ପୁରୀ: ରାଜ୍ୟ ବିକାଶ ପାଇଁ 6 ହଜାର 6 ଶହ କୋଟି ଟଙ୍କାର 28 ଟି ଜାତୀୟ ରାଜପଥ ପ୍ରକଳ୍ପକୁ ଉଦଘାଟନ ଓ ଭୂମି ପୂଜନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାଗ ମନ୍ତ୍ରୀ ନୀତିନ ଗଡକରୀ । ନିର୍ବାଚନ ଯେତିକି ପାଖେଇ ଆସୁଥି ଓଡ଼ିଶା ପ୍ରତି ବିଜେପିର ଫୋକସ ସେତିକି ବଢ଼ି ଚାଲିଛି । ଓଡ଼ିଶାରେ ବିଜେପି ସଫଳତା ହାସଲ ନେଇ ଆଶା ରଖିଥିବା ବେଳେ କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ ୬ ହଜାର ୬ଶହ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଭୂମିପୂଜନ ଓ ଲୋକାର୍ପଣ କରିଛନ୍ତି । ପୁରୀ ଶରଧାବାଲି ଠାରେ ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଯୋଗଦେବାର ଥିଲା । କିନ୍ତୁ ନିଜର ପାରିବାରିକ ଅସୁବିଧା ଯୋଗୁ ପୁରୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇନପାରିନଥିଲେ । ନୂଆଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ପୁରୀ ବାସିନ୍ଦାଙ୍କ ଦୀର୍ଘ ଦିନର ଦାବି ସିଦ୍ଧମହାବୀର ରେଳ ଓଭର ବ୍ରିଜ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ । ସେହିପରି ପୁରୀ ସାତପଡ଼ାରୁ ଜହ୍ନିକୁଦା ପାଇଁ ଏକ ସ୍ବତନ୍ତ୍ର ପ୍ରକଳ୍ପ ମାଧ୍ୟମରେ ବ୍ରିଜ ନିର୍ମାଣ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଗଡକରୀ ଘୋଷଣା କରିଥିଲେ । କୃଷ୍ଣପ୍ରସାଦ ବ୍ଳକ ବାସିନ୍ଦା ଏହି ପ୍ରକଳ୍ପ ଦ୍ବାରା ଉପକୃତ ହୋଇପାରିବେ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ପ୍ରକଳ୍ପ ନେଇ ଡିପିଆର ପ୍ରସ୍ତୁତ ହୋଇସାରିଥିବା ବେଳେ ଖୁବଶୀଘ୍ର ଅନ୍ୟାନ୍ୟ କାର୍ଯ୍ୟ ଶେଷ କରାଯାଇ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।
ଅଧିକ ପଢନ୍ତୁ- RajyaSabha: କେବେ ଶେଷ ହେବ କଟକ ସମ୍ବଲପୁର NH ନିର୍ମାଣ କାର୍ଯ୍ୟ, ମନ୍ତ୍ରୀ ଦେଲେ ଫାଇନାଲ ଉତ୍ତର
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଏନଏଚ ୧୬ ଚଣ୍ଡିଖୋଲରୁ ଭଦ୍ରକ ୬ ଲେନ ପ୍ରକଳ୍ପ ଏବଂ ଏନଏଚ ୪୯ ର ବହରାଗୁଡା ସିଂଘରା ଚାରିଲେନ ରାସ୍ତା ତଥା ୨୮ ଶହ ୫କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରିଥିଲେ । ସେହିପରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୨୬ ଟି ଜାତୀୟ ରାଜପଥ ପ୍ରକଳ୍ପର ୨୪୩ କିଲୋମିଟର ୩୮୨୮ କୋଟି ଟଙ୍କା ପ୍ରକଳ୍ପର ଭୂମିପୂଜନ କରିଥିଲେ କେନ୍ଦ୍ରମନ୍ତ୍ରୀ ଗଡକରୀ । ଓଡ଼ିଶାର ଅର୍ଥନୈତିକ ପ୍ରଗତି ପାଇଁ ମୋଦି ସରକାର ସବୁବେଳେ ଓଡ଼ିଶାକୁ ଅଧିକ ଗୁରୁତ୍ଵ ଦେଉଥିବା ବେଳେ ୬ ହଜାର ୬ଶହ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟ ଏହାର ଉଦାହରଣ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ମୋଦି ସରକାରଙ୍କ ଗ୍ୟାରେଣ୍ଟିକୁ କେନ୍ଦ୍ରମନ୍ତ୍ରୀ ଦୋହରାଇବା ସହ ମୋଦି ସରକାର ଯାହା ପ୍ରତିଶ୍ରୁତି ଦିଏ ତାହା ପୂରଣ କରୁଥିବାରୁ ମୋଦିଙ୍କ ପ୍ରତି ଲୋକଙ୍କର ସମର୍ଥନ ଓ ଭଲପାଇବା ବଢ଼ି ଚାଲିଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ ।