ପୁରୀ: ନିର୍ବାଚନ ବିଗୁଲ୍ ବାଜିବା ପରେ ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୀତି ପାଣିପାଗ ଏବେ ସରଗରମ ରହିଛି । ବିଜେଡି ଓ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ କିନ୍ତୁ ଘୋଷଣା କରିନାହିଁ । ତେବେ ପୁରୀରୁ ବରିଷ୍ଠ ନେତା ଉମାବଲ୍ଲଭ ରଥଙ୍କୁ କଂଗ୍ରେସ ଟିକଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଉମାବଲ୍ଲଭ ରଥ ମଧ୍ଯ ଟିକେଟ ପାଇଁ ଆବେଦନ କରିଥିବା ବେଳେ ଦଳ ତାଙ୍କୁ ଟିକେଟ ଦେବ ବୋଲି ସେ ଆଶା ରଖିଛନ୍ତି । ତେବେ ଆଗାମୀ ନିର୍ବାଚନରେ ସେ ଲଢ଼ିବେ କି ନାହିଁ, ଯଦି ଦଳୀୟ ଟିକଟ ନ ମିଳିଲା ନିର୍ବାଚନ ରଣାଙ୍ଗନକୁ ଓହ୍ଲେଇ କି ନାହିଁ? ଯଦି ଟିକେଟ ନ ମିଳେ ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ କି ନାହିଁ? ସେ ନେଇ ବରିଷ୍ଠ ନେତା ଉମାବଲ୍ଲଭ ରଥ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ।
ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ଉମା କହିଛନ୍ତି ଯେ, ସେ ଲୋକଙ୍କ ସେବା ପାଇଁ ରାଜନୀତିକୁ ଆସିଛନ୍ତି । ଲୋକଙ୍କ ସମସ୍ୟା, ପୁରୀ ସହରର ଉନ୍ନତି ତାଙ୍କର ମୁଖ୍ୟ ଲକ୍ଷ୍ୟ । ତେଣୁ ଜନସାଧାରଣ, ତାଙ୍କ ଶୁଭେଛୁଙ୍କ ପରାମର୍ଶରେ ସେ ପୁରୀରୁ 2024 ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ ତାଙ୍କୁ ଟିକେଟ ନିଶ୍ଚିତ ଦେବ ବୋଲି ସେ ଆଶା ରଖିଥିବା ଉମା କହିଛନ୍ତି । ଦଳୀୟ ଟିକେଟ ନ ମିଳିଲେ ମଧ୍ୟ ସେ ନିର୍ବାଚନକୁ ଓହ୍ଲାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପରୋକ୍ଷରେ ଉମା କହିଛନ୍ତି । ତେବେ ଦଳର ନିଷ୍ପତ୍ତି ଅନୁଯାୟୀ 2019 ସେ କଟକ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ପୁରୀ ସଦରରେ ବେଦାନ୍ତ ନେଇଥିବା ମୂଲ୍ୟବାନ ଜମି ଆନ୍ଦୋଳନରେ ସୁପ୍ରିମକୋର୍ଟ ତାଙ୍କ ସପକ୍ଷରେ ରାୟ ଦେବା ପରେ ତାଙ୍କ ଶୁଭେଛୁ ତାଙ୍କୁ ପୁରୀ ଆସି ଆଗାମୀ ନିର୍ବାଚନ ଲଢ଼ିବାକୁ ଅନୁରୋଧ ପରେ ସେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ଉମା କହିଛନ୍ତି ।