କେନ୍ଦ୍ରାପଡା:ଆଳି ବ୍ଲକ ମାଣିକପାଟଣା ପଞ୍ଚାୟତରେ ବ୍ୟାପିଛି ଅଜଣା ରୋଗ । ଯାହାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗାଁ ଛାଡି ଅନ୍ୟତ୍ର ଲୋକେ ପଳାଉଥିବା ଦେଖିବାକୁ ମିଳିଛି । 13ର ନମ୍ବର ୱାର୍ଡର ପ୍ରାୟ ଶହେ ପରିବାର ବସବାସ କରୁଥିବା ବେଳେ 90 ପରିବାର ଏବେ ଅଜଣା ରୋଗରେ ଆକ୍ରାନ୍ତ । ରୋଗରେ ଆକ୍ରାନ୍ତ ହେଉଥିବା ଲୋକ ମାନଙ୍କୁ ପ୍ରଥମେ ଜ୍ଵର ହେବା ସହିତ ଆଣ୍ଠୁଗଣ୍ଠି ଦରଜ,ଗୋଡ଼ ହାତ ଫୁଲି ଯିବା ସହ ନାକ କଳା ପଡାଯାଉଛି । ବୟସ୍କ ବ୍ୟକ୍ତି ଓ ଯୁବକ ମାନେ ଏଥିରେ ଆକ୍ରାନ୍ତ ହେବା ପରେ ଚାଲିବା ମଧ୍ୟ ମୁସକିଲ ହୋଇପଡିଛି ।
ଅଜଣା ରୋଗର ଲକ୍ଷଣ:
ଏନେଇ ଖବର ପାଇ ଆଳି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ମାଣିକପାଟଣା ଗାଁରେ ସ୍ୱାସ୍ଥ୍ୟ କ୍ୟାମ୍ପ କରାଯାଇ ରକ୍ତ ନମୁନା ସଂଗ୍ରହ କରାଯାଉଛି । କିଛି ଆକ୍ରାନ୍ତ ଭୁବନେଶ୍ୱର କଟକ ଯାଇ ଚିକିତ୍ସିତ ହେଉଛନ୍ତି । ଅଜଣା ରୋଗ ଭୟରେ ଅନ୍ୟ ୱାର୍ଡ ଲୋକମାନେ ମଧ୍ୟ ଏହି ୱାର୍ଡକୁ ଆସୁନଥିବା ଦେଖିବାକୁ ମିଳିଛି । ରୋଗରେ ଆକ୍ରାନ୍ତ ସନ୍ତୋଷ ସ୍ବାଇଁଙ୍କ ଅନୁଯାୟୀ,"ଆଜକୁ 18 ଦିନ ହେବ ଜ୍ୱର ହୋଇଛି, 5ଥର ଇଂଜେକସନ ନେଇ ସାରିଲିଣି । ଇଂଜେକସନ ନେବାର ଦୁଇଦିନ ପର୍ଯ୍ୟନ୍ତ ଶରୀର ଠିକ ରହୁଛି କିନ୍ତୁ ତାପରେ ପୁଣି ଜ୍ବର ଫେରୁଛି । ପ୍ରଥମେ ଜ୍ୱର ହେଉଛି, ଏହାପରେ ଦେହ ହାତ କୁଣ୍ଡାଇ ହେଉଛି । ନିକଟସ୍ଥ ମେଡ଼ିସିନ ଦୋକାନ ଏବଂ ମେଡିକାଲରୁ ଔଷଧ ଖାଇଲେ ଦୁଇଦିନ ପର୍ଯ୍ୟନ୍ତ ଦେହ ଠିକ ରହୁଛି କିନ୍ତୁ ସମ୍ପୂର୍ଣ୍ଣ ଭଲ ହେଉନାହିଁ । ନାକ ଉପରେ କଳା ଚିହ୍ନ ହୋଇଯାଉଛି । ଅଏଣ୍ଟମେଣ୍ଟ ଲଗାଇଲେ ମଧ୍ୟ ଭଲ ହେଉନାହିଁ।ଚାଲିବା ବେଳେ ଆଣ୍ଠୁ ଗଣ୍ଠି ବହୁତ ଯନ୍ତ୍ରଣା ହେଉଛି ଏବଂ ପାଦ ତଳେ ରଖି ହେଉନାହିଁ । ବାଡ଼ି ସାହାଯ୍ୟରେ ବାଟ ଚାଲିବାକୁ ପଡୁଛି ଓ ଗାଁର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଲୋକେ ଏଭଳି ଅଜଣା ରୋଗରେ ପୀଡିତ ହୋଇଛନ୍ତି । ''
ଏହା ମଧ୍ୟ ପଢନ୍ତୁ-ମାଲକାନଗିରିରେ ମୁଣ୍ଡ ନେଉଛି ଅଜଣା ରୋଗ, ୧୦ ଦିନରେ ଗଲାଣି ୭ ଜୀବନ