ହାଇଦ୍ରାବାଦ:ଗ୍ଲୋବାଲ ଟେକ୍ ଜାଏଣ୍ଟ ତଥା ଆମେରିକୀୟ କମ୍ପାନୀ ଆପଲ୍ ଖୁବଶୀଘ୍ର ଭାରତରେ ଏହାର କୃତ୍ରିମ ବୁଦ୍ଧିମତା (AI) ଫିଚରକୁ ଉପଲବ୍ଧ କରିବାକୁ ଯାଉଛି । କମ୍ପାନୀର ମୁଖ୍ୟ ଟିମ୍ କୁକ୍ଙ୍କ ଘୋଷଣା ଅନୁସାରେ ଆସନ୍ତା ଏପ୍ରିଲରୁ ଭାରତୀୟ ୟୁଜରଙ୍କୁ Apple Intelligenceର ସୁବିଧା ପ୍ରଦାନ କରିବ । ଏହି ଫିଚର ଭାରତ ସମେତ ବିଭିନ୍ନ ଦେଶର ଲୋକାଲାଇଜ୍ଡ ଇଂରାଜୀ ଭାଷାକୁ ସପୋର୍ଟ କରିବ । ତେବେ ଭାରତରେ iOS 18.4 ଅପଡେଟ୍ ସହିତ ଏହି ସୁବିଧା ମିଳିବ ବୋଲି ଜଣାପଡ଼ିଛି ।
ଆପଲ୍ର ସିଇଓ ଟିମ କୁକ୍ ନିକଟରେ କମ୍ପାନୀର ତ୍ରୟମାସିକ ଆୟର ରିପୋର୍ଟ ଦେବା ସମୟରେ ଏହି ସମ୍ପର୍କରେ ଘୋଷଣା କରିଛନ୍ତି । ସେ କହିଛନ୍ତି, "ଆମେ ଆପଲ୍ ଇଣ୍ଟେଲିଜେନ୍ସକୁ ଆହୁରି ଆଗକୁ ନେବା ଲାଗି କଠିନ ପରିଶ୍ରମ କରୁଛୁ । ଏପ୍ରିଲରେ ଆମେ ଏହାକୁ ନୂଆ ଭାଷାରେ ଲଞ୍ଚ କରିବାକୁ ଯାଉଛୁ, ଯେଉଁଥିରେ ଫ୍ରେଞ୍ଚ୍, ଜର୍ମାନ୍, ଇଟାଲୀ, ପର୍ତ୍ତୁଗାଲୀ, ସ୍ପାନିଶ୍, ଜାପାନୀ, କୋରିଆନ୍ ଓ ସିମ୍ପ୍ଲିଫାଏଡ ଚାଇନିଜ ସାମିଲ । ଏହା ବ୍ୟତୀତ ସିଙ୍ଗାପୁର ଓ ଭାରତର ଆଞ୍ଚଳିକ ଭାଷାକୁ ମଧ୍ୟ ଏହା ସପୋର୍ଟ କରିବ ।"
Apple Intelligence (Image Credit- Apple) - କେବେ ଲଞ୍ଚ ହୋଇଥିଲା ଆପଲ୍ ଇଣ୍ଟେଲିଜେନ୍ସ ?
