ଓଡିଶା

odisha

ETV Bharat / state

ଆସିଲା ଅଲିଭ ରିଡଲେ କଇଁଛ ସଙ୍ଗମ-ଅଣ୍ଡାଦାନ ଋତୁ, ସମୁଦ୍ରରେ ୭ ମାସ ମାଛ ମରା ଓ ଟ୍ରଲର କଟକଣା

ବିରଳ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଓଡ଼ିଶା ସରକାରଙ୍କ ପଦକ୍ଷେପ । ଧାମରା ଓ ଗହୀରମଥାରୁ ଋଷିକୂଲ୍ୟା ଉପକୂଳ ଯାଏଁ ସମୁଦ୍ରରେ ଟ୍ରଲର ଚଳାଚଳ ଓ ମାଛ ମରା ଉପରେ କଟକଣା ।

OLIVE RIDLEY TURTLE
OLIVE RIDLEY TURTLE (ETV Bharat Odisha)

By ETV Bharat Odisha Team

Published : Nov 1, 2024, 9:43 PM IST

Updated : Nov 2, 2024, 10:16 AM IST

କେନ୍ଦ୍ରାପଡ଼ା/ପୁରୀ :ବିରଳ ଅଲିଭ ରିଡଲେ କଇଁଛଙ୍କ ଆଗମନ ଋତୁ ଆସିଛି । ଉପକୂଳ ଓଡ଼ିଶାର ବିଭିନ୍ନ ନଦୀମୁହାଣ ବେଳାଭୂମିରେ ବସା କରିବେ କଇଁଛ । ଏହି ବସାରେ ଅଣ୍ଡା ଦେଇ ଛୁଆ ଜନ୍ମ ହେବା ପରେ ପୁଣି ସମୁଦ୍ରକୁ ଫେରିଯିବେ ଅଲିଭ ରିଡ଼ଲେ । ଏହି ବିରଳ କଇଁଛଙ୍କ ଆଗମନ କିଭଳି ସୁରକ୍ଷିତ ରହିବ ସେ ନେଇ ପ୍ରତିବର୍ଷ ନଭେମ୍ବର ମାସରୁ ମେ ମାସ 31ତାରିଖ ଯାଏ ସମୁଦ୍ର କୂଳରୁ 20 କିଲୋମିଟର ପର୍ଯ୍ୟନ୍ତ ସବୁ ଯାନ୍ତ୍ରିକ ଡଙ୍ଗା, ଟ୍ରଲର ଚଳାଚଳ ଉପରେ କଟକଣା ଲାଗିଥାଏ । ଏନେଇ ଆଜିଠାରୁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରାପଡା ଗହୀରମଥା, ପୁରୀ ଆଦି ବିଭିନ୍ନ ସାମୁଦ୍ରିକ ଇଲାକା ପାଇଁ କଟକଣା ଲାଗୁ ହେବ ।

OLIVE RIDLEY TURTLE (ETV Bharat Odisha)

ଅଲିଭ ରିଡଲେଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ଗହୀରମଥା:

ଅଲିଭ ରିଡଲେଙ୍କ ଅନ୍ତୁଡ଼ିଶାଳ ଭାବେ ୧୪୩୭ ବର୍ଗ କି.ମି.ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ଦେବୀ ମୁହାଣ ଯାଏ ୧୬୦ କି.ମି.ପର୍ଯ୍ୟନ୍ତ ଲାଗିବ କଟକଣା । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବର୍ଷ ତମାମ ଟ୍ରଲର ଚଳାଚଳ ଓ ମାଛଧରା ଉପରେ ସମ୍ପୂର୍ଣ୍ଣ ନିଷେଧ । କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାସୀରେ ଦୁଇଟି ଅଫିସର କ୍ୟାମ୍ପ କରାଯାଇଥିବା ବେଳେ ନଭେମ୍ବର ପ୍ରଥମ ସପ୍ତାହ ଶେଷ ସୁଦ୍ଧା ଏକକୂଳା,ସାତଭାୟା, ଜଉଦିଆ, ଦୋବନ୍ଧି, ଶାସନପେଟା, ତାଲଙ୍ଗ, ଜଟାଧାର, ଷଣ୍ଢକୁଦ ୧ ଓ ୨, ହାୱାଖାନା,ରାମତାରା ଓ ବନ୍ଦର ଆଦି ୧୪ଟି ସ୍ଥାନରେ ଟର୍ଟଲ୍‌ ପ୍ରୋଟେକ୍ସନ୍‌ କ୍ୟାମ୍ପ କରାଯିବ ବୋଲି ସୂଚନା ମିଳିଛି । ଅଫିସର କ୍ୟାମ୍ପରେ ୫ ଜଣ ଲେଖାଏ କର୍ମଚାରୀ ଓ ଅନ୍ୟ ୧୪ଟି ଟର୍ଟଲ ପ୍ରୋଟେକ୍ସନ କ୍ୟାମ୍ପରେ ୩ ଜଣ ଲେଖାଏଁ କର୍ମଚାରୀଙ୍କୁ ନିୟୋଜିତ କରାଯିବ।ଏହାବାଦ ବାବୁବାଲି ଓ ଶାସନପେଟାରେ ଗୋଟିଏ ସେକ୍ସନ୍ ଲେଖାଏଁ ଏପିଆର୍ ଫୋର୍ସ ମୁତୟନ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

