ଭୁବନେଶ୍ୱର:ପାପନାଶିନୀ ଛକରେ ଅଟକିଲା ରୁକୁଣା ରଥ । ୫ ଟାରେ ରଥ ଟଣା ଆରମ୍ଭ ହୋଇଥିବା ବେଳେ ସୂର୍ଯ୍ୟାସ୍ତ ପରେ ଆଜି(ମଙ୍ଗଳବାର) ପାଇଁ ରଥ ଟଣା ଶେଷ ହୋଇଛି । ରଥ ରହିବା ପରେ ଭକ୍ତମାନ ରଥରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରୁଛନ୍ତି । ରଥର ସ୍ପର୍ଶ ଓ ତିନି ବିଗ୍ରହଙ୍କ ଦର୍ଶନ ସହ ପରମାନନ୍ଦ ଲାଭ କରିଛନ୍ତି । ପୁଣି ଆସନ୍ତାକାଲି ରଥାରୁଢ଼ ତ୍ରିମୁର୍ତ୍ତିଙ୍କର ନୀତିକାନ୍ତି ଶେଷ ହେବା ପରେ ଦିନ ୨ଟା ପରେ ରଥ ଗଡିବ । ଆଉ ରାମେଶ୍ୱର ମନ୍ଦିରରରେ ପହଞ୍ଚି ୫ ଦିନର ଲୀଳା ଖେଳା ପରେ ଶନିବାର ଅର୍ଥାତ ୨୦ ତାରିଖରେ ଲୀଳାକ୍ଷେତ୍ରକୁ ବାହୁଡ଼ିବେ ଲିଙ୍ଗରାଜ ।
ଅଶୋକାଷ୍ଟମୀ ଅବସରରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯେଉଁଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ର । ରଥଯାତ୍ରା ପାଇଁ ସୋମବାର ରାତିରେ ରଥ ପ୍ରତିଷ୍ଠା କରାଯାଇଥିଲା । ସକାଳ 5ଟାରୁ ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଥିଲା । ଭୋର 5ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତିରୁ ରୁକୁଣାରଥ ଯାତ୍ରାର ନୀତିକାନ୍ତି ଆରମ୍ଭ ହୋଇଥିଲା । ପରେ ସାହାଣମେଲା ଦର୍ଶନ, ଛାମୁ ପରିଷ୍କାର, ମହାସ୍ନାନ, ବେଶ ସୂର୍ଯ୍ୟପୂଜା ସକାଳଧୂପ ନୀତିାକାନ୍ତି କରାଯାଇଥିଲା । ଏହାପରେ ୧୨ ଟା ୪୦ ରେ ପହଣ୍ଡି ହୋଇଥିବା ବେଳେ ଲିଙ୍ଗରାଜ, ଦୋଳଗୋବିନ୍ଦ ଓ ରୁକ୍ମୁଣୀ ତିନି ଠାକୁରଙ୍କ ରଥାରୁଢ଼ ପୂଜାର୍ଚ୍ଚନା କରିବା ପରେ ରଥ ଗଡ଼ିଥିଲା ।
ସୁରକ୍ଷା ବ୍ୟବସ୍ଥା: ରଥଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ଜରିଆରେ ସିନିୟର୍ ଅଫିସରମାନେ ମନିଟରିଂ କରୁଛନ୍ତି । ରଥଟଣା ସମୟରେ ରଥ ରୋଡରେ ଗାଡି ଚଳାଚଳ ଉପରେ ରୋକ ଲାଗିଛି । ରଥଟଣା ବେଳେ ରଥ ରୋଡ଼ରେ କୌଣସି ଗାଡି ଯାଇପାରିବନି । ମାଉସୀମା ଛକରୁ ସମସ୍ତ ଗାଡି ଚଲାଚଳକୁ ଡାଇଭର୍ଟ କରାଯାଇଛି । ଜାଗର ସମୟରେ ହୋଇଥିବା ପାର୍କିଂରେ ଗାଡି ପାର୍କିଂବ୍ୟବସ୍ଥା କରାଯାଇଛି । ରଥଯାତ୍ରାକୁ ଶୃଙ୍ଖଳିତ ପାଇଁ 12 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।