ବ୍ରହ୍ମପୁର: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଗଞ୍ଜାମରେ ଦକ୍ଷିଣାଞ୍ଚଳର ଚାରି ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଗଞ୍ଜାମ, ଗଜପତି,କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ କିଭଳି ରହିଛି ସ୍ଥିତି, ତାହାକୁ ବୈଠକରେ ସମୀକ୍ଷା କରାଯାଇଥିଲା । ମେ ମାସରେ ନିର୍ବାଚନ ରହିଥିବା ବେଳେ ସମସ୍ତଙ୍କୁ ଗରମର ଦାଉରୁ ରକ୍ଷା ପାଇବା ପାଇଁ ନିର୍ବାଚନ କମିଶନଙ୍କ ଅଧିକ ଗୁରୁତ୍ବ ଦେଇଛନ୍ତି ।
ଏହି ଚାରୋଟି ଜିଲ୍ଲାର ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି ଓ ଆଇନ ଶୃଙ୍ଖଳା ପରିସ୍ଥିତିର କିଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମୀକ୍ଷା କରିବା ସହିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଥିଲେ । କିପରି ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହକାରେ ପାଳନ କରାଯିବ ସେ ନେଇ କମିଶନଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା ।
ଚଳିତ ବର୍ଷର ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହିତ ଅବାଧ ଓ ମୁକ୍ତ ନିର୍ବାଚନ ହୋଇପାରିବ ସେଥିପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ତଥା ନିର୍ବାଚନ ପରିଚାଳନା ଅଧିକାରୀମାନଙ୍କୁ ପ୍ରସ୍ତୁତ ହେବାକୁ ଅବଗତ କରାଇଥିଲେ । ଚଳିତ ବର୍ଷ ମେ ମାସରେ ଅନୁଷ୍ଠିତ ହେବାକୁ ରହିଥିବା ନିର୍ବାଚନ ସମୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗରମ ପବନ, ବାତ୍ୟା ଭଳି ବିପଦ ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ଅବଗତ କରାଯାଇଥିଲା । ସେହିପରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନିତ କୌଣସି କ୍ଷୟକ୍ଷତି ହେବ ନାହିଁ, ଜନଜୀବନ ସୁରକ୍ଷିତ ରହିବ ସେଥିପାଇଁ ପୂର୍ବ ପ୍ରସ୍ତୁତି ସହ ଅଧିକ ସଚେତନତା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ବିଶେଷକରି ଭୋଟର, ପୋଲିସ ଏବଂ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ନିର୍ବାଚନ ଅଧିକାରୀ, କର୍ମଚାରୀ ସମସ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଭିତ୍ତିରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଖାଦ୍ୟ, ପାନୀୟଜଳ, ବିଶ୍ରାମ ଦେବା ଦିଗରେ ଯତ୍ନବାନ ହେବା ପାଇଁ କହିଥିଲେ । ଏହି ସଚେତନତା ବିଷୟରେ ନିର୍ବାଚନ ଅଧିକାରୀମାନଙ୍କ ପ୍ରଶିକ୍ଷଣ ସମୟରେ ଏହି ଦିଗରେ ସଚେତନ ରହିବାକୁ ନିର୍ଦ୍ଦେଶ ଦେବାକୁ ପ୍ରବର୍ତ୍ତାଇଥିଲେ । ଭୋଟଗ୍ରହଣ ଦିନ ସେକ୍ଟର ଅଫିସର ମାନେ ଯେତେବେଳେ ଇଭିଏମ୍ ମେସିନ୍ ନେଇ ଭୋଟ ଗ୍ରହଣ କେନ୍ଦ୍ରକୁ ଯିବେ ସେମାନଙ୍କ ସହିତ ଜଣେ ଲେଖାଏଁ ଆର୍ମଡ୍ ପୋଲିସ୍ ଏବଂ ପାରାମେଡିକାଲ ଷ୍ଟାଫ୍ ନିଜ ସହିତ ସମସ୍ତ ଔଷଧ, ଓ.ଆର୍.ଏସ୍. ପ୍ୟାକେଟ ନେଇଯିବେ । ୮୦ ବର୍ଷ ଏବଂ ତଦୁର୍ଦ୍ଧ୍ବ ଭୋଟର, ଭିନ୍ନକ୍ଷମ ଭୋଟର ଯେଉଁମାନେ ଭୋଟଗ୍ରହଣ କେନ୍ଦ୍ରକୁ ନଯାଇ ଭୋଟ ଦେବାକୁ ଇଚ୍ଛା ପ୍ରକାଶ କରନ୍ତି ତେବେ ନିର୍ଦ୍ଧାରିତ ଫର୍ମ ୧୨ (ଖ) ପୂରଣ କରି ବି.ଏଲ୍.ଓ.ଙ୍କୁ ଦେଲେ ସେମାନଙ୍କର ଗୃହକୁ ଯାଇ ଭୋଟ ସଂଗ୍ରହ କରାଯିବାର ବ୍ୟବସ୍ଥା କରାଯିବ ।