ଭୁବନେଶ୍ବର:2024 ସାଧାରଣ ନିର୍ବାଚନ ପ୍ରକ୍ରିୟା ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଓଡି଼ଶାର 4ଟି ସଂସଦୀୟ କ୍ଷେତ୍ରରେ ଅନୁଷ୍ଠିତ ହେବ । ମେ ମାସ 13 ତାରିଖରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଲୋକସଭା ଆସନ ପାଇଁ ମତଦାନ ହେବ । ଏହି 4 ସଂସଦୀୟ କ୍ଷେତ୍ର ଅନ୍ତର୍ଗତ 28 ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ବାଚନ ତାରିଖ ଓ ସମୟ ମଧ୍ୟ ଧାର୍ଯ୍ୟ ହୋଇଛି । 28 ବିଧାନସଭା ଆସନର ନିର୍ବାଚନ ପାଇଁ ରାଜ୍ୟପାଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭୋଟରଙ୍କ ସଂଖ୍ୟା:
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, "ନାମାଙ୍କନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଥିବାବେଳେ 25 ତାରିଖ ଶେଷ ଦିନ । 26 ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ, 29 ତାରିଖ ପ୍ରତ୍ୟାହାର ତାରିଖ ରହିଛି । କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର 4 ସଂସଦୀୟ କ୍ଷେତ୍ରରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ । ମହିଳା ଭୋଟରଙ୍କ ସଂଖ୍ୟା ହେଉଛି 31 ଲକ୍ଷ 87 ହଜାର 771 । ପୁରୁଷ ଭୋଟରଙ୍କ ସଂଖ୍ୟା ହେଉଛି 30 ଲକ୍ଷ 96 ହଜାର 243 । ଏହି ୪ ସଂସଦୀୟ କ୍ଷେତ୍ରରେ ମୋଟ ଭୋଟରଙ୍କ ସଂଖ୍ୟା 62 ଲକ୍ଷ 84 ହଜାର 649 । କିନ୍ନର ଭୋଟରଙ୍କ ସଂଖ୍ୟା 635 । 4 ସଂସଦୀୟ କ୍ଷେତ୍ରରେ 18ରୁ 19 ବର୍ଷର ଭୋଟରଙ୍କ ଅନୁପାତ ହେଉଛି 2.78 ପ୍ରତିଶତ, 20ରୁ 29 ବର୍ଷ ହେଉଛି 23.34 ପ୍ରତିଶତ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3 କୋଟି 36 ଲକ୍ଷ ଭୋଟର ଅଛନ୍ତି । ସେଥିରୁ ପୁରୁଷ ଭୋଟର ହେଉଛନ୍ତି 1 କୋଟି 70 ଲକ୍ଷ ଓ ମହିଳା ଭୋଟର ହେଉଛନ୍ତି 1 କୋଟି 66 ଲକ୍ଷ । ରାଜ୍ୟରେ ଲିଙ୍ଗ ଅନୁପାତ ହେଉଛି 974 । ରାଜ୍ୟରେ 18ରୁ 19 ବର୍ଷର ଭୋଟର ସଂଖ୍ୟା ହେଉଛି 8.69 ଲକ୍ଷ । ଯାହା ମୋଟ ଭୋଟରଙ୍କ ସଂଖ୍ୟାର 2.59 ପ୍ରତିଶତ । ଦିବ୍ୟାଙ୍ଗ ଭୋଟରଙ୍କ ଅନୁପାତ ହେଉଛି 1.56 ପ୍ରତିଶତ । 20ରୁ 29 ବର୍ଷର ଭୋଟରଙ୍କ ସଂଖ୍ୟା ହେଉଛି 70.40 ଲକ୍ଷ । ଯାହା ମୋଟ ଭୋଟରର 21 ପ୍ରତିଶତ ।
ପୋଲିଂ ଷ୍ଟେସନ:
କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ସଂସଦୀୟ କ୍ଷେତ୍ରରେ 7ହଜାର 289 ପୋଲିଂ ଷ୍ଟେସନ ରହିଛି । 15ଶହରୁ ଅଧିକ ଭୋଟର ଥିବାରୁ ଅତିରିକ୍ତ ପୋଲିଂ ଷ୍ଟେସନ ହେଉଛି 14 ।
ନାମାଙ୍କନ ବେଳେ ବଡ଼ ରାଲି ବାରଣ:
ଅଂଶୁଘାତକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଜନୈତିକ ଦଳର ପ୍ରତିନିଧିଙ୍କୁ ଅବଗତ ମଧ୍ୟ କରାଯାଇଛି । ନାମାଙ୍କନବେଳେ ବଡ଼ ରାଲି ନକରିବାକୁ ସର୍ବଦଳୀୟ ବୈଠକରେ ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କରାଯାଇଛି । ଆଇଏମଡି ପକ୍ଷରୁ ଜାରି ହେଉଥିବା ଅଂଶୁଘାତ ନିର୍ଦ୍ଦେଶନାମା ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।
3 ପର୍ଯ୍ୟବେକ୍ଷକ ନିଯୁକ୍ତ:
ରାଜ୍ୟରେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନ 3 ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି । ଏହି 3 ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ଆଇଏଏସ, ଅବସରପ୍ରାପ୍ତ ଆଇପିଏସ ଓ ଜଣେ ଅବସରପ୍ରାପ୍ତ ଆଇଆରଏସ ଅଫିସର । 4 ସଂସଦୀୟ ଓ 28 ବିଧାନସଭା କ୍ଷେତ୍ର ପାଇଁ 3 ଜଣ ପର୍ଯ୍ୟବେକ୍ଷକ ଯଥା ସାଧାରଣ ପର୍ଯ୍ୟବେକ୍ଷକ, ପୋଲିସ ପର୍ଯ୍ୟବେକ୍ଷକ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ସେମାନେ ଆଦର୍ଶ ଆଚରଣ ବିଧି ଠିକ ପାଳନ, ସୁରକ୍ଷା ବ୍ୟବସ୍ଥା, ପ୍ରାର୍ଥୀଙ୍କ ଖର୍ଚ୍ଚକୁ ଯାଞ୍ଚ କରିବେ ।
ମାଓ ଅଞ୍ଚଳରେ ଭୋଟିଂ ସମୟ ସଙ୍କୁଚିତ: