ସମ୍ବଲପୁର: ହୀରାକୁଦ ଡ୍ୟାମକୁ ନେଇ ଥିବା ବିଭିନ୍ନ ସମସ୍ୟା ଅନୁଧ୍ୟାନ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସମ୍ବଲପୁର ବୁର୍ଲା ସ୍ଥିତ ଅଶୋକ ନିବାସରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡା ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ହୀରାକୁଦ ନଦୀବନ୍ଧର ବନ୍ୟା ପରିଚାଳନା ପ୍ରସଙ୍ଗ, ହୀରାକୁଦ ଡ୍ୟାମର ଉପର ମୁଣ୍ଡର ସମସ୍ୟା, ତଳ ମୁଣ୍ଡର ସମସ୍ୟା, ଜଳସେଚନ ସମ୍ପର୍କିତ ସମସ୍ୟା ବିଷୟରେ ଆଲୋଚନା ହୋଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା:
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,"ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଜଳ ସମ୍ପଦ ବିଭାଗ ରାଜସ୍ବ ବିଭାଗରୁ ବହୁ ପରିମାଣର ଜମି ଅଧିଗ୍ରହଣ କରିଥିଲା । ତେବେ ଯେଉଁ ସବୁ ଜମି ଜଳ ସମ୍ପଦ ବିଭାଗ ଦ୍ୱାରା ବ୍ୟବହାର ହେଉନାହିଁ ସେହି ଜମିକୁ ରାଜସ୍ବ ବିଭାଗକୁ ଫେରାଇଦେଲେ ଏହା ଗରିବ ତଥା ବିସ୍ଥାପିତ ପରିବାରମାନଙ୍କୁ ବଣ୍ଟା ଯାଇପାରିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । ଅନୁରୂପ ଭାବେ ଶକ୍ତି ବିଭାଗ ପାଖରେ ମଧ୍ୟ ଏମିତି ବହୁ ଜମି ରହିଛି, ସେହି ଜମିକୁ ମଧ୍ୟ ରାଜସ୍ବ ବିଭାଗକୁ ହସ୍ତାନ୍ତର କରାଗଲେ ତାହାକୁ ଗରିବ ଲୋକଙ୍କ ମଧ୍ୟରେ ବଣ୍ଟାଯିବ। ଏହିଭଳି ସମସ୍ୟା ତଥା ହୀରାକୁଦ ଡ୍ୟାମର ଉପର ଓ ତଳ ମୁଣ୍ଡର ସମସ୍ୟା ନେଇ ସମ୍ବଲପୁର, ବରଗଡ ଓ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ବିଭାଗକୁ ନେଇ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।" ଅନ୍ୟପଟେ ଛତିଶଗଡ ଓ ଓଡିଶା ମଧ୍ୟରେ ଥିବା ମହାନଦୀ ଜଳ ବିବାଦ ଏବେ ଟ୍ରିବୁନାଲରେ ଥିବାବେଳେ ବର୍ତ୍ତମାନ ଓଡି଼ଶା କେଉଁ ସ୍ଥିତିରେ ଅଛି ସେନେଇ ସୂଚନା ମାଗିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।
ଓଡ଼ିଶା-ଛତିଶଗଡ଼ ମଧ୍ୟରେ ସମ୍ପର୍କ ସ୍ଥାପନ:
ବିଗତ କିଛି ବର୍ଷ ହେଲା ମୌସୁମୀ ଋତୁରେ ଓଡି଼ଶା ଓ ଛତିଶଗଡ଼ର ଜଳ ସମ୍ପଦ ବିଭାଗ ମଧ୍ୟରେ ହେଉଥିବା ସୂଚନା ଆଦାନ ପ୍ରଦାନ ବନ୍ଦ ଥିବାବେଳେ ବର୍ତ୍ତମାନ ଏହା ପୁଣି ଆରମ୍ଭ ହୋଇଛି । ଛତିଶଗଡ଼ର କିଛି ଅଧିକାରୀ ଓଡି଼ଶାର ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ସହ ପୁଣି ସମ୍ପର୍କ ସ୍ଥାପନ କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ତେଣୁ ଆଗକୁ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।