ନବରଙ୍ଗପୁର: ସି.ଆର.ପି.ଏଫ ଯବାନଙ୍କ ଗୁଳିରେ ଗୁରୁତର ନାବାଳକ ଆହତ ହୋଇଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ହାତିଗାଁ ପଞ୍ଚାୟତର ଲାପିବେଡ଼ାଠାରେ ଘଟିଛି ଏହା ଅଘଟଣ । ତେବେ ଗୁରୁତର ନାବାଳକକୁ ସିଆର୍ପିଏଫ୍ ଯବାନ ନବରଙ୍ଗପୁର ମେଡିକାଲକୁ ଚିକିତ୍ସା ପାଇଁ ନେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଆହତ ନାବାଳକ ଜଣକ ଉକ୍ତ ଗ୍ରାମର ସ୍ବର୍ଗତ ରାମଜି ଗଣ୍ଡଙ୍କ ୧୬ ବର୍ଷର ପୁଅ ଶ୍ରବଣ ଗଣ୍ଡ । ଗତକାଲି ରାତିର ଏହି ଘଟଣାକୁ ନେଇ ସିଆର୍ପିଏଫ୍ ଯବାନମାନେ ମୁହଁ ଖୋଲୁ ନଥିବା ବେଳେ ଯବାନମାନଙ୍କ ମାରପିଟ ଘଟଣାକୁ ଗ୍ରାମବାସୀ ନିନ୍ଦା କରିଛନ୍ତି । ଏଥିସହିତ ଘଟଣାର ପ୍ରକୃତ ରହସ୍ୟକୁ ନେଇ ସର୍ବସାଧାରଣରେ ଅବଗତ କରାଇବାକୁ ଦାବି ହେଉଛି ।
ସୂଚନା ମୁତାବକ, ଲାପିବେଡ଼ା ଗ୍ରାମର ଶ୍ରବଣ ଗଣ୍ଡ ଓ ତାଙ୍କ ତିନି ସାଙ୍ଗ ବିଦୁ ଗଣ୍ଡ, ରାମସାୟ ଗଣ୍ଡ ଓ ବୁଲୁ ଗଣ୍ଡ ଘରେ ଖାଇବା ପରେ ଗରମ ହେଉଥିବା କାରମରୁ ନିକଟସ୍ଥ ସିଜନଗଡ଼ ଜଙ୍ଗଲ ଆଡ଼କୁ ବୁଲିବାକୁ ଯାଇଥିଲେ । ଅନ୍ୟପଟେ ଉକ୍ତ ଗ୍ରାମର ଦେବେନାଥ ଗଣ୍ଡ ରାତି ପ୍ରାୟ ସାଢେ ୯ଟା ବେଳେ ନିଜ ମକା ଜମିରେ ପାଣି ମଡ଼ାଉଥିବା ସମୟରେ ତାଙ୍କୁ ଜୋରରେ ଏକ ବାଣ ଫୁଟିବା ଶବ୍ଦ ଶୁଣା ଯାଇଥିଲା । ସେ ଚମକିପଡ଼ି ଟର୍ଚ୍ଚ ଲାଇଟ ପକାଇ ଏପଟ ସେପଟ ଦେଖି କିଛି ଜାଣି ପାରିନଥିଲେ । ହେଲେ ସକାଳ ହେବା ପରେ ଏହା ଗୁଳିର ଶବ୍ଦ ଥିବା ଜଣାପଡ଼ିବା ସହିତ ଏଥିରେ ଶ୍ରବଣ ଆହତ ହୋଇଥିବା ସନ୍ଦେହ କରାଯାଉଛି ।
ଅନ୍ୟପଟେ ଆହତ ଅବସ୍ଥାରେ ଶ୍ରବଣ ଗଣ୍ଡ ରାତିସାରା ଘଟଣା ସ୍ଥଳରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ି ରହିଥିବା ବେଳେ ସକାଳୁ ଯବାନ ମାନେ ପରିବାରକୁ ନଜଣାଇ ତାକୁ ନବରଙ୍ଗପୁର ମେଡିକାଲକୁ ଚିକିତ୍ସା ପାଇଁ ନେଇ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶ୍ରବଣ ସହିତ ତା ସାଙ୍ଗ ପିଲରାମ ଗଣ୍ଡଙ୍କୁ ମଧ୍ୟ ନବରଙ୍ଗପୁର ସାଥିରେ ନେବା ସହ ରାତିରେ ବୁଲୁଥିବା ଅନ୍ୟ ତିନିଜଣ ସାଙ୍ଗ ବିଦୁ, ରାମସାୟ ଓ ବୁଲୁଙ୍କୁ କ୍ୟାମ୍ପରେ ଅଟକ ରଖା ଯାଇଥିବା ଜଣାପଡିଛି । ଗଣମାଧ୍ୟମ ଘଟଣା ସ୍ଥଳରେ ପହଞ୍ଚିବା ପରେ ପରିବାର ଲୋକେ ଓ କିଛି ଗ୍ରାମବାସୀ ଘଟଣାସ୍ଥଳକୁ ଯାଇ ଶ୍ରବଣର ରକ୍ତ ଭିଜା ପ୍ୟାଣ୍ଟ ପଡିଥିବା ଦେଖିବା ପରେ ଘଟଣା ସମ୍ପର୍କରେ ରହିଥିବା ସନ୍ଦେହ ଦୂର ହୋଇଥିଲା ।