ଭୁବନେଶ୍ବର:କନ୍ଧମାଳ ଲୋକସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ସାନି ମତଦାନ । ବୁଥ ନମ୍ବର ୨୬ ଓ ବୁଥ ନମ୍ବର ୨୮ରେ ପୁନଃ ମତଦାନ ହେବ । ୨୩ ତାରିଖ ଅର୍ଥାତ ଆସନ୍ତାକାଲି (ଗୁରୁବାର) ପୁନଃ ମତଦାନ ଅନୁଷ୍ଠିତ ହେବ । ସକାଳ ୭ରୁ ଅପରାହ୍ନ ୪ ଯାଏ ଭୋଟ ଗ୍ରହଣ କରାଯିବ । ଗତ ମେ' ୨୦ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଏହି ବୁଥ ଦ୍ବୟରେ ଉତ୍ତେଜନା ଓ ଗଣ୍ଡଗୋଳ ହୋଇଥିଲା । ଏଣୁ ନିର୍ବାଚନ ଆୟୋଗ ଏଠାରେ ସାନି ମତଦାନ ପାଇଁ ନିଷ୍ପତ୍ତି ନେବା ସହ ଦିଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ରୂପେ ନିଯୁକ୍ତ କରିଛନ୍ତି।
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶାର କନ୍ଧମାଳ ଲୋକସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବୁଥ ନମ୍ବର-୨୬ ଓ ବୁଥ ନମ୍ବର- ୨୮ରେ ମେ' ୨୩ରେ ପୁନଃ ମତଦାନ ଅନୁଷ୍ଠିତ ହେବ । ଏନେଇ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀ ଓ ଉକ୍ତ ବୁଥ ଦ୍ୱୟର ସମସ୍ତ ମତଦାତାଙ୍କୁ ଏହା ଅବଗତ କରାଯାଇଛି । ଏଥି ନିମନ୍ତେ ଉଭୟ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନଙ୍କୁ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।