂ ଇଞ୍ଜିନିୟର୍ ସମ୍ପ୍ରଦାୟକୁ ଅଭିନନ୍ଦନ ।"