ଭବାନୀପାଟଣା: କ୍ଷଣିକ ସୁଖ ପାଇଁ ସମ୍ପର୍କ ଭୁଲିଗଲା ଦେଢଶୁର । ହଜିଗଲା ମଣିଷ ପଣିଆ । ଭାଇ ବୋହୂକୁ ଦୁଷ୍କର୍ମ କଲା ଦେଢଶୁର । ସେପଟେ ଦୁଷ୍କର୍ମର ଶିକାର ହେବା ପରେ ଲୋକଲଜ୍ଜ୍ୟା ସହି ନ ପାରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛି ଭାଇ ବୋହୁ । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଦେଢଶୁର ଫେରାର ଅଛି ।
ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ସ୍ବାମୀ ରାଜ୍ୟ ବାହାରେ ରହି କାମ କରୁଥିଲେ । ସ୍ବାମୀ ବାହାରେ ଥିବାବେଳେ ମହିଳା ଜଣକ ଘରେ ଏକୁଟିଆ ରହୁଥିଲେ । ଗତ ଦୁଇ ଦିନ ତଳେ ମହିଳାଙ୍କ ସ୍ବାମୀଙ୍କ ଜଣେ ସମ୍ପର୍କୀୟ ବଡ଼ ଭାଇ ଅରୁଣ ମାଝୀ ଘରେ କେହି ନଥିବାର ସୁଯୋଗ ନେଇ ମହିଳାଙ୍କ ହାତଗୋଡ ବାନ୍ଧି ନିକଟରେ ଥିବା ଏକ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ । ଏ ବିଷୟରେ କାହାକୁ ଜଣାଇଲେ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ । ଏହାପରେ ମହିଳା ଜଣଙ୍କ ନିଜ ବାପା ଘରକୁ ଚାଲିଯାଇ ସେଠାରେ ନିଜ ପରିବାର ଓ ନିଜ ସ୍ଵାମୀଙ୍କୁ ସବୁକଥା ଜଣାଇଥିଲେ । ପରେ ରାଜ୍ୟ ବାହାରକୁ ଯାଇଥିବା ସ୍ଵାମୀ ଫେରି ଆସି ଗତକାଲି (ସୋମବାର) ଏନେଇ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।