ସୁନ୍ଦରଗଡ:ଶାଳକର ଛୁରାମାଡ଼ରେ ଭିଣୋଇ ମୃତ । ଭଉଣୀ ସହ ଭିଣୋଇର ବଚସାକୁ ନେଇ ଉତକ୍ଷିପ୍ତ ହୋଇ ସେ ଏଭଳି ଆକ୍ରମଣ କରିଥିବା ଜଣାପଡ଼ିଛି । ଏହାପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି । ସୂଚନା ଅନୁସାରେ, ମୃତକ ଜଣକ ହେଉଛନ୍ତି ଜୟରାମ ସତନାମୀ (୪୨) । ରାଜଗାଙ୍ଗପୁର ଜରୁମାଲ ପଞ୍ଚାୟତ ଟୁଙ୍ଗୁରିଟୋଲି ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ସୂଚନା ମୁତାବକ, ଟୁଙ୍ଗୁରିଟୋଲି ବାସିନ୍ଦା ମିଖେଲ ଟପ୍ପୋଙ୍କ ଝିଅ ଅନୁଷ୍କା ରାଜଗାଙ୍ଗପୁର ବଗିଚାପଡା ଗାନ୍ଧୀ ଛକ ନିବାସୀ ଜୟରାମ ସତନାମୀ (୪୨)ଙ୍କୁ ବିବାହ କରିଥିଲେ । ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହୁଥିଲା । ବାରମ୍ବାର ବିଭିନ୍ନ କାରଣରୁ ଝଗଡା ହେଉଥିଲା । ତେବେ ୩ ଦିନ ତଳେ ଜୟରାମ ମାରପିଟ କରିବାରୁ ସ୍ତ୍ରୀ ତାଙ୍କ ପରିବାରକୁ ଜଣାଇଥିଲେ । ଯାହା ପରେ ଅନୁଷ୍କାଙ୍କ ଭାଇ ସମସ୍ତ ଆସବାବପତ୍ର ଟୁଙ୍ଗୁରି ଟୋଲି ସ୍ଥିତ ବାପଘରକୁ ନେଇ ଆସିଥିଲେ । ଗତକାଲି (ଗୁରୁବାର) ଜୟରାମ ଜଣେ ସାଙ୍ଗଙ୍କ ସହ ସ୍ତ୍ରୀକୁ ଭେଟିବାକୁ ଆସିଥିଲେ ।