ଓଡିଶା

odisha

ETV Bharat / state

ସମ୍ବଲପୁର ହେବ ଟ୍ୟୁରିଜିମ ହବ୍‌: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆନମନା ବିଦେଶୀ, ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଆସିଲାଣି ଶୀତ ଋତୁ । ପର୍ଯ୍ୟଟକଙ୍କୁ ହାତ ଠାରି ଡାକିଲାଣି ସମ୍ବଲପୁର । ଖୁବଶୀଘ୍ର ହେବ ଟ୍ୟୁରିଜିମ ହବ୍‌ ।

ସମ୍ବଲପୁର ହେବ ଟ୍ୟୁରିଜିମ ହବ
ସମ୍ବଲପୁର ହେବ ଟ୍ୟୁରିଜିମ ହବ (ETV Bharat Odisha)

By ETV Bharat Odisha Team

Published : 6 hours ago

ସମ୍ବଲପୁର: ସମ୍ବଲପୁର ପଶ୍ଚିମ ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର । ଏବେ ଏହା ଓଡିଶାର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏଠାରେ ଥିବା ହୀରାକୁଦ ଡ୍ୟାମ, ସମଲେଶ୍ୱରୀ ମନ୍ଦିର, ଘଣ୍ଟେଶ୍ୱରୀ ପୀଠ, ହୁମାର ବକ୍ର ମନ୍ଦିର, ଦେବ୍ରୀଗଡ଼ ଅଭୟାରଣ୍ୟ, ସମ୍ବଲପୁର ଚିଡିଆଖାନା, ଗୁଦୁଗୁଦା ଜଳପ୍ରପାତ, ଦେବ ଝରଣ ଜଳପ୍ରପାତ, ଉଷାକୋଠି, କନ୍ଦରା ଆଦି ଆଦି ପର୍ଯ୍ୟଟନ ସ୍ଥଳୀ ରହିଛି l ତେବେ ସମଲେଇ ଯୋଜନା ହେବା ପରେ ଏବେ ସମ୍ବଲପୁରକୁ ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ିଯାଇଛି l ଏହା ସହ ଦେବ୍ରୀଗଡ଼ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରୁଛି । ଏହା ସହ 30 ରୁ 40 କିମି ଦୂରତାରେ ଅନେକ ପର୍ଯ୍ୟଟନ ସ୍ଥଳୀ ଥିବାରୁ ଏବେ ସମ୍ବଲପୁର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଛି l ଯାହାକି ସମ୍ବଲପୁରକୁ କରିବାକୁ ଯାଉଛି ଟ୍ୟୁରିଜିମ ହବ ।

ସମ୍ବଲପୁର ଆସିଲେ କଣ ଦେଖିବେ ?

ସମ୍ବଲପୁର ହେବ ଟ୍ୟୁରିଜିମ ହବ (ETV Bharat Odisha)

ହୀରାକୁଦ ଡ୍ୟାମ, ଗାନ୍ଧୀ ମିନାର ନେହେରୁ ମିନାର, ରୋପ ୱେ । ଏହା ନିକଟରେ ଥିବା ଦେବ୍ରୀଗଡ ଅଭୟାରଣ୍ୟର ପ୍ରକୃତି ନିବାସ ଏବେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଛି l ପର୍ଯ୍ୟଟକଙ୍କ ପାଇଁ ଜଙ୍ଗଲ ସଫାରୀରେ ଅଭୟାରଣ୍ୟ ବୁଲିବାର ସୁବିଧା, କ୍ରୁଜ ବୋଟିଙ୍ଗ, ବାଦୁଡ଼ି ଦ୍ବୀପ, କ୍ୟାଟେଲ ଆଇଲ୍ୟାଣ୍ଡ, ସନ ସେଟ ଆଇଲ୍ୟାଣ୍ଡ, ରାତ୍ରୀରହଣି, ରାତିରେ ଷ୍ଟାର ଗେଜିଙ୍ଗ ପଏଣ୍ଟ, ଗୋବିନ୍ଦପୁର ବାର୍ଡ଼ ଭିଲେଜ, ଦ୍ବୀପ ଭିତରେ ଥିବା ଆଇଲ୍ୟାଣ୍ଡ କେଫେ ପରି ପର୍ଯ୍ୟଟଙ୍କ ପାଇଁ ଅନେକ ସ୍ଥାନ ରହିଛି l ଏଠାରେ ରାତ୍ରୀରହଣି ପାଇଁ ଥିବା ନେଚର କ୍ୟାମ୍ପ ପାଇଁ ଅନଲାଇନରେ ବୁକିଂ ବ୍ୟବସ୍ଥା ରହିଛି ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସମଲେଇ ପ୍ରକଳ୍ପ:

ସମ୍ବଲପୁର ହେବ ଟ୍ୟୁରିଜିମ ହବ (ETV Bharat Odisha)

