ଓଡିଶା

odisha

ETV Bharat / state

ମହଙ୍ଗା ପଡ଼ିଲା ବାତ୍ୟା ଦାୟିତ୍ବରେ ଅବହେଳା, ୬ ସରକାରୀ କର୍ମଚାରୀ ସସପେଣ୍ଡ

ବାତ୍ୟା ଦାନା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଦାୟିତ୍ବରେ ଅବହେଳା ପ୍ରଦର୍ଶନ । ୫ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜଣେ ରାଜସ୍ବ ନିରୀକ୍ଷକ ଚାକିରିରୁ ନିଲମ୍ବିତ (ସସପେଣ୍ଡ) ।

ବାତ୍ୟା ଦାୟିତ୍ବରେ ଅବହେଳା, କେନ୍ଦ୍ରାପଡାର ୬ ଅଧିକାରୀ ନିଲମ୍ବିତ
ବାତ୍ୟା ଦାୟିତ୍ବରେ ଅବହେଳା, କେନ୍ଦ୍ରାପଡାର ୬ ଅଧିକାରୀ ନିଲମ୍ବିତ (ETV Bharat Odisha)

By ETV Bharat Odisha Team

Published : 4 hours ago

Updated : 3 hours ago

ଭୁବନେଶ୍ବର:ବାତ୍ୟା ‘ଦାନା’ ମୁକାବିଲା ଦାୟିତ୍ବରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ 5ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଓ ଜଣେ ରାଜସ୍ବ ନିରୀକ୍ଷକ (ଆରଆଇ)ଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଆଉ କିଛି ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟରେ ଅବହେଳା ଅଭିଯୋଗ ଆସିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସେହିପରି ଆସନ୍ତା ଦୁଇ ଦିନ ମଧ୍ୟରେ ବାତ୍ୟା କ୍ଷୟକ୍ଷତିର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଆଯିବ ବୋଲି ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

  • ବାତ୍ୟା ପରେ ଏବେ ବର୍ଷା ସ୍ଥିତି ଚିନ୍ତାଜନକ

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି," ବାତ୍ୟା ପରେ ଲାଗି ରହିଥିବା ବର୍ଷା ସ୍ଥିତି ଏବେ ଚିନ୍ତା ବଢ଼ାଇଛି । ପୁନରୁଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ହୋଇଛି, କିନ୍ତୁ ବିଦ୍ୟୁତ ସଂଯୋଗ କାର୍ଯ୍ୟରେ ବିଳମ୍ବ ହେଉଛି । ଅଧିକାରୀ, ଜନସାଧାରଣଙ୍କ ସହଯୋଗରୁ ଜିରୋ-କାଜୁଆଲିଟି ମିଶନ ସଫଳ ହୋଇଛି । ମଣିଷ ସହ ପଶୁ ସମ୍ପଦଙ୍କୁ ରକ୍ଷା କରାଯାଇଛି । 2,200ରୁ ଅଧିକ ପ୍ରସବ ସୁରକ୍ଷିତ ଭାବେ ହୋଇଛି । ଭିତରକନିକାରେ ହେନ୍ତାଳବଣ ନଥିଲେ ବାତ୍ୟାର ପ୍ରକୋପ ଅଧିକ ହୋଇଥାନ୍ତା । କେନ୍ଦ୍ରାପଡାର ଆଶା ଦିଦି ଇତିହାସ ରଚିଲେ । ଆହୁରି ଅନେକ ଏମିତି ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିଛନ୍ତି ।’’

ବାତ୍ୟା ମୁକାବିଲା ଦାୟିତ୍ବରେ ଅବହେଳା ପାଇଁ କେନ୍ଦ୍ରାପଡାର ୬ ଅଧିକାରୀ ନିଲମ୍ବିତ (ETV Bharat Odisha)
  • ବାତ୍ୟା ଦାୟିତ୍ବରେ ଅବହେଳାକାରୀ ଅଧିକାରୀଙ୍କୁ କ୍ଷମା ନାହିଁ:-

