ସମ୍ବଲପୁର: ଆସନ୍ତା 27 ରେ ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ସମଲେଇ ପ୍ରକଳ୍ପ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଆସି ନିଜେ ଏହି ପ୍ରକଳ୍ପର ଲୋକାର୍ପଣ କରିବେ l ଏଥିପାଇଁ ସମଲେଇ ଯୋଜନାର ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ପ୍ରାୟ ଶେଷ ହୋଇସାରିଛି l ଆସନ୍ତା 27 ତାରିଖରେ ପ୍ରାୟ ସାଢେ 12 ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଆସି ସମଲେଶ୍ବରୀ ମନ୍ଦିରରେ ପହଞ୍ଚିବେ l ଏଠାରେ ପ୍ରଥମେ ମା ଙ୍କ ଦର୍ଶନ କରିବେ l ଏହା ପରେ ସେ ମନ୍ଦିର ପରିସରରେ ଥିବା ଭୈରବ ବାବାଙ୍କୁ ଦର୍ଶନ କରିବେ l ପରେ ପରେ ସେ ସମଲେଇ ଯୋଜନାର ଫଳକ ଉନ୍ମୋଚନ କରି ଏହାକୁ ଲୋକାର୍ପିତ କରିବେ l ପରେ ମନ୍ଦିର ସମ୍ମୁଖରେ ଥିବା ମୁଖ୍ୟ ଯଜ୍ଞ ସ୍ଥଳୀରେ ମୁଖ୍ୟମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି l ଏତତ ବ୍ୟତୀତ ସମଲେଇ ଯୋଜନା କ୍ଷେତ୍ର ପରିଦର୍ଶନ କରିବେ l ମୁଖ୍ୟମନ୍ତ୍ରୀ ସମଲେଶ୍ବରୀ ପୀଠକୁ ଆସିଥିବା ବିଶିଷ୍ଟ ଅତିଥି ଓ ରାଜ୍ୟ ର ବିଭିନ୍ନ ମନ୍ଦିରର ପୂଜକଙ୍କୁ ଭେଟିବେ l
ସମଲେଇ ପ୍ରକଳ୍ପରେ କଣ ରହିଛି ସୁବିଧା ସୁଯୋଗ: ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁଙ୍କ ସୂଚନା ମୁତାବକ ଏଠାକୁ ଆସୁଥିବା ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମୌଳିକ ସୁବିଧା ସୁଯୋଗ ପ୍ରତି ସ୍ବତନ୍ତ୍ର ପ୍ରାଥମିକତା ଦିଆଯାଇଛି l ମନ୍ଦିରର ମୁଖ୍ୟ ଦ୍ବାରା ଯେଉଁପଟେ ପ୍ରବେଶ କରାଯିବ ତା ସମ୍ମୁଖରେ ଜୋତା, ଚପଲ ଷ୍ଟାଣ୍ଡର ବ୍ୟବସ୍ଥା ରହିବ l ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଧାଡି ଦର୍ଶନ ପାଇଁ ବ୍ୟାରିକେଟିଙ୍ଗ ବ୍ୟବସ୍ଥା ସହ ଖରା ବର୍ଷା ରୁ ରକ୍ଷା ର ବ୍ୟବସ୍ଥା ରହିବ l ଭକ୍ତଙ୍କ ହାତ ଗୋଡ ଧୋଇବାର ବ୍ୟବସ୍ଥା ରହିବ l ସେଠାରେ ହାତ ଗୋଡ ଧୋଇଲା ପରେ ମାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ l ପଶ୍ଚିମ ପାର୍ଶ୍ବରେପଣ୍ଡ କମ୍ପ୍ଲେକ୍ସ ଓ ଦୀପ ଘରର ବ୍ୟବସ୍ଥା ରହିଛି l ଏହା ସହ ମନ୍ଦିରର ଉତ୍ତର ପାର୍ଶ୍ଵ ପରିସରରେ ରହିଛି ମିଶନ ଶକ୍ତି କାଫେ l ଏହି କାଫେକୁ 2 ଗୋଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ପରିଚାଳନା କରିବାର ଦାୟିତ୍ବ ପାଇଥିବା ବେଳେ ଏଠାରେ ଖାଣ୍ଟି ସମ୍ବଲପୁରିଆ ଖାଣ୍ଟି ଘରୋଇ ଖାଦ୍ୟ ଉପଲବ୍ଧ ହେବ l ଏହା ନିକଟରେ ରହିବ ସୂଚନା