ସମ୍ବଲପୁର:ଆସନ୍ତା ଡିସେମ୍ବର 30 ତାରିଖରେ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଗସ୍ତ ସମୟରେ ଶହୀଦ ଛବିଲ ସାଏଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଶାହ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ରେଙ୍ଗାଲିର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ନାଉରୀ ନାଏକ ସୂଚନା ଦେଇଛନ୍ତି l ଶାହଙ୍କ ଗସ୍ତ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛିି l
ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା
ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଡିସେମ୍ବର ୩୦ ତାରିଖରେ ସେ ସମ୍ବଲପୁର ଗସ୍ତରେ ଆସୁଛନ୍ତି । ଏହି ଦିନିକିଆ ଗସ୍ତରେ ସେ ପ୍ରଥମେ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ଦର୍ଶନ କରିବେ । ପରେ କୁଦପାଲିରେ ଥିବା ରକ୍ତତୀର୍ଥ, ସ୍ୱାଧୀନତା ସଂଗ୍ରାମୀ ତଥା ବୀର ସୁରେନ୍ଦ୍ର ସାଏଙ୍କ ଭାଈ ଶହୀଦ ଛବିଲ ସାଏଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ l ଏହାସହ ଏହି କାର୍ଯ୍ୟକ୍ରମରେ ସେ ଛବିଲ ସାଏଙ୍କ ସଂଘର୍ଷପୂର୍ଣ୍ଣ ଜୀବନୀ ଓ ବଳିଦାନ ଉପରେ ଆଧାରିତ ଏକ ପୁସ୍ତିକା ମଧ୍ୟ ଉନ୍ମୋଚନ କରିବେ ବୋଲି ରେଙ୍ଗାଲିର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ନାଉରୀ ନାଏକ ସୂଚନା ଦେଇଛନ୍ତି l
AMIT SHAH SAMBALPUR VISIT (ETV Bharat Odisha) ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
ଶାହଙ୍କ ଗସ୍ତ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଏସଏମସି କମିଶନର ବେଦଭୂଷଣ, ଏସ.ପି. ମୁକେଶ ଭାମୁ ପ୍ରମୁଖ କୁଦପାଲି ଗାଁକୁ ଯାଇ ଗସ୍ତର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି l ଗୃହମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ଆଗକୁ କିଛି ପରିବର୍ତ୍ତନ ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ବିଶେଷ ସୂତ୍ରରୁ ଖବର ମିଳୁଛି l ଏପରିକି ଆସନ୍ତା 28 ତାରିଖରେ ମଧ୍ୟ ଗୃହମନ୍ତ୍ରୀ ଓଡ଼ିଶା ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି, ତେବେ ଏହା ସ୍ପଷ୍ଟ ହୋଇ ପାରିନାହିଁ l
AMIT SHAH SAMBALPUR VISIT (ETV Bharat Odisha) ଏହା ମଧ୍ୟ ପଢନ୍ତୁ-ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସର ବିରୋଧ, ଜବାବ ଦେଲେ ଆଇନମନ୍ତ୍ରୀ - STUDENT CONGRESS PROTEST
