ସମ୍ବଲପୁର: 69ତମ ପ୍ରତିଷ୍ଠା ଦିବସ ପାଳିଛି ସମ୍ବଲପୁର ହୀରାକୁଦ ଡ୍ୟାମ । ଏହି ଅବସରରେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟକ ଜୟନାରାୟଣ ମିଶ୍ର । ତେବେ ଏହି ପ୍ରତିଷ୍ଠା ଦିବସରେ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ସମ୍ବଲପୁରରେ ଚର୍ଚ୍ଚାର ବିଷୟ ପାଲଟିଛି ।
69 ବର୍ଷରେ ପାଦ ଥାପିଲା ହୀରାକୁଦ ଡ୍ୟାମ:
69 ବର୍ଷରେ ପାଦ ଥାପିଲା ହୀରାକୁଦ ଡ୍ୟାମ । 1957 ମସିହା ଜାନୁଆରୀ 13 ତାରିଖରେ ଏହା ପ୍ରତିଷ୍ଠା ହୋଇଥିଲା l ଏହାକୁ ଏସିଆର ଦୀର୍ଘତମ ମାଟି ବନ୍ଧ ବୋଲି ବିବେଚନା କରାଯାଏ l ତେବେ ପ୍ରତିଷ୍ଠା ଦିବସ ଅବସରରେ ହୀରାକୁଦ ଡ୍ୟାମର ରାଇଟ ଡ଼ାଇକ ପାର୍ଶ୍ଵରେ ଡ୍ୟାମ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହୀରାକୁଦ ଡ୍ୟାମର ପ୍ରତିଷ୍ଠା ଦିବସ ପାଳନ କରିଥିଲେ ଓ ଏଠାରେ ଥିବା ଶହୀଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ l
'ହୀରାକୁଦ ବିସ୍ଥାପନ ପୃଥିବୀର ସବୁଠାରୁ ବଡ଼ ବିସ୍ଥାପନ':
ହୀରାକୁଦ ଡ୍ୟାମର 69ତମ ପ୍ରତିଷ୍ଠା ଦିବସରେ ଜୟନାରାୟଣ ମିଶ୍ର କହିଛନ୍ତି, " ହୀରାକୁଦ ଡ୍ୟାମ ବନ୍ୟା ନିୟନ୍ତ୍ରଣରେ କୌଣସି ଲାଭ ଦେଲା ଭଳି ଲାଗୁନି କାରଣ ପ୍ରତ୍ୟେକ ବର୍ଷ ଉପକୂଳ ଓଡିଶାରେ ବନ୍ୟା ହେଉଛି ଏବଂ ଏହି ବନ୍ଧ ପାଇଁ ସମ୍ବଲପୁରରେ ଅଯଥାରେ ବନ୍ୟା ହେଉଛି l ଗୋଟିଏ ସାଧାରଣ ଲୋକ ହିସାବରେ ମୋ ପାଖରେ ଯେଉଁ ଅଧ୍ୟୟନ ଅଛି ବନ୍ୟା ନିୟନ୍ତ୍ରଣ ଆଦୌ ସନ୍ତୋଷଜନକ ନୁହେଁ l ସେତେବେଳେ ମହାନଦୀର ଓଡିଶା ଓ ଛତିଶଗଡ଼ ସୀମାରେ ବନ୍ଧ ହେବାର ଥିଲା l ଏନେଇ ଅଯୋଧ୍ୟା ନାଥ କୋଶଲାଙ୍କ ସହ 2ଟି ରିପୋର୍ଟ ଥିଲା l ସେହି ରିପୋର୍ଟଗୁଡିକୁ ଚାପି ଦିଆଯାଇଛି l ସେଠାରେ ବନ୍ଧ ହୋଇଥିଲେ ଏହିଭଳି ଭାବରେ ଲୋକେ ହୁଏତ ବିସ୍ଥାପିତ ହୋଇ ନଥାନ୍ତେ l ସେ ସମୟରେ ଆମେ ପ୍ରଥମ ପ୍ରଥମ ସ୍ୱାଧୀନତା ପାଇଥିଲୁ l ସେତେବେଳେ ଏହି ଅଞ୍ଚଳରେ ମୁଖ୍ୟତଃ ଆଦିବାସୀମାନେ ରହୁଥିଲେ l ସେତେବେଳେ କେବଳ ଯାହା ପାଖରେ ଜମି ପଟ୍ଟା ଥିବ ତାଙ୍କୁ ହିଁ କ୍ଷତିପୂରଣ ମିଳିବ l ସେତେବେଳେ ଲୋକଙ୍କୁ ବନ୍ଧୁକ ମୁନରେ ରାତି ଅଧରେ ଉଠାଇ ବିସ୍ଥାପିତ କରାଗଲା l ହୀରାକୁଦ ବିସ୍ଥାପନ ପୃଥିବୀର ସବୁଠାରୁ ବଡ଼ ବିସ୍ଥାପନ l"
'କେତେ ଲାଭ ଦେଇଛି ହୀରାକୁଦ ଡ୍ୟାମ, ସମୀକ୍ଷା ହେବା ଉଚିତ୍'
ସେ ଆଉ ମଧ୍ୟ କହିଛନ୍ତି, "ଡ୍ୟାମ କେତେ ଲାଭ ଦେଲା ଓଡ଼ିଶାବାସୀଙ୍କ ପାଇଁ ତାର ସମୀକ୍ଷା ହେବା କଥା l ବନ୍ୟା ନିୟନ୍ତ୍ରଣ, ଜଳସେଚନ, ବିଦ୍ୟୁତ ଉତ୍ପାଦନରେ କେତେ ଲାଭ ଦେଲା ଆଉ କେତେ ଲାଭ ଦେଇ ପାରିଥାନ୍ତା ଏହା ଉପରେ ସମୀକ୍ଷା ହେବା ଉଚିତ l ଏହି ଡ୍ୟାମ ଯୋଗୁଁ ପୂର୍ବ ଓଡିଶା, ପଶ୍ଚିମ ଓଡିଶା ଲୋକଙ୍କ ଭିତରେ ପାର୍ଥକ୍ୟ ସୃଷ୍ଟି ହେଲା l ଲୋକଙ୍କ ମନ ଭିତରେ ପୂରେଇଦିଆ ଗଲା ଯେ ଉପକୂଳ ଅଞ୍ଚଳକୁ ବଞ୍ଚେଇବା ପାଇଁ ଆମମାନଙ୍କୁ ବୁଡାଯାଉଛି l ବିସ୍ଥାପିତମାନଙ୍କୁ ନ୍ୟାୟ ମିଳି ପାରିନାହିଁ l"