ଆପଲ୍ ପ୍ରଥମ ଥର ଲାଗି ଆପଲ୍ ଇଣ୍ଟେଲିଜେନ୍ସ ଫିଚରକୁ2024 ଅକ୍ଟୋବରରେ iOS 18.1 ଅପଡେଟ ସହିତ ଆଣିଥିଲା । ପ୍ରାରମ୍ଭିକ ସମୟରେ ଏହା କେବଳ ଆମେରିକୀୟ ଇଂରାଜୀରେ ଉପଲବ୍ଧ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ୟୁକେ, ଅଷ୍ଟ୍ରେଲିଆ ଓ କାନାଡା ଲାଗି ଲୋକାଲାଇଜ୍ଡ ବା ସ୍ଥାନୀୟ ଇଂରାଜୀ ଭାଷା ସପୋର୍ଟ ସହିତ ଅପଡେଟ କରାଯାଇଥିଲା । କିନ୍ତୁ ସେଥିରେ ଇଣ୍ଡିଆନ ଇଂଲିସ ନଥିଲା । ଶେଷରେ ଆପ୍ ସିଇଓ ଟିମ କୁକ୍ ବଡ଼ ଘୋଷଣା କରିଛନ୍ତି । ଏପ୍ରିଲରେ iOS 18.4 ଅପଡେଟ୍ ସହିତ ଆପଲ୍ ଇଣ୍ଟେଲିଜେନ୍ସ English (India)କୁ ସପୋର୍ଟ କରିବ । ଏହାର ଅର୍ଥ ୟୁଜରଙ୍କୁ ଆଉ ଲାଙ୍ଗୁଏଜ ସେଟିଂ (Language Setting)କୁ ଯାଇ ଭାଷା ପରିବର୍ତ୍ତନ କରିବାକୁ ପଡ଼ିବ ନାହିଁ । ଏବେ ଭାରତୀୟ ଆଇଫୋନ ୟୁଜର ଆପଲ୍ ଇଣ୍ଟେଲିଜେନ୍ସର ସମସ୍ତ ସୁବିଧା ପାଇପାରିବେ ।
- ଭାରତରେ ବଢୁଛି iPhoneର ଲୋକପ୍ରିୟତା
ଆପଲ୍ ତ୍ରୟମାସିକ ଆୟର ରିପୋର୍ଟ ଦେବା ସମୟରେ ଭାରତରେ ବଢୁଥିବା ଆଇଫୋନର ଲୋକପ୍ରିୟତା ସମ୍ପର୍କରେ ମଧ୍ୟ କହିଛି । ଭାରତୀୟ ବଜାରରେ ଆପଲ୍ର ଅଭିବୃଦ୍ଧି ଘଟୁଛି । କମ୍ପାନୀ ମୁଖ୍ୟ ଟିମ୍ କୁକ୍ଙ୍କ କହିବାନୁସାରେ, ଭାରତରେ ଆଇଫୋନ ସବୁଠୁ ଅଧିକ ବିକ୍ରି ମଡେଲ ହୋଇପାରିଛି, ଯାହାଦ୍ବାରା କମ୍ପାନୀକୁ ବେଶ ଲାଭ ମିଳିଛି । ଭାରତରେ ଆପଲ୍ ପ୍ରଡକ୍ଟର ଚାହିଦାକୁ ଦେଖି ଦେଶରେ ନିଜର ରିଟେଲ୍ ଷ୍ଟୋରର ବିସ୍ତାର କରିବାକୁ ମଧ୍ୟ ଯୋଜନା କରୁଛି ।
- ଭାରତରେ ଖୋଲିବ 4ଟି ଆପଲ୍ ଷ୍ଟୋର
ଆପଲ୍ ଗତବର୍ଷ ଭାରତରେ ନିଜର ରିଟେଲ୍ ଉପସ୍ଥିତି ବୃଦ୍ଧି କରିବା ଲାଗି ଘୋଷଣା କରିଛି । ଏହି ଯୋଜନା ଅନୁସାରେ ବେଙ୍ଗାଲୁରୁ, ପୁଣେ, ଦିଲ୍ଲୀ-ଏନସିଆର ଓ ମୁମ୍ବାଇରେ 4ଟି ନୂଆ ଆପଲ୍ ଷ୍ଟୋର ଖୋଲିବାକୁ ଯାଉଛି । 2023ରେ ଖୋଲାଯାଇଥିବା ଦିଲ୍ଲୀର ସାକେତ ଓ ମୁମ୍ବାଇର ବିକେସି ଷ୍ଟୋର ବ୍ୟତୀତ କମ୍ପାନୀ ନୂଆ 4ଟି ଷ୍ଟୋର ଖୋଲିବାକୁ ଯାଉଛି ।