ଓଡିଶା

odisha

ETV Bharat / state

'ମୌଖିକ ସାହିତ୍ୟକୁ ଉଜ୍ଜୀବିତ କରି ରଖିଛି ଲୋକ ସାହିତ୍ୟ'

Seminar on Folk Culture of Odisha: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଦ୍ୱିତୀୟ ଦିବସରେ ଆଜି ଆୟୋଜିତ ଓଡ଼ିଶାର ଲୋକ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏଥିରେ ବକ୍ତାମାନେ ଓଡ଼ିଆ ଓଡିଆ ଲୋକ ସାହିତ୍ୟର ସ୍ୱରୂପ, ଉଦ୍ଭବ, ବିକାଶ ଓ ବିଭିନ୍ନ ବିଭାଗ ବିଷୟରେ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

Seminar on Folk Culture of Odisha
Seminar on Folk Culture of Odisha

By ETV Bharat Odisha Team

Published : Feb 4, 2024, 10:37 PM IST

ଭୁବନେଶ୍ବର: ଲୋକସଂସ୍କୃତି ଆମ ଜୀବନଜୀବିକାକୁ ପ୍ରଭାବିତ କରି ଆସିଛି । ଲୋକସାହିତ୍ୟରେ ଲୋକ ସଂସ୍କୃତି ପ୍ରତିଫଳିତ ହୋଇଥାଏ । ଆମ ଲୋକ ସାହିତ୍ୟ ଲିଖିତ ସାହିତ୍ୟକୁ ମଧ ପ୍ରେରଣା ଯୋଗାଇ ଆସୁଛି ବୋଲି ଅତିଥି ଆଲୋଚକମାନେ ଉଲ୍ଲେଖ କରିଛନ୍ତି । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଦ୍ୱିତୀୟ ଦିବସରେ ଆଜି ଆୟୋଜିତ ଓଡ଼ିଶାର ଲୋକ ସଂସ୍କୃତି ସମ୍ପର୍କିତ ଆଲୋଚନା ସଭାରେ ବକ୍ତାମାନେ ଓଡ଼ିଆ ଓଡିଆ ଲୋକ ସାହିତ୍ୟର ସ୍ୱରୂପ, ଉଦ୍ଭବ, ବିକାଶ ଓ ବିଭିନ୍ନ ବିଭାଗ ବିଷୟରେ ଆଲୋଚନା କରିଛନ୍ତି ।

'ମୌଖିକ ସାହିତ୍ୟକୁ ଉଜ୍ଜୀବିତ କରି ରଖିଛି ଲୋକ ସାହିତ୍ୟ'

ବିଶିଷ୍ଟ ଲୋକସାହିତ୍ୟବିତ ଓ ଭାଷାବିତ ତଥା ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ପୂର୍ବତନ ଅଧକ୍ଷ ଡଃ ଅରବିନ୍ଦ ପଟ୍ଟନାୟକ ଏହି ଆଲୋଚନା ସଭାରେ ଅଧ୍ୟକ୍ଷତା କରିଛନ୍ତି । ପ୍ରସିଦ୍ଧ ଲୋକ ସାହିତ୍ୟ ଗବେଷକ ଓ ଶିକ୍ଷାବିତ ତଥା ୟୁନେସ୍କୋ ଭାଷା ପୁରସ୍କାର ବିଜେତା ଡଃ ମହେନ୍ଦ୍ର କୁମାର ମିଶ୍ର ଓଡ଼ିଶାରେ ଲୋକ ସାହିତ୍ୟ ଅଧ୍ୟୟନର ଇତିହାସ ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, "ଓଡିଆ ସାହିତ୍ୟ ପ୍ରାଚୀନ ଓ ମଧ୍ୟ ଯୁଗର ବିଷୟ ଏବଂ ଭାଷା, ଲୋକ ମୌଖିକ ପରମ୍ପରା ଏବଂ ଓଡିଆ ଜ୍ଞାନ ବ୍ୟବସ୍ଥାରୁ ଗୃହୀତ । ଗତ ଦଶଶହ ବର୍ଷର ଓଡିଆ ଲୋକ ସାହିତ୍ୟ ଏ ଭୂମିର ଲୋକଙ୍କ ସାମୁହିକ ସୃଜନରେ ପ୍ରତିଫଳିତ । ଓଡିଆ ଲୋକଗୀତ ଓ କାହାଣୀ ଓଡିଆ ଭାଷା, ସୃଜନ ଓ ଜ୍ଞାନ ଆଦାନପ୍ରଦାନର ମାଧ୍ୟମ ।" ଲୋକ ସାହିତ୍ୟ ଓ ସଂସ୍କୃତି ୪ କୋଟି ଲୋକଙ୍କ ହୃଦୟର ଭାବ, ଭାଷା ଓ ଜ୍ଞାନର ଗନ୍ତାଘର ଏବଂ ଏଥିରୁ ଓଡିଆ କବି ଓ ଲେଖକମାନେ ସୂତ୍ର ଆହରଣ କରି ନିଜ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି ବୋଲି ଡଃ ମହେନ୍ଦ୍ର କୁମାର ମିଶ୍ର ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ୱ ଓଡିଆ ଭାଷା ସମ୍ମିଳନୀ: ଏହାର ଆଭିମୁଖ୍ୟ ଜାଣନ୍ତୁ

