ମାଲକାନଗିରି:ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଫଳିଛି ଷ୍ଟ୍ରବେରୀ । ବଣ୍ଡା ଜନଜାତିର ଦୁଇ ଭାଇ ଲକ୍ଷ୍ମଣ ମୁଦୁଲି ଓ ମଙ୍ଗଳା ମୁଦୁଲି ବଣ୍ଡାଘାଟିରେ ଷ୍ଟ୍ରବେରୀ ଚାଷ କରି ସଫଳତା ପାଇଛନ୍ତି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାପଡ଼ା ଗାଁର ଦୁଇ ଭାଇ ମିଶି ଏକ ଏକର ଜମିରେ ଫଳାଇଛନ୍ତି ଲାଲ ଟହଟହ ଷ୍ଟ୍ରବେରୀ । ଏହା ଦେଖିବାକୁ ଯେତିକି ସୁନ୍ଦର, ସ୍ବାଦ ମଧ୍ୟ ତାଠୁ ଅଧିକ ନିଆରା । ଓପିଲିପି ପକ୍ଷରୁ ଆର୍ଥିକ ସହାୟତା ସହ ତାଲିମ ନେଇ ଦୁଇ ଭାଇ ଲକ୍ଷ୍ମଣ ଓ ମଙ୍ଗଳା ଏହି ଚାଷ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪୦ ହଜାର ଟଙ୍କାର ଷ୍ଟ୍ରବେରୀ ବିକ୍ରି ହୋଇଥିବା କହିଛନ୍ତି ଚାଷୀ ମଙ୍ଗଳା ମୁଦୁଲି । ଜମିରେ ବର୍ତ୍ତମାନ ଷ୍ଟ୍ରବେରୀ ପାଚି ଆସିଲା ବେଳକୁ ସ୍ଥାନୀୟ ଷ୍ଟ୍ରବେରୀକୁ ଖାଇବା ପାଇଁ ଲୋକେ ବେଶ୍ ଇଚ୍ଛୁକ ହୋଇ ରହିଛନ୍ତି ।
ଓପିଲିପି ପକ୍ଷରୁ ଅତ୍ୟାଧୁନିକ ଚାଷ ପାଇଁ ଆର୍ଥିକ ସହାୟତା ଆସିଥିବା ବେଳେ ଏହି ଦୁଇ ଭାଇ ଚାଷ କରିବାକୁ ଆଗ୍ରହ କରିଥିଲେ । ଓପିଲିପି ପକ୍ଷରୁ ଦୁଇ ଭାଇଙ୍କୁ ଉଚିତ ତାଲିମ ଦେବା ସହ ଚାଷ କରିବା ପ୍ରଣାଳୀ ଶିକ୍ଷା ଦିଆଯାଇଥିଲା । ପରେ ଉଭୟ ନିଜସ୍ବ ଉଦ୍ୟମରେ ପରିବାର ସହ ମିଶି ଏକ ଏକର ଜମିରେ ଫଳାଇଛନ୍ତି ଷ୍ଟ୍ରବେରୀ । ଏହି ସ୍ଥାନରୁ କେହି ଜଦି ଷ୍ଟ୍ରବେରୀ ନେବାକୁ ଆସନ୍ତି ତେବେ ପ୍ୟାକେଟ୍ ପିଛା ୧୦୦ଟଙ୍କା ଦେବାକୁ ପଡିଥାଏ । ଏଠାରୁ ଗୋବିନ୍ଦପାଲ୍ଲି କିମ୍ବା ଖଇରପୁଟ୍ ବଜାରକୁ ନେଇ ବିକ୍ରି କଲେ ପ୍ୟାକେଟ୍ ପିଛା ୧୨୦ ଟଙ୍କାରେ ବିକ୍ରି ହୋଇଥାଏ । ମଙ୍ଗଳାଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ସେ ୪୦ ହଜାର ଟଙ୍କାର ଷ୍ଟ୍ରବେରୀ ବିକ୍ରି କରିସାରିଲେଣି । ବଣ୍ଡା ଜନଜାତିର ଏହି ଦୁଇ ଭାଇଙ୍କ ଏକର ଜମିରେ ଚାଷ ପରେ ଅନ୍ୟ ବଣ୍ଡା ଜନଜାତି ମଧ୍ୟ ଚାଷ କରିବା ପାଇଁ ଆଗ୍ରହୀ ହେଲେଣି ।
ଏହା ମଧ୍ୟ ପଢନ୍ତୁ-ନିୟମଗିରିରେ ଷ୍ଟ୍ରବେରୀ ଚାଷ, ସ୍ବାବଲମ୍ବୀ ହେବେ ଡଙ୍ଗରିଆ