ଖୋର୍ଦ୍ଧା:ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ମଇଦାନକୁ ଓହ୍ଲାଇଛନ୍ତି ନେତା । ଏହି କ୍ରମରେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ମଧ୍ୟ ନିର୍ବାଚନ ଆରମ୍ଭ କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ନିଜ ଗାଁ କୁଶମାଟି ଛଣଘର ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । କଂଗ୍ରେସରୁ ବର୍ତ୍ତମାନ ସୁଦ୍ଧା ଟିକେଟ ମିଳିନଥିଲେ ହେଁ ପ୍ରଚାର ଆରମ୍ଭ କରିଛନ୍ତି । ତାଙ୍କ ବାପା ଅର୍ଥାତ ସୁର ରାଉତରାୟ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିବା ପରେ ପୁଅ ବର୍ତ୍ତମାନ ପ୍ରଚାର ଆରମ୍ଭ କରିଛନ୍ତି । କିନ୍ତୁ ଦଳ ତାଙ୍କୁ ଟିକେଟ ଦେବ କି ନାହିଁ ତାହା ଆଶା ଆଶଙ୍କାରେ ରହିଯାଇଛି ।
ସିଦ୍ଧାର୍ଥ ରାଉତରାୟ ତାଙ୍କ ସମର୍ଥକଙ୍କ ଗହଣରେ ଗାଁ ସାରା ବୁଲି ସାଧାରଣ ଲୋକଙ୍କୁ ପ୍ରଚାର ପତ୍ର ବାଣ୍ଟିଛନ୍ତି । ଏଥର ସେ ଜଟଣୀ ବିଧାନସଭା ଆସନ ପାଇଁ ନିର୍ବାଚନ ଲଢ଼ିବେ ଓ ତାଙ୍କୁ ଭୋଟ ଦେବା ଲାଗି ସେ ଗ୍ରାମବାସୀଙ୍କୁ ନିବେଦନ କରିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କୁ ସିଦ୍ଧାର୍ଥ କହିଛନ୍ତି, ଜଟଣୀ ନିର୍ବାଚନ ମଣ୍ଡଳୀ ତାଙ୍କ ପିତା ସୁରେଶ ରାଉତରାୟଙ୍କ ପାରମ୍ପରିକ ଆସନ ଓ ଏହା କଂଗ୍ରେସର ଗଡ଼ । ଗତ ନିର୍ବାଚନରେ ସାରା ରାଜ୍ୟରେ ବିଜେଡିର ହାୱା ସତ୍ତ୍ଵେ ତାଙ୍କ ପିତା ଏଠାରୁ ନିର୍ବାଚିତ ହୋଇଥିଲେ । ତାଙ୍କ ପିତା ତଥା କଂଗ୍ରେସର ପାରମ୍ପରିକ ଆସନକୁ ବଜାୟ ରଖିବା ଲାଗି ମୁଁ ଉଦ୍ୟମ କରୁଛି । ଦଳୀୟ ଟିକଟ ପାଇବା ଲାଗି ମୁଁ ପିସିସି(ପ୍ରଦେଶ କଂଗ୍ରେସ କମିଟି)କୁ ଆବେଦନ କରିଛି ।"