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,‘‘ବାତ୍ୟା ସମୟରେ ଯେଉଁ କାର୍ଯ୍ୟ ଦିଆଯାଇଥିଲା ସେଥିରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଲୋକଙ୍କ ସହ ଖରାପ ବ୍ୟବହାର ନେଇ ଅଭିଯୋଗ ଆସିଛି । ଏନେଇ ଅନେକ ଅଭିଯୋଗ ହସ୍ତଗତ ହୋଇଛି । ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । କାର୍ଯ୍ୟରେ ଖିଲାପକାରୀଙ୍କୁ କ୍ଷମା ନାହିଁ । ବାତ୍ୟା କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା 6 ଅଧିକାରୀ ନିଲମ୍ବିତ ହୋଇଛନ୍ତି ।

  • ୫ ପିଇଓ, ଜଣେ ଆରଆଇ ନିଲମ୍ବିତ

5 ଜଣ ‘ପିଇଓ’ ଓ ଜଣେ ଆରଆଇଙ୍କୁ ସରକାର ନିଲମ୍ବନ କରିଛନ୍ତି । ସମସ୍ତ ନିଲମ୍ବିତ ଅଧିକାରୀ କେନ୍ଦ୍ରାପଡାରେ କାର୍ଯ୍ୟରତ ଅଛନ୍ତି । ସେମାନେ ହେଉଛନ୍ତି ଆଳି ପଞ୍ଚାୟତ ସମିତିର ପିଇଓ ସନ୍ଧ୍ୟା ପ୍ରଧାନ, ଗଦରପୁର ପଞ୍ଚାୟତ ସମିତିର ପିଇଓ ଜସ୍ମିନ ସୋରେନ, ପିଇଓ ସଞ୍ଜୟ ପ୍ରଧାନ, ରାଜନଗର ପଞ୍ଚାୟତ ସମିତିର ପିଇଓ ଅଶୋକ ପ୍ରଧାନ, ପିଇଓ ବିଜୟ କୁମାର ସେଠୀ ଓ ରାଜନଗର ତହସିଲର ଆରଆଇ ବିଜୟ କୁମାର ଜେନା । ଆଉ କିଛି ଅଧିକାରୀଙ୍କ ବିରୋଧରେ ମଧ୍ୟ ଆସିଛି କାର୍ଯ୍ୟରେ ଅବହେଳା ଅଭିଯୋଗ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁମାନେ ଭଲ କାର୍ଯ୍ୟ କରିଛନ୍ତି ପୁରସ୍କୃତ ହେବେ ।

  • ଚୂଡାନ୍ତ ରିପୋର୍ଟ ପରେ ମିଳିବ କ୍ଷତିପୂରଣ

ମନ୍ତ୍ରୀ ପୂଜାରୀକହିଛନ୍ତି, ‘‘ବାତ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି । ଚୂଡାନ୍ତ ଆକଳନ ରିପୋର୍ଟ ଆସିବା ପରେ କ୍ଷତିପୂରଣ ଦେବା ଆରମ୍ଭ କରିବୁ । ଏଥିପାଇଁ 7ଦିନ ଟାର୍ଗେଟ ରଖିଛୁ । ବାତ୍ୟା ପୂର୍ବ ପ୍ରସ୍ତୁତି, ବାତ୍ୟା ସମୟରେ ସଠିକ ପଦକ୍ଷେପ ନେଇଛୁ । ବାତ୍ୟା ପରବର୍ତ୍ତୀ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ । ପୁନରୁଦ୍ଧାର କାର୍ଯ୍ୟ ଜାରୀ ରହିଛି । ଲୋକଙ୍କୁ ଥଇଥାନ ସହ କ୍ଷୟକ୍ଷତି ପ୍ରଦାନ କାମରେ ଲାଗିବୁ । ନିଖୁଣ ସର୍ଭେ ପାଇଁ ଜିଲ୍ଲାପାଳମାନଙ୍କ ସହ 4ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