ଏହା ମଧ୍ୟ ପଢନ୍ତୁ-ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ, ପ୍ରସ୍ତୁତ ହେବ ପୌର ନିର୍ବାଚନ ରଣନୀତି - AMIT SHAH ODISHA VISIT
ଛବିଲ ସାଏ ବଳିଦାନ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ଶାହ
AMIT SHAH SAMBALPUR VISIT (ETV Bharat Odisha) ସ୍ଥାନୀୟ ଐତିହାସିକଙ୍କ ମତରେ ସମ୍ବଲପୁର ସହରର ସିନ୍ଦୁରପଙ୍କ ନିକଟସ୍ଥ କୁଦୋପାଲି ଜଙ୍ଗଲରେ ଇଂରେଜମାନଙ୍କ ସହ ଲଢେଇ କରି ସୁରେନ୍ଦ୍ର ସାଏଙ୍କ ସାନ ଭାଇ ଛବିଲ ସାଏଙ୍କ ସହ ମୋଟ 53 ଜଣ ସ୍ୱାଧୀନତା ସଂଗ୍ରାମୀ ଗୋଟିଏ ଦିନରେ ଶହୀଦ ହୋଇଥିଲେ l "ବୀର ଛବିଲ ସାଏ ଶହୀଦ ସ୍ମାରକୀ " ର ଆବାହକ ଭାବନିସ ଭୋଇ କହିଛନ୍ତି, "1857 ଡିସେମ୍ବର 30 ତାରିଖ ଦିନ ରକ୍ତତୀର୍ଥ କୁଦୋପାଲିରେ ଇଂରେଜ ମାନଙ୍କ ଗୁଳିରେ 53ଜଣ ଶହୀଦ ହୋଇଥିଲେ l ଆଉ ଯେଉଁ 11 ଜଣ ଇଂରେଜମାନଙ୍କ ହାତରେ ଧରା ପଡ଼ିଥିଲେ ସେମାନଙ୍କ ମଧ୍ୟରୁ 4 ଜଣ ଫାଶୀ ଖୁଣ୍ଟରେ ଝୁଲିଥିଲେ, ତାହା ସହିତ ଜଣେ ଇଂରେଜ ସୈନ୍ୟ ଯିଏ ସୁରେନ୍ଦ୍ର ସାଏଙ୍କୁ ସହାୟତା କରିଥିଲେ ତାଙ୍କୁ ମଧ୍ୟ ଫାଶୀ ହୋଇଥିଲା l ଏମିତି ଦେଖିବାକୁ ଗଲେ ମୋଟ 58 ଜଣ ଗୋଟିଏ ଘଟଣାରେ ଶହୀଦ ହୋଇଛନ୍ତି l"
AMIT SHAH SAMBALPUR VISIT (ETV Bharat Odisha) ଛବିଲ ସାଏଙ୍କ ସ୍ମାରକୀ ପୀଠର ଉନ୍ନତିକରଣ କରିବାକୁ ଦାବି
ଇଂରେଜମାନଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କ ଉପରେ ରୋକ ଲଗେଇବାକୁ କୁଦୋପାଲିରେ ସୁରେନ୍ଦ୍ର ସାଏଙ୍କ ସମର୍ଥକଙ୍କ ଏକ ଘାଟି ଥିଲା l ଏହି ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀଙ୍କ ନେତୃତ୍ୱର ଦାୟିତ୍ୱ ଥିଲା ସୁରେନ୍ଦ୍ର ସାଏଙ୍କ ପଞ୍ଚମ ଭାଇ ଛବିଲ ସାଏଙ୍କ ଉପରେ l ଏହି ଜଙ୍ଗଲ ଉପରେ ରହି ଏହି ସ୍ୱାଧୀନତା ସଂଗ୍ରାମୀମାନେ ଇଂରେଜମାନଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧ କରୁଥିଲେ l 1857 ଡିସେମ୍ବର 30 ତାରିଖରେ ଇଂରେଜମାନେ ଏହି ପାହାଡ଼ ଉପରେ ଅଚାନକ ଆକ୍ରମଣ କରିଥିଲେ l ଏଥିରେ ଗୋଟିଏ ଦିନରେ 53 ଜଣ ଇଂରେଜ ଗୁଳିରେ ଶହୀଦ ହୋଇଥିଲେ l ତେବେ ଏହି ବଳିଦାନ ବିଷୟରେ ଇତିହାସରେ ବର୍ଣ୍ଣିତ ନାହିଁ କି ଏହି ସ୍ଥାନର ଉନ୍ନତିକରଣ ହୋଇନାହିଁ l ତେଣୁ ଏହି ସ୍ଥାନକୁ ଗୃହମନ୍ତ୍ରୀ ଆସିଲେ ଏହାର ଉନ୍ନତି ହେବ ବୋଲି କହିଛନ୍ତି ବୀର ଛବିଲ ସାଏ ଶହୀଦ ସ୍ମାରକୀର ଆବାହକ ଭବାନିସ ଭୋଇ l
AMIT SHAH SAMBALPUR VISIT (ETV Bharat Odisha) ସମ୍ବଲପୁର, ଇଟିଭି ଭାରତ