OLIVE RIDLEY TURTLE (ETV Bharat Odisha)

ଆସୁଛନ୍ତି ବିଦେଶୀ ଅତିଥି:

ପୁରୀ ଜିଲ୍ଲାର ଦେବୀ ନଦୀମୁହାଣରୁ କେଳୁଣି ମୁହାଣ ବେଳାଭୂମିରେ ବସା କରିବେ କଇଁଛ । ଏହି ନିୟମକୁ ପୁରୀ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ଲାଗୁ କରାଯାଇଛି । ଏହି ନିୟମ ଉଲଘଂନ ନକରିବାକୁ ସଚେତନ କରାଯାଉଛି । ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସମସ୍ତେ ସଜାଗ ହେବା ଉଚିତ୍ ବୋଲି ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ କୁହାଯାଉଛି । ସେପଟେ ପରିବେଶବିତ୍ କହିଛନ୍ତି,"କେବଳ କଟକଣା ଲଗାଇ ମତ୍ସ୍ୟ ବିଭାଗ ବସିଗଲେ ଚଳିବ ନାହିଁ । ନିଷିଦ୍ଧାଅଞ୍ଚଳରେ ବେଆଇନ ଟ୍ରଲର କିଭଳି ପ୍ରବେଶ ନକରିବ ସେନେଇ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ପୋଲିସ ମିଳିତ ଭାବେ ସମୁଦ୍ରରେ କଡା ନଜର ରଖିବା ସହ ପେଟ୍ରୋଲିଂ କରିବା ଉଚିତ୍ ।"

OLIVE RIDLEY TURTLE (ETV Bharat Odisha)
OLIVE RIDLEY TURTLE (ETV Bharat Odisha)


ସମୁଦ୍ରକୁ ଯନ୍ତ୍ର ଚାଳିତ ଡଙ୍ଗା-ଟ୍ରଲର ମନା:


ପୁରୀ ଜିଲ୍ଲା ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟଧିକାରୀ ରମେଶ ରାଉଳ କହିଛନ୍ତି,"ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଲିଭରିଡଲେ କଇଁଛଙ୍କ ସୁରକ୍ଷିତ ଆଗମନ ଓ ପ୍ରଜନନ ପାୁଇଁ ସମୁଦ୍ରରେ କଟକଣା ଲଗାଯାଇଛି। ଚଳିତ ମାସ ନଭେମ୍ବର ଏକ ତାରିଖରୁ ଆସନ୍ତା ମେ ମାସ 31 ତାରିଖ ଯାଏ ସମୁଦ୍ରକୁ ଯନ୍ତ୍ର ଚାଳିତ ଡଙ୍ଗା, ଟ୍ରଲର ଯିବା ନେଇ କଟକଣା ଲଗାଯାଇଛି । ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି କଟକଣା ସମୟରେ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ପେଟ୍ରୋଲିଂ କରାଯିବ । ସେହିପରି କଟକଣା ଉଲଘଂନ ନକରିବା ପାଇଁ ଆମେ ବିଭିନ୍ନ ଟ୍ରଲର ସଂଘ ଓ ଡଙ୍ଗା, ଟ୍ରଲର ଚାଳକଙ୍କୁ ସଚେତନ କରାଯାଉଛି । ଯଦି କଟକଣା ଉଲଘଂନ ଯିଏ କରିବ ଆଇନ ଅନୁଯାୟୀ ସେ ଦଣ୍ଡିତ ହେବ ।"

OLIVE RIDLEY TURTLE (ETV Bharat Odisha)

ମତ୍ସ୍ୟଜୀବୀଙ୍କୁ ସହାୟତା ରାଶି :