  • ୪ ବିଭାଗ କରିବେ କ୍ଷୟକ୍ଷତି ଆକଳନ

ରାଜସ୍ୱ, କୃଷି, ସମବାୟ ଓ ପରିସଂଖ୍ୟାନ ବିଭାଗ କାର୍ଯ୍ୟ ଆରମ୍ଭ କରିବେ । ଯାହାର କ୍ଷୟକ୍ଷତି ହୋଇଛି ଯେମିତି ବାଦ ନପଡିବେ ସେନେଇ ନଜର ରହିବ । 2ଟି ଟାୱାର ନଷ୍ଟ ହୋଇଛି । ସାପ କାମୁଡ଼ାରେ ଗୋଟିଏ ଗାଈର ମୃତ୍ୟୁ ହୋଇଛି । ଚୋରି କିମ୍ବା ଅସଦାଚରଣ ରିପୋର୍ଟ ଆସିନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ପାଗ ଖରାପ, ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ ବାତିଲ୍‌

ଏହା ବି ପଢନ୍ତୁ- DANA LANDFALL LIVE UPDATES: ଦୁର୍ବଳ ହେଲା 'ଦାନା', ଭଦ୍ରକରେ ସର୍ବାଧିକ କ୍ଷତି, ବାତ୍ୟା ଅଞ୍ଚଳ ପରିଦର୍ଶନ କରିପାରନ୍ତି ମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ- ଅସହାୟଙ୍କ ଆଶାର କିରଣ ଆଶା କର୍ମୀ 'ଶିବାନୀ', ୭ ବୁଦ୍ଧାଙ୍କୁ କାନ୍ଧେଇ ନେଲେ ବାତ୍ୟା ଆଶ୍ରୟସ୍ଥଳୀ

  • କ୍ଷୟକ୍ଷତି ରିପୋର୍ଟ ପଠାଯିବା ପରେ ଆସିବ କେନ୍ଦ୍ରୀୟ ଟିମ୍‌

ମନ୍ତ୍ରୀ କହିଛନ୍ତି, ବାତ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ଦୁଇ ଦିନ ମଧ୍ୟରେ କେନ୍ଦ୍ରକୁ ପଠାଯିବ । ଚୂଡାନ୍ତ ରିପୋର୍ଟ 7 ଦିନ ଭିତରେ ପଠାଯିବ । କେନ୍ଦ୍ରରୁ ଏକ ଟିମ ଆସିବ୍‌ । କ୍ଷୟକ୍ଷତିର ଆକଳନ ପାଇଁ ଉକ୍ତ ଟିମ ଆସିବ । କେନ୍ଦ୍ର ସହ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି । ପାଗ ଠିକ ହେଲେ ସେମାନେ ଆସିବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେବ । କେନ୍ଦ୍ର କ୍ଷୟକ୍ଷତି ଅର୍ଥ ଦେବା ପୂର୍ବରୁ ରାଜସ୍ୱ ବିଭାଗ ପାଖରେ ଥିବା ଅର୍ଥ ଲୋକଙ୍କୁ କ୍ଷତିପୂରଣ ଆକାରରେ ପ୍ରଦାନ କରାଯିବ । 22 ଲକ୍ଷ ଲୋକଙ୍କୁ ବିଜୁଳି ସଂଯୋଗ ସରିଲାଣି । ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସଂଯୋଗ ସମ୍ପୂର୍ଣ୍ଣ ହେବ । 7 ଦିନ ପର୍ଯ୍ୟନ୍ତ ରିଲିଫ ସେଣ୍ଟରରେ ଲୋକ ରହିବା ପାଇଁ ବ୍ୟବସ୍ଥା ହୋଇଛି । ପଶୁମାନଙ୍କୁ ଭ୍ୟାକସିନ୍‌ ପାଇଁ ବ୍ୟବସ୍ଥା ହୋଇଛି । ବନ୍ୟା ପାଇଁ ବୁଢାବଳଙ୍ଗ ନଦୀ ଉପରେ ନଜର ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 3 hours ago

ABOUT THE AUTHOR

...view details