ଓଡିଶା

odisha

ETV Bharat / state

ଶିମିଳିପାଳରେ ପୁଣି ସକ୍ରିୟ ଶିକାରୀ: ୨୩ଟି ଦେଶୀ ବନ୍ଧୁକ ଜବତ, ୮ ଗିରଫ - poacher arrested from Similipal

Raid in Similipal: ମୟୂରଭଞ୍ଜ ଜିଲ୍ଲା ପୋଲିସକୁ ବଡ଼ ସଫଳତା । ଶିମିଳିପାଳ ଅଭୟାରଣ୍ୟରେ ଚଢ଼ାଉ ପରେ ୮ ଶିକାରୀ ଗିରଫ, ୨୩ ବନ୍ଧୁକ ଜବତ । ଅଧିକ ପଢ଼ନ୍ତୁ

ଶିମିଳିପାଳରେ ପୁଣି ସକ୍ରିୟ ଶିକାରୀ
ଶିମିଳିପାଳରେ ପୁଣି ସକ୍ରିୟ ଶିକାରୀ

By ETV Bharat Odisha Team

Published : Jan 20, 2024, 7:15 AM IST

ମୟୂରଭଞ୍ଜ: ପୁଣି ଶିମିଳିପାଳ ଅଭୟାରଣ୍ୟରେ ମାତିଛନ୍ତି ଶିକାରୀ । ଅଭୟାରଣ୍ୟର ପାଦଦେଶରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ୮ ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ୨୩ଟି ଦେଶୀ ବନ୍ଧୁକ ଜବତ କରିଛି । ପୁଣିଥରେ ମୟୂରଭଞ୍ଜ ଜିଲ୍ଲା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା । ଶିମିଳିପାଳ ଅଭୟାରଣ୍ୟ ଓ ଏହାର ପାଦଦେଶରେ ଶିକାରୀ ସକ୍ରିୟ ହେବା ପରେ ମୟୂରଭଞ୍ଜ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯାଇଛି । ବିଭିନ୍ନ ସମୟରେ ଶିମିଳିପାଳ ଅଭୟାରଣ୍ୟରୁ ଦେଶୀ ବନ୍ଧୁକ ଜବତ କରାଯାଉଥିବା ବେଳେ ପୁଣି ଗତ ଦୁଇ ମାସ ନଭେମ୍ବର ଓ ଡିସେମ୍ବର ମାସ ମଧ୍ୟରେ ଏକାଧିକ ଦେଶୀ ବନ୍ଧୁକ ଜବତ କରିଛି ମୟୂରଭଞ୍ଜ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଏସ୍‌ପି ଏସ୍‌ ସୁଶ୍ରୀ ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର ଥାନା, ଶରତ, କରଞ୍ଜିଆ, ଯଶିପୁର, ଉଦଳା, କପ୍ତିପଦା, ବଡ଼ସାହି, ଖୁଣ୍ଟା ଓ ଠାକୁରମୁଣ୍ଡା ଥାନା ଅଧିନସ୍ଥ ଶିମିଳିପାଳ ପାଦଦେଶ ଗୁଡିକରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହିସବୁ ଥାନା ଅଧିନସ୍ଥ ଅଞ୍ଚଳ ଗୁଡିକରୁ ପୋଲିସ ୮ ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ୨୩ଟି ଦେଶୀ ବନ୍ଧୁକ ଜବତ କରିଛି । ଉଦଳା ଥାନା ପୋଲିସ ୫ଟି ଦେଶୀ ବନ୍ଧୁକ, ବଡ଼ସାହି ପୋଲିସ ୩ଟି ଦେଶୀ ବନ୍ଧୁକ, ଖୁଣ୍ଟା ପୋଲିସ ୮ଟି ଦେଶୀ ବନ୍ଧୁକ, କପ୍ତିପଦା ଥାନା ପୋଲିସ ୨ଟି ଦେଶୀ ବନ୍ଧୁକ ଏବଂ ବାରିପଦା ସଦର, ଶରତ, କରଞ୍ଜିଆ, ଯଶିପୁର ଓ ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଗୋଟିଏ ଲେଖାଏଁ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ତେବେ ଜିଲ୍ଲାର ଉକ୍ତ ୯ଟି ଥାନାରେ ୧୪ଟି ମାମଲା ରୁଜୁ କରାଯାଇଥିବା ମୟୂରଭଞ୍ଜ ଏସ୍‌ପି ସୂଚନା ଦେଇଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ଗୁଳିକାଣ୍ଡ ଘଟଣା ପରେ ପରେ ପ୍ରଥମ ପର୍ଯ୍ୟାୟରେ ୧୬୫ଟି ବନ୍ଧୁକ ଓ ଦ୍ବିତୀୟ ପର୍ଯ୍ୟାୟରେ ୭୧ଟି ବନ୍ଧୁକ ଜବତ କରିଥିଲା ମୟୂରଭଞ୍ଜ ପୋଲିସ । ଏବେ ପୁଣି ତୃତୀୟ ପର୍ଯ୍ୟାୟରେ ୨୩ଟି ଦେଶୀ ବନ୍ଧୁକ ଜବତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଆଜିଠୁ ଶିମିଳିପାଳ ଜଗିବ ୧୪ ସ୍ବତନ୍ତ୍ର ଗାଡ଼ି, ରହିଛି ଜିପିଏସ ଲୋକେସନ ଟ୍ରାକର

ସୂଚନାଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଦୁଇଜଣ ବନ କର୍ମଚାରୀ ମୃତ୍ୟୁ ବରଣ କରିବା ପରେ ଆକ୍ସନ ମୋଡ୍‌କୁ ଆସିଥିଲା ମୟୂରଭଞ୍ଜ ପୋଲିସ । ପୋଲିସ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟରେ ସର୍ଚ୍ଚ ଅପରେସନ ଜୋରଦାର କରାଯିବା ସହିତ ପାଦଦେଶ ଗୁଡ଼ିକରୁ ବନ୍ଧୁକ ସମର୍ପଣ କରିବା ପାଇଁ ଗାଁ ଲୋକଙ୍କୁ ନିବେଦନ କରାଯାଇଥିଲା । ପରେ ପରେ ବିପୁଳ ପରିମାଣରେ ଦେଶୀ ବନ୍ଧୁକ ଶିମିଳିପାଳ ପାଦଦେଶରେ ଥିବା ଲୋକେ ପୋଲିସ ନିକଟରେ ସମର୍ପଣ କରିଥିଲେ । ଏଥି ସହିତ ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷିତ ରଖିବା ପାଇଁ ପୋଲିସ ଓ ବନବିଭାଗର ମିଳିତ ଟାସ୍କ ଫୋର୍ସ ଗଠନ କରାଯାଇ ଶିମିଳିପାଳକୁ ସୁରକ୍ଷା ପ୍ରଦାନ କରାଯାଉଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details