ସେପଟେ ସମଲେଇ ଯୋଜନା ଦ୍ୱାରା ସମଲେଶ୍ୱରୀ ପୀଠର ଉନ୍ନତିକରଣ ପରେ ଏଠାରେ ଆଧ୍ୟାତ୍ମିକ ପର୍ଯ୍ୟଟନର ବିକାଶ ହୋଇଛି ଓ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏଥିସହ ସମ୍ବଲପୁରରେ ଥିବା ପ୍ରାକୃତିକ ସ୍ଥଳୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ତେଣୁ ଏଠାକୁ ଦେଶର ବିଭିନ୍ନ ସ୍ଥାନର ପର୍ଯ୍ୟଟକଙ୍କ ସହ ବିଦେଶୀ ପର୍ଯ୍ୟଟକ ମଧ୍ୟ ଆସୁଛନ୍ତି । ଅନ୍ୟପଟେ ସମ୍ବଲପୁର ସହର ଭିତରେ ଥିବା ବୃକସିଲ ପାହାଡ଼ ଉପରେ ଥିବା ସମ୍ବଲପୁର ଚିଡିଆଖାନା ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ପ୍ରମୁଖ ଆକର୍ଷଣ । ଏଠାରେ ମଧ୍ୟ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହେଉଛି ।

ଗତବର୍ଷଠୁ ବଢିଛନ୍ତି ପର୍ଯ୍ୟଟକ:

ସମ୍ବଲପୁର ହେବ ଟ୍ୟୁରିଜିମ ହବ (ETV Bharat Odisha)

ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ବିଭାଗର DFO ଅଂଶୁପ୍ରଜ୍ଞା ଦାସ କହିଛନ୍ତି, "ଆମର ଗତ ବର୍ଷ 70 ହଜାର ଭିଜିଟର ଆସିଥିଲେ ଦେବ୍ରୀଗଡ ସେଙ୍ଗଛୁରୀକୁ ଆଉ ପାଖାପାଖି 1 ଲକ୍ଷରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଆସିଥିଲେ 'ସମ୍ବଲପୁର ଜୁ'କୁ ଏବଂ ଚଳିତ ବର୍ଷ ଗତ ବର୍ଷ ଅପେକ୍ଷା ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିଲେଣି ଆମ ପାଖରେ ଯେଉଁ ଡାଟା ଅଛି ଅକ୍ଟୋବର ତୃତୀୟ ସପ୍ତାହ ସୁଦ୍ଧାର ତଥ୍ୟ ।’’

ଏହାସହ DFO ଆହୁରି କହିଛନ୍ତି, ‘ଦେବ୍ରୀଗଡ ଅଭୟାରଣ୍ୟରେ ବହୁତ ଗୁଡିଏ ସ୍ଥାନୀୟ ପରିବାର ନିୟୋଜିତ ହେବା ସହ, ହୀରାକୁଦ ଜଲଭଣ୍ଡାରରେ କ୍ରୁଜ ବୋଟିଙ୍ଗ ବ୍ୟବସ୍ଥା, ବିଭିନ୍ନ ପ୍ରକାର ଜଙ୍ଗଲ ସଫାରୀ, ଆଇଲ୍ୟାଣ୍ଡ କାଫେ, ବାର୍ଡ଼ ଭିଲେଜ, ବେଟ ଆଇଲ୍ୟାଣ୍ଡ, କ୍ୟାଟେଲ ଆଇଲ୍ୟାଣ୍ଡ ଆଦି ସ୍ଥାନକୁ ବିଭିନ୍ନ ପ୍ୟାକେଜ ରହିଛି ତେଣୁ ଏଠାରେ ପର୍ଯ୍ୟଟକଙ୍କ ଆଗମନ ବଢିଛି ।’

କେଉଁଠୁ କେତେ ଆସିଥିଲେ ପର୍ଯ୍ୟଟକ:

ସମ୍ବଲପୁର ହେବ ଟ୍ୟୁରିଜିମ ହବ (ETV Bharat Odisha)
ଅନ୍ୟପଟେ ସମ୍ବଲପୁର ଜିଲ୍ଲାରର ଅନ୍ୟ ପର୍ଯ୍ୟଟନ ସ୍ଥଳ ଯଥା ସମଲେଶ୍ୱରୀ ମନ୍ଦିର, ହୁମାର ବକ୍ର ମନ୍ଦିର, ଉଷାକୋଠି, ଘଣ୍ଟେଶ୍ୱରୀ ପୀଠ, ଗୁଦୁଗୁଦା ଜଳ ପ୍ରପାତକୁ ମଧ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 2022ରେ ସମ୍ବଲପୁର ସହରକୁ 497340, ହୀରାକୁଦକୁ 400375, ଉଷାକୋଠିକୁ 7190, ହୁମା ବକ୍ରମନ୍ଦିରକୁ 329470, ଘଣ୍ଟେଶ୍ୱରୀକୁ 171260, ଗୁଦୁଗୁଦା ଜଳପ୍ରପାତକୁ 120445, ଭୀମଭୋଇଙ୍କ ଜନ୍ମସ୍ଥଳୀ କନ୍ଦରାକୁ 10930 ଜଣ ପର୍ଯ୍ୟଟକ ଆସିଥିବା ବେଳେ 2023ରେ ସମ୍ବଲପୁର ସହରକୁ 592461, ହୀରାକୁଦକୁ 456298, ଉଷାକୋଠିକୁ 28234, ହୁମା ବକ୍ରମନ୍ଦିରକୁ 395717, ଘଣ୍ଟେଶ୍ୱରୀ ପୀଠକୁ 230732, ଗୁଦୁଗୁଡ଼ା ଜଳ ପ୍ରପାତକୁ 146399, କନ୍ଦରା କୁ 16260 ଜଣ ପର୍ଯ୍ୟଟକ ଆସିଥିଲେ l

