ସମ୍ବଲପୁର:‘‘ବିଜେପି ନେତାଙ୍କ କାରକୁ ଝଗଡ଼ା କରିଥବା ଗାଡ଼ି ଭାବି ଧକ୍କା ଦେଇଥିଲି । ଗାଡିକୁ ୩ ଥର ଧକ୍କା ଦେଇଛି । ଗାଡ଼ି ବାଜିଗଲା, ଦୁଃଖ କ'ଣ ପାଇଁ କରିବି ।’’ ଟ୍ରକ ଧକ୍କାରେ ୨ ବିଜେପି ନେତାଙ୍କ ମୃତ୍ୟୁ ମାମଲାରେ ଆଜି ଏଭଳି ଆଶ୍ଚର୍ଯ୍ୟ ଚକିତ କରିବା ପରି ବୟାନ ରଖିଛି ଅଭିଯୁକ୍ତ ହାଇୱା ଡ୍ରାଇଭର । ଅନ୍ୟପଟେ ଅଧିକ ପଚରାଉଚରା ଅଭିଯୁକ୍ତକୁ ଆଜି ୩ ଦିନିଆ ରିମାଣ୍ଡରେ ନେଇଚି ବୁର୍ଲା ପୋଲିସ ।
- କାରକୁ ୩ ଥର ପିଟିଥିଲା :
ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ ୨ ଜଣ ବିଜେପି କର୍ମୀଙ୍କୁ ଟ୍ରକରେ ଧକ୍କା ଦେଇ ହତ୍ୟା ଅଭିଯୋଗରେ ସମ୍ପୃକ୍ତ ହାଇୱା ଡ୍ରାଇଭର ପ୍ରସନ୍ନ ଜେନାମଣିକୁ ୩ ଦିନ ରିମାଣ୍ଡରେ ନେଲା ବୁର୍ଲା ପୋଲିସ । ରାଜନୈତିକ, ବ୍ୟବସାୟିକ କିମ୍ବା ଅନ୍ୟ କେଉଁ କାରଣରୁ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି କି, ଜାଣିବା ପାଇଁ ଅଭିଯୁକ୍ତକୁ ପଚରାଉଚରା କରିବ ପୋଲିସ୍ । ଗତକାଲି ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟ ଚାଲାଣ ସମୟରେ ଅଭିଯୁକ୍ତ ଡ୍ରାଇଭର କହିଛି ଯେ, ସେ ଜାଣିଶୁଣି ଦୁର୍ଘଟଣା କରିନାହିଁ l ସେ ବିଜେପି ନେତାଙ୍କ କାରକୁ ୩ ଥର ଧକ୍କା ମାରିଥିବା ସ୍ୱୀକାର କରିଛି । ଡ୍ରାଇଭରର କହିବାନୁଯାୟୀ, ପ୍ରଥମେ ଗାଡ଼ି ଭାରସାମ୍ୟ ହରାଇ କାର ସହ ଧକ୍କା ହୋଇଥିଲା l ଦ୍ଵିତୀୟ ଥର ଆଖି ଲାଗିଯିବାରୁ ଧକ୍କା ହୋଇଥିଲା ଓ ତୃତୀୟ ଥର ଜାଣତରେ କାର ସହ ଧକ୍କା ହୋଇଥିଲା । ଅନ୍ୟପଟେ ଅଭିଯୁକ୍ତ ଡ୍ରାଇଭର ଏହା ମଧ୍ୟ କହିଛନ୍ତି ଯେ, ଘଟଣା ଦିନ ରାତିରେ ଏକ ମାରୁତି କାରର ଚାଳକ ସହ ତାର ଝଗଡ଼ା ହୋଇଥିଲା ।
- ଅଭିଯୁକ୍ତ ଡ୍ରାଇଭର କଥାରେ ରହୁନି ତାଳ ମେଳ:
କୋର୍ଟ ଚାଲାଣ ବେଳେ ଅଭିଯୁକ୍ତ ଡ୍ରାଇଭରପ୍ରସନ୍ନ ଜେନାମଣି ଦେଇଥିବା ବୟାନରେ କୌଣସି ତାଳମେଳ ନଥିବା ଜଣାପଡୁଥିଲା । ସେ କହିଛି, "ନାଲକୋ ଫ୍ୟାକ୍ଟ୍ରିରୁ ଗାଡ଼ି ନେଇ ବରଗଡ଼ ଯାଉଥିଲି । ଯିବା ବାଟରେ ଏକ ମାରୁତି କାର ଚାଳକ ସହ ଝଗଡ଼ା ହୋଇଥିଲା । ଏ କାରକୁ ଝଗଡ଼ା କରିଥିବା ଗାଡ଼ି ଭାବି ଧକ୍କା ଦେଇଦେଲି । ଗାଡ଼ିରେ ମୁଁ ଏକା ଥିଲି । ସେ କାରକୁ ୩ ଥର ଧକ୍କା ଦେଇଥିଲି । ପ୍ରଥମେ ଭାରସାମ୍ୟ ହରାଇ ଧକ୍କା ହୋଇଥିଲା । ଦ୍ବିତୀୟ ଥର ଆଖି ଲାଗି ଯାଇଥିଲା । ଶେଷ ଥର କାରକୁ ଠେଲିକି ପଳେଇଲି । ଏହା ଜାଣିକି କରିନି । ଦୁଃଖ କ'ଣ ପାଇଁ କରିବି । ଗାଡ଼ି ବାଜିଗଲା । ମୁଁ କ'ଣ ଜାଣିକି ମାରିଛି । ଗାଡ଼ି ଧକ୍କାରେ ଲୋକ ମରିଛନ୍ତି । ମୁଁ ପାପ କରିଛି ।"
- କଣ କହୁଛନ୍ତି ଉତ୍ତରାଞ୍ଚଳ ଆଇଜି:
ଅନ୍ୟପଟେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି, " ସେ ଉଦ୍ଦେଶ୍ୟମୂଳକ ଭାବେ ୩ ଥର ପିଟିଥିବାରୁ ତା ନାଁରେ ହତ୍ୟା ମାମଲା ରୁଜ୍ଜୁ ହୋଇଛି ।ତାକୁ ୩ ଦିନିଆ ରିମାଣ୍ଡରେ ନିଆଯାଉଛି, ପଚରାଉଚରା କରାଯିବ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।"
- ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ
ଅନ୍ୟପଟେ ସେହି ଦୁର୍ଘଟଣା ସମୟର ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଭିଡିଓ ଏବେ ସାମ୍ନାକୁ ଆସିଛି । ଶନିବାର ଦିନ ରାତି ପ୍ରାୟ 1ଟା 35 ମିନିଟରେ ବୁର୍ଲା ଥାନା ଆନ୍ତର୍ଗତ ଆ.କଟାପାଲି ଛକ ନିକଟ ଜାତୀୟ ରାଜପଥଠାରୁ ଝରାପାଲି ରାସ୍ତାରେ ଯାଉଥିବା କାରକୁ ପଛପଟୁ ଦ୍ରୁତଗତିରେ ହାଇୱା ଗାଡ଼ି ମାଡି ଯାଉଥିବାର ଏକ ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି l