ନିମାପଡା: ସଂସାରରେ ପିତା ଓ ସନ୍ତାନର ସମ୍ପର୍କ ବହୁତ ନିବିଡ ହୋଇଥାଏ । ଖାସ୍ କରି ବାପା ଓ ଝିଅର । କିନ୍ତୁ ନିଜ ବାପା ପାଇଁ ଅଲିଅଳି ଝିଅଟିଏ ଜୀବନ ହାରିବା ଭଳି ଚରମ ପଦକ୍ଷେପ ନେଇଛି । ଜନ୍ମଦାତା ପିତାର ନିଜ ଝିଅ ପ୍ରତି ଅସଦାଚରଣ ଯୋଗୁଁ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବାପା-ଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କଲାଭଳି ଏହି ଅମାନବୀୟ ଘଟଣା ଘଟିଛି ପୁରୀ ଜିଲ୍ଲାର କୋଣାର୍କ ଅଞ୍ଚଳରେ । ସେପଟେ ଏହି ଘଟଣାରେ ବାପା ଫେରାର ଥିବା ବେଳେ ମୃତ ନାବାଳିକାଙ୍କ ମାଆ ନ୍ୟାୟ ପାଇଁ ଦାବି କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ, ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟିଉସନ ସାର୍ ଗିରଫ
ସୂଚନା ଅନୁଯାୟୀ କୋଣାର୍କ ଥାନା ଅର୍ନ୍ତଗତ ଶିମିଳି ପଞ୍ଚାୟତ ମାଟିଆପଡା ଗାଁରେ ଉକ୍ତ ମୃତ ନାବାଳିକା ଜଣକ ନିଜ ପରିବାର ସହିତ ରହୁଥିଲେ । ସେ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ନାବାଳିକାଙ୍କ ବାପା ମଳୟ ରଞ୍ଜନ ମହାନ୍ତି ନିୟମିତ ଭାବେ ମଦ ପିଇ କରି ଘରକୁ ଆସୁଥିଲେ । ଘରେ ପାଟିତୁଣ୍ଡ କରିବା ତାଙ୍କ ଅଭ୍ୟାସ ପାଲଟିଥିଲା । ନିଶାସକ୍ତ ଅବସ୍ଥାରେ ନିଜର ହିତାହିତ ଜ୍ଞାନକୁ ଭୁଲି ବଡ ଝିଅ ପ୍ରତି ଖରାପ ନଜର ରଖି ଆଶାଳୀନ ବ୍ୟବହାର କରି ଆସୁଥିଲେ । ନାବାଳିକାଙ୍କ ମାଆ ଘରେ ନ ଥିବା ବେଳେ ବାପା ମଦ ପିଇ ଝିଅ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହିତ ମରିବା ପାଇଁ ବାରମ୍ବାର କହୁଥିଲେ । ନାବାଳିକା ଜଣକ ଆଜି ନିଜ ଶୋଇବା ଘରେ ଆତ୍ମହତ୍ୟା କରିଥିବା ଖବର ପାଇ ଅଭିଯୁକ୍ତ ବାପା ମଳୟ ରଞ୍ଜନ ମହାନ୍ତି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି ।