କୋରାପୁଟ:ଜାତୀୟ ସ୍ତରରେ ପୁରସ୍କାର ହାତେଇଛି କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର 'ଦାଦାଜି କା ଥେଲା' । ମେଘାଳୟର ଶିଲଂ ଠାରେ ଆୟୋଜିତ ଦୁଇ ଦିବସୀୟ ଅଖିଳ ଭାରତୀୟ ଶିଶୁ ଇ-ଶିକ୍ଷଣ ପ୍ରତିଯୋଗିତା (AICEeCC)ରେ ଭାଗ ନେଇ ଶ୍ରେଷ୍ଠ ଚଳଚ୍ଚିତ୍ର ରୂପେ ବିବେଚିତ ହୋଇଛି । ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ପ୍ଲାଷ୍ଟିକ ପ୍ରଦୂଷଣ ଉପରେ ପର୍ଯ୍ୟବେସିତ ଥିବା ବେଳେ ବର୍ତ୍ତମାନ ଜାତୀୟ ସ୍ତରରେ ପୁରସ୍କୃତ ହୋଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛି ।
ମେଘାଳୟର ଶିଲଂ ଠାରେ ସିଆଇଇଟି, ଏନସିଆରଟି, ନୂଆ ଦିଲ୍ଲୀ ଦ୍ଵାରା ଆୟୋଜିତ ଅଖିଳ ଭାରତୀୟ ଶିଶୁ ଇ-ଶିକ୍ଷଣ ପ୍ରତିଯୋଗିତା ୨୦୨୩-୨୪ ଆୟୋଜିତ ହୋଇଥିଲା । ଦୁଇ ଦିବସୀୟ ଏହି ପ୍ରତିଯୋଗିତାରେ କୋରାପୁଟର ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ଏଥିରେ ଭାଗ ନେଇଥିଲା । ଏହି ସମୟରେ ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାଶଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକଙ୍କ ଦ୍ଵାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର (ହିନ୍ଦୀ) 'ଦାଦାଜି କା ଥେଲା' ପ୍ରଦର୍ଶିତ ହୋଇଥିବା ବେଳେ ଉଚ୍ଚ ପ୍ରଶଂସିତ ହୋଇଛି । ଏଥିସହ ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ପୁରସ୍କାର ହାତେଇଛି ।
ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ପ୍ଲାଷ୍ଟିକ ପ୍ରଦୂଷଣ ଉପରେ ପର୍ଯ୍ୟବେସିତ ଥିବା ବେଳେ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟ ବ୍ୟାନରରେ ନିର୍ମିତ ହୋଇଛି । ଏଥିସହ ଏହି ଚଳଚ୍ଚିତ୍ର ଶିକ୍ଷକ ତରୁଣ କୁମାର ଦାଶଙ୍କ ଦ୍ଵାରା ରଚିତ ଓ ନିର୍ଦ୍ଦେଶିତ ହୋଇଛି । ତେବେ ନିଜ ରଚିତ ଏହି କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଶିକ୍ଷକ ତରୁଣ ଦାଶ ମେଘାଳୟ ଶିକ୍ଷାମନ୍ତ୍ରୀ ଓ ଏନସିଆରଟି ନିର୍ଦ୍ଦେଶକଙ୍କ ଠାରୁ ମାନପତ୍ର ସହ ଉପଢୌକନ ପ୍ରାପ୍ତ କରିଛନ୍ତି ।
ଏହି ଚଳଚ୍ଚିତ୍ରଟିରେ ଶିକ୍ଷକ ତଥା ସହ-ଲେଖକ ଲିଛମନ ରାମ ଓ ବିଦ୍ୟାଳୟର ପୁରାତନ ଛାତ୍ର ଆୟୁଷ ଦାଶ ଚିତ୍ର ଉତ୍ତୋଳନ, ସମ୍ପାଦନ ଏବଂ ଧ୍ଵନୀ ସଂଯୋଜନା କରିଥିବା ବେଳେ ଶିକ୍ଷକ ଡାୟମଣ୍ଡ ସେଠ, ସନ୍ତୋଷ ସିଂହ ଖୁଣ୍ଟିଆ ସମେତ ଛାତ୍ର ପ୍ରୟାସ ଜେନା, ଭି ଗୌତମ ଅଭିଶୁମତ, ଛାତ୍ରୀ ରୁହାନୀ ରୀତ ଦାଶ ଓ ଡ଼ିମ୍ପଲ କୁମାରୀ ଅଭିନୟ କରିଛନ୍ତି । ବିଦ୍ୟାଳୟର ଏହି ଉପଲବ୍ଧି ରେ ଶିକ୍ଷକ ଶ୍ରୀ ଦାଶ, ଶ୍ରୀ ଲିଛମନ ଓ ଶ୍ରୀ ସେଠ ଙ୍କ ନିରନ୍ତର ସହଯୋଗ ଓ ମାର୍ଗଦର୍ଶନ ବଳରେ ଛାତ୍ରଛାତ୍ରୀ ଏପରି ଉତ୍କର୍ଷ ପ୍ରଦର୍ଶନ କରିପାରିଥିବା ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କମାନୁ ମତପ୍ରକାଶ କରିଛନ୍ତି ।