ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲାରେ ବିଜେପିର ନିର୍ବାଚନ ପ୍ରସ୍ତୁତି ବୈଠକ । ନେତା ଏବଂ କର୍ମୀଙ୍କ ସହ ଆଲୋଚନା କରି ଗୁରୁମନ୍ତ୍ର ଦେଲେ ପ୍ରଭାରୀ ବିଜୟ ପାଲସିଂ ତୋମାର ଏବଂ ଜୁଏଲ ଓରାମ । ଏଥର ଜିଲ୍ଲାରେ ୭ଟି ବିଧାନସଭା ସହ ଲୋକସଭା ଜିତିବା ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ନିଶ୍ଚିତ ହେବ ବୋଲି କହିଛନ୍ତି ଓଡିଶା ପ୍ରଭାରୀ ବିଜୟ ପାଲ ସିଂ । ଗତକାଲି(ଗୁରୁବାର) ରାଉରକେଲାରେ ଷ୍ଟେସନରେ ପ୍ରଭାରୀ ବିଜୟ ପାଲସିଂ ପହଞ୍ଚିବା ପରେ ସାଂସଦ ତଥା ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ଏବଂ ଦଳୀୟ କର୍ମୀମାନେ ତାଙ୍କୁ ବିପୁଳ ସ୍ବାଗତ କରିଥିଲେ ।
ବିଜୟ ପାଲସିଂ ନିର୍ବାଚନ ପରିଚାଳନା କମିଟି ଯୋଗ ଦେଇ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା କରିବା ସହ ସମସ୍ତ ନିର୍ବାଚନ ମଣ୍ଡଳୀର ନେତା ଏବଂ କର୍ମୀ ସହ ବୈଠକ କରିଥିଲେ । ଏହି ବୈଠକରେ ସଂସଦ ଜୁଏଲ ଓରାମ, ରାଉରକେଲା ସାଂଗଠନିକ ବିଜେପି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ଏବଂ ସାତଟି ବିଧାନସଭା ମଣ୍ଡଳୀରୁ ଛଅଟି ବିଧାନସଭା ମଣ୍ଡଳୀ ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଶଙ୍କର ଓରାମ, ରଘୁନାଥପାଲି ବିଧାନସଭା ପ୍ରାର୍ଥୀ ଦୁର୍ଗା ତନ୍ତୀ, ରାଜଗାଙ୍ଗପୁର ବିଧାନସଭା ପ୍ରାର୍ଥୀ ନରସିଂହ ମିଞ୍ଜ, ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ କୁସୁମ ଟେଟେ, ବଣାଇଁ ବିଧାନସଭା ପ୍ରାର୍ଥୀ ସେବତୀ ନାଏକ ଏବଂ ତଳସରା ବିଧାନସଭା ପ୍ରାର୍ଥୀ ଭବାନୀ ଭୋଇଙ୍କ ସମେତ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ସଂଯୋଜକ, ମଣ୍ଡଳ ଅଧ୍ୟକ୍ଷ, ବିସ୍ତାରକମାନେ ଯୋଗ ଦେଇଥିଲେ ।