ମାଲକାନଗିରି:ଘରୋଇ ହଷ୍ଟେଲରୁ ମିଳିଲା ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ । ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଭି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏକ ପ୍ରାଇଭେଟ ଟ୍ୟୁଟରାଲ୍ ହଷ୍ଟେଲରେ ରହି ପାଠ ପଢୁଥିବା ୧୧ ବର୍ଷୀୟ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ହଷ୍ଟେଲ ପରିଚାଳକଙ୍କ କହିବା ଅନୁଯାୟୀ, ହଷ୍ଟେଲ ପରିସରରେ ଥିବା ଏକ ଶୌଚାଳୟ ଭିତରୁ ଝୁଲନ୍ତା ଅବସ୍ଥାରେ ନାବାଳିକା ଛାତ୍ରୀଙ୍କ ମୃତଦେହ ମିଳିଥିଲା ।
ମୃତ ଛାତ୍ରୀ ଜଣକ ହେଲେ କମଳା ମଣ୍ଡଳ । କମଳାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ହଷ୍ଟେଲ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଛାତ୍ରୀଙ୍କର ଘର କାଲିମେଳା ଥାନା ଅନ୍ତର୍ଗତ ଏମପିଭି ୧୩୦ ଗ୍ରାମରେ । ସେ ଜୁନ୍ ୨୦୨୩ରୁ ଏଠାରେ ରହି ପାଠ ପଢୁଥିଲେ । ତେବେ ୧୧ ବର୍ଷର ନାବାଳିକା ଛାତ୍ରୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାରଲୋକେ । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ ସତ ସାମ୍ନାକୁ ଆସିବ ।