କେନ୍ଦ୍ର, ଭେଣ୍ଡିଙ୍ଗ ଜୋନ, ଯାତ୍ରୀଙ୍କ ପାଇଁ ରହିବା ସହ ଅନୁସଙ୍ଗିକ ବ୍ୟବସ୍ଥା l ଅନ୍ୟପଟେ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା l ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ଏଠି ବ୍ୟାଟେରୀ ଚଳିତ ଗାଡ଼ିରେ ବ୍ୟବସ୍ଥା ରହିବ l ଏହା ସହ ପାର୍କିଂର ସୁବ୍ୟବସ୍ଥା ରହିବ l ଏହା ସହ ମନ୍ଦିର ପରିସରରେ ସ୍ବତନ୍ତ୍ର ଗ୍ରୀନ କରିଡରର ବ୍ୟବସ୍ଥା ରହିଛି l
କେବେ ହେଲା ସମଲେଇ ପ୍ରକଳ୍ପ ପରିକଳ୍ପନା:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 21 ଜାନୁଆରୀ 2020ରେ ସମଲେଶ୍ବରୀ ପୀଠ ପରିଦର୍ଶନ କରିଥିଲେ l ମା ଙ୍କ ଦର୍ଶନ ପରେ ସମଲେଶ୍ବରୀ ପୀଠ ଉନ୍ନତିକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ l ଏଥିପାଇଁ ପର୍ଯ୍ୟବେକ୍ଷକ ଙ୍କ ଟିମ ଗଠନ କରାଯାଇ ଅନୁଧ୍ୟାନ ପରେ ପ୍ୟାକେଜ ଘୋଷଣା କରାଯିବ ବୋଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ l 30 ଜାନୁଆରୀ 2020 ରେ ଏକ 3 ଜଣିଆ ଟିମ ମନ୍ଦିର ପରିଦର୍ଶନ କରି କରି ଅନୁଧ୍ୟାନ କରିଥିଲେ l 9 ଏପ୍ରିଲ 2020 ରେ ସମଲେଇ ଯୋଜନା ପାଇଁ ପ୍ୟାକେଜ ଘୋଷଣା ହୋଇଥିଲା l ଜନସାଧାରଣ ଙ୍କ ମତାମତ ସଂଗ୍ରହ ପରେ ଥଇଥାନା ଓ ପୁନର୍ବାସ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ l 17 ଫେବୃଆରୀ 2021 ରେ ସମଲେଇ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଥମେ 200 କୋଟି ର ପ୍ୟାକେଜ ଘୋଷଣା କରିଥିଲେ l ସମଲେଶ୍ବରୀଙ୍କ ରୂପାନ୍ତରିତ ମନ୍ଦିର ଓ ପରିକ୍ରମା ପ୍ରକଳ୍ପର ମାଷ୍ଟର ପ୍ଲାନ ପ୍ରସ୍ତୁତ ପରେ ସଫଳ ରୂପାୟନ ପାଇଁ ଓଡିଶା ବ୍ରିଜ ଓ ନିର୍ମାଣ ନିଗମ (OBCC) କୁ ଦାୟିତ୍ବ ଦିଆଯାଇଥିଲା l ଏହି ପ୍ରକଳ୍ପ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ପ୍ରଥମେ ନିକଟରେ ଥିବା ଘୁନଘୁଟି ପଡାକୁ ଉଛେଦ କରାଯାଇଥିଲା l ଏଥିପାଇଁ ବହୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା l ପ୍ରଥମେ 4.42 ଏକର ଜମିରେ ମାଙ୍କ ମନ୍ଦିର ଥିବା ବେଳେ ପରବର୍ତ୍ତୀ ସମୟରେ 40 ଏକର ପରିବ୍ୟାପ୍ତ କରାଯାଇଥିଲା l ପ୍ରଥମ ପର୍ଯ୍ୟାୟରେ 200 କୋଟି ଘୋଷଣା କରାଯାଇଥିବା ବେଳେ 202-23 ରେ ମୁଖ୍ୟମନ୍ତ୍ରୀ ପୁଣି 200 କୋଟିର ପ୍ୟାକେଜ ଘୋଷଣା କରିଥିଲେ ରାଜ୍ୟ ସରକାର l ମୋଟ 400 କୋଟି ମଞ୍ଜୁର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 293 କୋଟି ଖର୍ଚ୍ଚ ହୋଇଛି l