ସେ ଆହୁରି ମଧ୍ୟ କହିଛନ୍ତି,"ପୁରୀ ଜିଲ୍ଲାର ଅସ୍ତରଙ୍ଗ ନିକଟରେ ଥିବା ଦେବୀ ନଦୀ ମୁହାଣରୁ କେଳୁଣୀ ମୁହାଣ ଯାଏଁ ସମୁଦ୍ର ଭିତରକୁ 20 କିଲୋମିଟର ଯାଏ ଟ୍ରଲର ଚଳାଚଳ ସମ୍ପୂର୍ଣ୍ଣ ନିଷିଦ୍ଧ ।ଏଥିପାଇଁ ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରଭାବିତ ହେବାର ଆଶଙ୍କା ଥିବାରୁ କ୍ଷତି ସହୁଥିବା 34 ଶହରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ପରିବାରଙ୍କୁ ଏକ କାଳୀନ 15000 ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଉଛି । ଆମେ ସାଗର ମିତ୍ର, ବିଭାଗୀୟ ଅଧିକାରୀଙ୍କୁ ନେଇ କଇଁଛଙ୍କ ସୁରକ୍ଷା ପାଇଁ ନିୟମିତ ପେଟ୍ରୋଲିଂ କରୁଛୁ । ଗତ 2023 ମସିହାରେ 940ଟି କଇଁଛଙ୍କ ବସା ଜଙ୍ଗଲ ବିଭାଗ ପକ୍ଷରୁ ଚିହ୍ନଟ ହୋଇଥିଲା । ମୋଟ 10ଲକ୍ଷ 3ହଜାର 5ଶହ 52 ଅଣ୍ଡାକୁ ଜଙ୍ଗଲ ବିଭାଗ ସୁରକ୍ଷିତ ରଖିଥିଲା । ସେ ମଧ୍ୟରୁ 5ଲକ୍ଷ 54ହଜାର ଛୁଆ ଫୁଟି ଥିଲା ।"

OLIVE RIDLEY TURTLE (ETV Bharat Odisha)

'ଚଳିତ ବର୍ଷ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ':

ପରିବେଶବିତ୍ ସରୋଜ କୁମାର ଜେନା ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି,"ଭାରତ ବର୍ଷରେ ଅଲିଭରିଡଲେଙ୍କ ସୁରକ୍ଷିତ ବସା ଭାବେ ପୁରୀ ଜିଲ୍ଲା ଉପକୂଳ ରହିଛି । ଆମର ଋଷିକୂଲ୍ୟା, ଦେବୀ ନଦୀ, ଗହିରମଥା କୂଳକୁ ବହୁ ମାତ୍ରାରେ ଅଲିଭ ରିଡଲେ କଇଁଛଙ୍କ ଆଗମନ ହୋଇଥାଏ । ଯେହେତୁ ଏହା ସୁରକ୍ଷିତ ସ୍ଥାନ ଏହାକୁ ଅଧିକ ବିରଳ ଅଲିଭ ରିଡଲେଙ୍କ ଆଗମନ ହୋଇଥାଏ ।ଚଳିତ ବର୍ଷ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ । କାରଣ ଗତ 2022ମସିହା ରେ ଯେତିକି କଇଁଛ ଆସିଥିଲେ 2023ରେ କମ୍ ଆସିଥିଲେ । ତେବେ ବାତ୍ୟା ଦାନା ଯୋଗୁଁ ସମୁଦ୍ରକୂଳରେ ବହୁତ୍ ଆବର୍ଜନା ରହିଛି । ଜଙ୍ଗଲ ବିଭାଗର ଏହା ଦାୟିତ୍ଵ ରହିଛି ଅଳିଆକୁ ସଫା କରିବା । ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ଅବୈଧ ଟ୍ରଲରକୁ ଜବତ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । "

OLIVE RIDLEY TURTLE (ETV Bharat Odisha)
OLIVE RIDLEY TURTLE (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...ପାରାଦ୍ୱୀପରେ ଅଲିଭି ରିଡ଼ଲେ କଇଁଛ ଚଡ଼କ, ବେଳାଭୂମିରେ ପଡ଼ିଛି ଶହଶହ ମୃତଦେହ

ଏହା ମଧ୍ୟ ପଢନ୍ତୁ ...ଗହୀରମଥା ଏନ୍ତୁଡ଼ିଶାଳରୁ ବାହାରିଲେ ଅଲିଭ ରିଡଲେ ଛୁଆ - OLIVE RIDLEY TURTLE

ଏହା ମଧ୍ୟ ପଢନ୍ତୁ ...ଜଳବାୟୁ ପରିବର୍ତ୍ତନ ପ୍ରଭାବ ! ମାସେ ବିଳମ୍ବରେ ଅଲିଭ ରିଡଲେ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ - Olive Ridley mass nesting

ଇଟିଭି ଭାରତ, କେନ୍ଦ୍ରାପଡ଼ା/ ପୁରୀ

Last Updated : Nov 2, 2024, 10:16 AM IST

ABOUT THE AUTHOR

...view details