ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଯେଉଁ ଅଧିକାରୀ ପଡୁଛନ୍ତି, ସେମାନଙ୍କ ଠାରୁ ଯେତିକି ପରିମାଣର ସମ୍ପତ୍ତି ଜବତ ହେଉଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି, ଏ ସମଗ୍ର ବ୍ୟବସ୍ଥାର ସ୍ବଚ୍ଛତା ପ୍ରଶ୍ନଘେରକୁ ଟାଣି ହୋଇଯାଉଛି । ଗତକାଲି ଜଣେ ଅଧିକାରୀଙ୍କ ବାସଭବନରେ ଭିଜିଲାନ୍ସ ବିଭାଗ ଚଢ଼ାଉ ବେଳେ ଦେଖିବାକୁ ମିଳିଛି ଏପରି ଆଶ୍ଚର୍ଯ୍ୟଜନକ ଘଟଣା ।
ଚଢାଉ ଭୟରେ ପଡୋଶୀ ଘରକୁ ଫିଙ୍ଗିଥିଲେ ବ୍ୟାଗ । ମିଳିଲା ପୁଳା ପୁଳା ସୁନା ଗହଣା ଓ ବିଡା ବିଡା ଟଙ୍କା ସହ ଏକାଧିକ ବିଳାସମୟ ସାମଗ୍ରୀ । ଓଡ଼ିଶା ଷ୍ଟେଟ ପୋଲିସ ହାଉସିଂ ଓ୍ବେଲଫେୟାର କର୍ପୋରେସନ (OPHWC)ର ଡେପୁଟି ଜେନେରାଲ ମ୍ୟାନେଜର ସୁଭାଷ ଚନ୍ଦ୍ର ପଣ୍ଡାଙ୍କ ଘରେ ଗତକାଲି(ନଭେମ୍ବର ୧୮) ଚଢାଉ ବେଳେ ଏମିତି କିଛି ଅପର୍ଯ୍ୟାପ୍ତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ ।
- ପଡୋଶୀ ଘରର ଛାତକୁ ଫିଙ୍ଗା ଯାଇଥିବା ବ୍ୟାଗରୁ ବାହାରିଲା ଟଙ୍କା:-
ଏନେଇ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁସାରେ ‘ଓଡ଼ିଶା ଷ୍ଟେଟ ପୋଲିସ ହାଉସିଂ ଓ୍ବେଲଫେୟାର କର୍ପୋରେସନ’ର ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର ସୁଭାଷ ଚନ୍ଦ୍ର ପଣ୍ଡାଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଥିଲା । ଏଥିରେ ୫ ଜଣ ଇନସପେକ୍ଟର ଓ ୭ ଜଣ ଡିଏସପିଙ୍କ ଦ୍ବାରା ଗଠିତ ୫ଟି ଟିମ୍ ୪ଟି ସ୍ଥାନରେ ଏକକାଳୀନ ରେଡ କରିଥିଲେ । ରେଡ ବେଳେ ଭୁବନେଶ୍ବର ସ୍ଥିତ ସୁଭାଷଙ୍କ ଘରୁ ପଡୋଶୀ ଘରର ଛାତକୁ ଏକ ବ୍ୟାଗ ଫିଙ୍ଗାଯାଇଥିଲା । ଯାହାକୁ ଭିଜିଲାନ୍ସ ଟିମ୍ ଜବତ କରି ଯାଞ୍ଚ କରିଥିଲା । ସେଥିରୁ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଥିଲା । ପରେ ଘର ସର୍ଚ୍ଚ ବେଳେ ବିଡା ବିଡା ଟଙ୍କା ଓ ପୁଳା ପୁଳା ସୁନା ଅଳଙ୍କାର, ଭିନ୍ନ ଭିନ୍ନ ରକମର ଗହଣା ସହ ମାଳମାଳ ଦାମୀ ବ୍ରାଣ୍ଡର ମୋବାଇଲ, ଘଣ୍ଟା, ଲ୍ୟାପଟପ ଓ ଅନ୍ୟାନ୍ୟ ସମ୍ପତ୍ତି ସମ୍ପର୍କିତ ଦଲିଲ୍ ଦେଖି ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ତାଜୁବ ହୋଇଯାଇଥିଲେ ।
- ୯୦ ଲକ୍ଷର ସେୟାର ମାର୍କେଟ ନିବେଶ:-
ଘରର ଇଣ୍ଟରିୟର ଡିଜାଇନ, ଆସବାବପତ୍ର ଓ ଗାଡି ସହ ସମ୍ପତ୍ତି ତାଲିକା, ସମସ୍ତ ପ୍ରକାର ଡକୁମେଣ୍ଟ ଯାଞ୍ଚ ପରେ ସେୟାର ବଜାରରେ 89 ଲକ୍ଷ 53 ହଜାର 694 ଟଙ୍କା ନିବେଶର ପ୍ରମାଣ ଭିଜିଲାନ୍ସ ହାତରେ ଲାଗିଛି । ସେହିପରି 25 ଲକ୍ଷ 48 ହଜାର 699 ଟଙ୍କାର ବ୍ୟାଙ୍କ ଜମାରାଶି । ଝିଅ ପାଠ ପଢ଼ାରେ 14 ଲକ୍ଷ 89 ହଜାର 200 ଟଙ୍କା ଖର୍ଚ୍ଚର ହିସାବ, 25 ଲକ୍ଷ 64 ହଜାର 800 ଟଙ୍କା ଇନସୁରାନ୍ସ ବାନ୍ଧିଥିବା ଠାବ ହୋଇଥିବା ସୁଚନା ଦେଇଛି ଭିଜିଲାନ୍ସ ନିର୍ଦ୍ଦେଶାଳୟ ।
- ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ କୋଠା
ଭୁବନେଶ୍ୱର ସମେତ ୪ଟି ପ୍ରମୁଖ ସ୍ଥାନରେ ବାବୁଙ୍କର ବହୁତଳ ବିଲ୍ଡିଂ ଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ଆଇଗିଣିଆ ମହାଦେବ ନଗରର ତିନି ମହଲା ଘର, ମଞ୍ଚେଶ୍ୱର ବିରିମୁଣ୍ଡରେ ଦୁଇ ମହଲା ଘର ସମେତ ବ୍ରହ୍ମପୁରରେ ପୋଲିସ ହାଉସିଂର ଅଫିସ ଏବଂ ବ୍ରହ୍ମପୁର ସ୍ଥିତ ଭଡ଼ା ଘରେ ରେଡ କରିଥିଲା ଭିଜିଲାନ୍ସ । ରେଡ ସମୟରେ ଜଣାପଡିଛି ବାବୁଙ୍କର ଅନେକ ପ୍ଲଟର ରହିଛି । ସେହିପରି ଅନ୍ୟ ସମ୍ପତ୍ତି ବ୍ୟତୀତ ଚଢାଉରେ ନଗଦ 13 ଲକ୍ଷ ଟଙ୍କା ସହ ଏକ କେ.ଜି ସୁନା ଅଳଙ୍କାର ଠାବ ହୋଇଥିବା ମଧ୍ୟ ସୁଚନା ଦିଆଯାଇଛି ।