ଜୁନ ସୁଦ୍ଧା ଆସିଥିବା ପର୍ଯ୍ୟଟକ:

ସମ୍ବଲପୁର ହେବ ଟ୍ୟୁରିଜିମ ହବ (ETV Bharat Odisha)

ଚଳିତ ବର୍ଷ ଜୁନ ସୁଦ୍ଧା ସମ୍ବଲପୁର ସହରକୁ 280665, ହୀରାକୁଦକୁ 200755, ଉଷାକୋଠିକୁ 180310, ହୁମା ବକ୍ର ମନ୍ଦିରକୁ 6805, ଘଣ୍ଟେଶ୍ୱରୀକୁ 114615, ଗୁଦୁଗୁଡ଼ା ଜଳପ୍ରପାତକୁ 90675, କନ୍ଦରାକୁ 12205 ଜଣ ପର୍ଯ୍ୟଟକ ଆସି ସାରିଛନ୍ତି l ସେହିପରି 2022ରେ 303 ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ 2023ରେ 812 ଜଣ ପର୍ଯ୍ୟଟକ ଆସିଥିଲେ l ଅନ୍ୟପଟେ ଚଳିତ ବର୍ଷ ଜୁନ ସୁଦ୍ଧା 133 ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବା ସୂଚନା ରହିଛି l



ଏନେଇ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବୀନ୍ଦ୍ର କୁମାର ଦଳେଇ କହିଛନ୍ତି, ସମ୍ବଲପୁର ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ଏହା ସହ ସେ ଆହୁରି କହିଛନ୍ତି, "ବର୍ତ୍ତମାନ ସରକାରଙ୍କ ଫୋକସରେ ଆମ ସମ୍ବଲପୁର ଅଛି । ପର୍ଯ୍ୟଟନର ଅନ୍ୟ କେଉଁ ଭଳିଆ ଉନ୍ନତି ହୋଇ ଯାଇଛି, ଆଉ ଆଗକୁ ବହୁତ କିଛି ହେବାକୁ ଯାଉଛି l"

ଏହା ମଧ୍ୟ ପଢନ୍ତୁ:

ପର୍ଯ୍ୟଟକଙ୍କ ପାଇଁ ଗ୍ରୀନ ସିଗନାଲ ଦେଲେ ପୁରୀ ଜିଲ୍ଲାପାଳ, ଶ୍ରୀକ୍ଷେତ୍ର ଆସିପାରିବେ ପର୍ଯ୍ୟଟକ

ବିଦେଶାଗତ ପକ୍ଷୀଙ୍କ ଭୁସ୍ବର୍ଗ ଚିଲିକା, ଦେଖନ୍ତୁ ମନଲୋଭା ଦୃଶ୍ୟ

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, ଏଥର ପର୍ଯ୍ୟଟକ ପାଇବେ ଏହି ନୂଆ ସୁବିଧା - Bhitarkanika national park opens

ଜରଡା ଗଡର ପାର୍ଥସାରଥୀ ମନ୍ଦିର, ଶ୍ରୀମନ୍ଦିର ସହ ରହିଛି ଭିନ୍ନ ଏକ ସମ୍ପର୍କ - Parthasarathi Temple Ganjam

ସୂଚନା ଯୋଗ୍ୟ, ଗତ କିଛି ଦିନ ତଳେ ରାଜ୍ୟ ପର୍ଯ୍ୟଟନ ସଚିବ ବଲଵନ୍ତ ସିଂ ଓ ନିର୍ଦେଶକ ସମର୍ଥ ବର୍ମା ସମ୍ବଲପୁର ଗସ୍ତରେ ଆସି ସମ୍ବଲପୁର ପର୍ଯ୍ୟଟନର ବିକାଶ ଆହୁରି କିପରି ହୋଇପାରିବ ସେନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ସାରିଛନ୍ତି l ଏଥିପାଇଁ ଆଗାମୀ ଦିନରେ ସମ୍ବଲପୁରରେ ଆହୁରି ବହୁତ ବିକାଶ ହେବାକୁ ଯାଉଛି ବୋଲି କହିଛନ୍ତି ପର୍ଯ୍ୟଟନ ଅଧିକାରୀ ରବୀନ୍ଦ୍ର କୁମାର ଦଳେଇ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details