ବିଶ୍ବ ଭାରତୀର ଓଡ଼ିଆ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର କୈଳାଶ ପଟ୍ଟନାୟକ କହିଛନ୍ତି, "ମୌଖିକ ପରମ୍ପରା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଏହା ସାହିତ୍ୟର ମୂଳଦୁଆକୁ ସଶକ୍ତ କରାଏ । ଭାଷା ଏକ ପ୍ରବାହିତ ନଦୀ ପରି ବିଭିନ୍ନ ସ୍ରୋତରୁ ଜଳ ଧାରଣ କରି ସମୃଦ୍ଧ ହୋଇଚାଲିଛି । ଲୋକ ମାନ୍ୟତାରେ ଆସିଲେ ଲୋକଗୀତର ସୃଷ୍ଟି ହୁଏ । କିନ୍ତୁ ଉଦ୍ୟମ ହିଁ ଲୋକ ସାହିତ୍ୟର ଦୃତତମ ରୂପ ଦେବାରେ ସହାୟକ ହୋଇଥାଏ । ସଂସ୍କୃତି ଓ ସମାଜକୁ ନେଇ ଲୋକ ସାହିତ୍ୟ ଗଠିତ । ଏହା ବ୍ୟାପ୍ତ ଏବଂ ସଂଚାରଶୀଳ ।" ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ଅବସରପ୍ରାପ୍ତ ମୁଖ୍ୟ ଡଃ ଗୌରାଙ୍ଗ ଚରଣ ଦାଶ ବରଗଡ଼ର ଧନୁଯାତ୍ରାର ଜାତକ ସମ୍ପର୍କରେ ଆଲୋଚନା କରିଛନ୍ତି । ସେ କହିଛନ୍ତି, "ଧନୁଯାତ୍ରା ଏକ ଜାନପଦିକ ଯାତ୍ରା, ପୁରାଣରେ ଏହି ଯାତ୍ରା ସମ୍ପର୍କରେ ବର୍ଣ୍ଣନା ରହିଛି । ବରଗଡ଼ରେ ଅନୁଷ୍ଠିତ ଧନୁଯାତ୍ରା ନିର୍ଦ୍ଦିଷ୍ଟ ଇତିହାସ ରହିଛି । କେବଳ ମଞ୍ଚରେ ନାଚ କରୁଥିବା ବ୍ୟକ୍ତି ନୁହେଁ, ଏଠାରେ ପ୍ରତ୍ୟେକ ଦର୍ଶକ ଏକ ଅଭିନେତା, ସେମାନେ ବି ଚରିତ୍ର ସହ ଏକାତ୍ମ ହୋଇଯାନ୍ତି । କଂସ ଅବିଚାରୀ ଶାସକ ନୁହେଁ, ବରଂ ସେ ଲୋକପ୍ରିୟ ଓ ପ୍ରଜାପ୍ରିୟ ଶାସକ ଥିଲେ ।"

'ମୌଖିକ ସାହିତ୍ୟକୁ ଉଜ୍ଜୀବିତ କରି ରଖିଛି ଲୋକ ସାହିତ୍ୟ'

କାର୍ଯ୍ୟକ୍ରମର ଅଧ୍ୟକ୍ଷ ଲୋକ ସାହିତ୍ୟ ଓ ଲୋକ ପରମ୍ପରା, ତା’ର ସଂଗ୍ରହ ଓ ଗବେଷଣା ସମ୍ପର୍କରେ ବିଶଦ ବର୍ଣ୍ଣନା କରିଛନ୍ତି । ଲୋକ ସଂସ୍କୃତି ଓ ଲୋକ ସାହିତ୍ୟ ମୌଖିକ ସାହିତ୍ୟକୁ ଉଜ୍ଜୀବତ କରି ରଖିଛି । ଲୋକନୃତ୍ୟ, ବିଭିନ୍ନ ପର୍ବପର୍ବାଣି, ଢଗଢମାଳି ଆମ ସାହିତ୍ୟକୁ ସମୃଦ୍ଧ କରିବାରେ ସାହାଯ୍ୟକାରୀ ଉପାଦାନ । ଓଡ଼ିଆରେ ଗଦ୍ୟ ରଚନା ପ୍ରଣାଳୀରେ ଲୋକ ସାହିତ୍ୟର ପ୍ରଭାବ ଅନୁଭୂତ ହୋଇଥାଏ ବୋଲି ସେ କହିଛନ୍ତି । ଗବେଷିକା ଡଃ ଜ୍ୟୋତିପ୍ରଭା ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଛନ୍ତି । ସତ୍ୟବାଦୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଅନନ୍ୟା ରଥ ବକ୍ତବ୍ୟ ରଖିଛନ୍ତି । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି । ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

'ମୌଖିକ ସାହିତ୍ୟକୁ ଉଜ୍ଜୀବିତ କରି ରଖିଛି ଲୋକ ସାହିତ୍ୟ'

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details