ଭୁବନେଶ୍ବର: ପୂରଣ ହେବାକୁ ଯାଉଛି ମେଟ୍ରୋ ସ୍ବପ୍ନ । ଡିସେମ୍ବର 2027 ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ କାମ । ମେଟ୍ରୋ ପ୍ରକଳ୍ପର ସମୀକ୍ଷା ପରେ ବଡ଼ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । କେବଳ ସେତିକି ନୁହେଁ ମେଟ୍ରୋ ରେଳ ଷ୍ଟେସନରେ ଝଲସିବ ଓଡ଼ିଆ କଳା, ସଂସ୍କୃତି ଓ ଐତିହ୍ୟ । ମାର୍ଚ୍ଚ ୨୦୨୫ ସୁଦ୍ଧା ଖର୍ଚ୍ଚ ହେବ ୩୫୦ କୋଟି । ପ୍ରଥମେ ୨୬ କିମିରେ ଆରମ୍ଭ ହେବ ମେଟ୍ରୋ ଚଳାଚଳ । ପ୍ରଥମ ୨୦ଟି ଷ୍ଟେସନ ଦେବ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ବାର୍ତ୍ତା ।
୨୦୨୭ ଡିସେମ୍ବର ଶେଷ ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ କାମ:
ଆସନ୍ତା ୨୦୨୭ ଡିସେମ୍ବର ମାସ ଶେଷ ସୁଦ୍ଧା ସରିବ ଓଡିଶାର ବହୁ ପ୍ରତିକ୍ଷୀତ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ । ଏହି ପ୍ରକଳ୍ପ ପାଇଁ ଗଠିତ ହୋଇଥିବା (ବି.ଏମ.ଆର.ସି) ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ ସହିତ ରାଜ୍ୟ ସରକାର ଓ ଦିଲ୍ଲୀ ମେଟ୍ରୋ, ଏକାଠି ମିଶି କାମ କରୁଛନ୍ତି । ଏନେଇ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟାଳୟରେ ସମୀକ୍ଷା ପରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ମେଟ୍ରୋ ଷ୍ଟେସନରେ ସ୍ଥାନ ପାଇବ ଓଡିଶାର ସଂସ୍କୃତି ଓ ସଭ୍ୟତା:
ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, "ମେଟ୍ରୋ ଷ୍ଟେସନରେ ସ୍ଥାନ ପାଇବ ଓଡିଶାର ସଂସ୍କୃତି ଓ ସଭ୍ୟତା । ଭୁବନେଶ୍ବର ଠାରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ହେବ ୨୦ଟି ଷ୍ଟେସନ । ତେବେ ପ୍ରତ୍ୟେକଟି ମେଟ୍ରୋ ଷ୍ଟେସନରେ ହେବ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ପଦର୍ଶନ । ବିଭିନ୍ନ ପ୍ରକାରର ଚିତ୍ର ସମେତ ହେରିଟେଜ ଆଦି ରହିବ ।’
ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଖର୍ଚ୍ଚ:
ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ‘ମେଟ୍ରୋ ରେଳ ପାଇଁ 6 ହଜାର 256 କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଅଟକଳ ହୋଇଛି । ଯାହାକି ନଭେମ୍ବର 2023ରୁ ବର୍ତ୍ତମାନ ସୁଦ୍ଧା 420 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗତ ଅକ୍ବୋବରରେ ରାଜ୍ୟ ସରକାର ମେଟ୍ରୋ ପାଇଁ 250 କୋଟି ଟଙ୍କା ଦେଇଛନ୍ତି । ଏଥିସହ ମାର୍ଚ୍ଚ 31 ସୁଦ୍ଧା 350 କୋଟି ଟଙ୍କା ରାଜ୍ୟ ସରକାର ଦେବେ । ଏଥିସହ ଆଉ 1750 କୋଟି ଟଙ୍କା ଆସନ୍ତା 2025-26 ଆର୍ଥିକ ବର୍ଷରେ ଦେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।
ପ୍ରତିଦିନ ପାଖାପାଖି ୧ ଲକ୍ଷ ଯାତ୍ରୀ ଯିବାର କ୍ଷମତା ରହିବ:
ସାଂସଦ ଆହୁରି କହିଛନ୍ତି, ‘ଭୁବନେଶ୍ୱର ମେଟ୍ରୋର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟର ଏକାମ୍ରରେ ୩ ଟି ଷ୍ଟେସନ, ମଧ୍ୟରେ ୪ଟି ଷ୍ଟେସନ ଓ ଉତ୍ତର ୧୦ଟି ରେ ମେଟ୍ରୋ ରେଳ ପ୍ରକଳ୍ପ କାମ ହେବା ସହିତ ୩ଟି ଷ୍ଟେସନ କଟକରେ ରହିବ । ଏଥିରେ ପାଖାପାଖି ୯୫ ହଜାର ଲୋକ ପ୍ରତିଦିନ ଯିବା ଆସିବାର କ୍ଷମତା ରହିବ । ପ୍ରକଳ୍ପ ପାଇଁ ଆବଶ୍ୟକୀୟ ୯୨ ଏକର ଜମି ମିଳି ସାରିଛି । ବାକି ୧୫ ଏକର ଜମି ଖୁବ୍ ଶୀଘ୍ର ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୪୦ ଏକର ଜମି ମଳିପଡାରେ ଦିଆଯାଇଛି ଯେଉଁଠି ମେଟ୍ରୋ ଅଫିସ ଅଛି ଓ ମେଟ୍ରୋର କାମ ସେଠାରେ ଚାଲିଛି’ ।
ମେଟ୍ରୋ ପ୍ରକଳ୍ପ ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର:
ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ । ଏହା ପରେ କଣ କରାଯିବ, କେନ୍ଦ୍ରର ସହାୟତା ଦରକାର ହେବ କି ନାହିଁ ତାହା ପରବର୍ତ୍ତୀ ସମୟରେ ଜଣାଯିବ" ବୋଲି ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ସମୀକ୍ଷା ବୈଠକରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ମୁଖ୍ୟ ନିର୍ବାହୀ ଅଧିକାରୀ କଲ୍ୟାଣ ପଟ୍ଟନାୟକଙ୍କ ସମେତ ଦିଲ୍ଲୀ ମେଟ୍ରୋ ଓ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ବହୁ ଅଧିକାରୀ ଉପସ୍ଥିତ ଥିଲେ ।
କେବେ ଆରମ୍ଭ ହୋଇଥିଲା ମେଟ୍ରୋ ରେଳ ପ୍ରକଳ୍ପ:
‘ନଭେମ୍ବର ୨୦୨୩ରେ ଡିପିଆର୍ ଅନୁମୋଦନ ପରେ କାମ ଆରମ୍ଭ ହୋଇଥିଲା ଭୁବନେଶ୍ବରରେ ମେଟ୍ରୋ ରେଳ ପ୍ରକଳ୍ପ । ପ୍ରଥମ ପର୍ଯ୍ୟାୟରେ ମୋଟ ୨୦ଟି ଷ୍ଟେସନ୍ ସମେତ ୨୬ କିମି କାମ ହେବା ସହିତ ଏହି ସମସ୍ତ ରୁଟରେ
୧୩ଟି ଟ୍ରେନ ଚାଲିବ । ପ୍ରତ୍ୟେକ ଟ୍ରେନରେ ୩ କରି କୋଚ୍ (ଡବା) ରହିବ" ବୋଲି ପ୍ରାଥମିକ ଭାବରେ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ ।
କେଉଁଠି କେଉଁଠି ରହିବ ମେଟ୍ରୋ ?
ରାଜ୍ୟ ରାଜଧାନୀରେ ଗଡିବ ମେଟ୍ରୋ । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ଭେ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଭୁବନେଶ୍ବର ବିମନା ବନ୍ଦର ଠାରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ଚାଲିଛି ମାଟି ପରୀକ୍ଷା । ତେବେ ଭୁବନେଶ୍ବର ବିମାନ ବନ୍ଦର, ଏୟାରପୋର୍ଟ ଛକ, କ୍ୟାପିଟାଲ ହସ୍ପିଟାଲ, ବାପୁଜୀ ନଗର, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ, ରାମ ମନ୍ଦିର ଛକ, ବାଣୀ ବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ଜାଭିୟର ଛକ, ରେଳ ସଦନ ଛକ, ଡିଷ୍ଟ୍ରିଟ ସେଣ୍ଟର, ଡ଼ମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥ ପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଛକ, ବାରଙ୍ଗ, ଫୁଲପୋଖରି, ତ୍ରିଶୂଳିଆ ଛକ ଆଦି ମେଟ୍ରୋ ରେଳ ଷ୍ଟେସନର ରହିବ ।
ବିଦ୍ୟୁତ ଖୁଣ୍ଟକୁ ନଜରରେ ରଖି ସର୍ଭେ:
ମେଟ୍ରୋ ରାସ୍ତାରେ ଥିବା ଗଛ ଏବଂ ବିଶେଷ ଭାବରେ ବିଦ୍ୟୁତ ଖୁଣ୍ଟକୁ ନଜରରେ ରଖି ସର୍ଭେ କରାଯାଇଛି । ପୂର୍ବରୁ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ପରେ କଟକ ଯାଏଁ ମେଟ୍ରୋ ଟ୍ରେନ ଚାଲିବା ନେଇ ପ୍ରସ୍ତାବ ଦେଇଥିଲେ ସରକାର । ଏପଟେ ଶିଶୁଭବନ ଛକଠାରୁ ବାଣୀବିହାର ପର୍ଯ୍ୟନ୍ତ ୫.୫ କିଲୋମିଟରର ସ୍ମାର୍ଟ ଜନପଥ ରହିଛି । ଏହି ଜନପଥରେ ପାଖାପାଖି ୨୨୦ଟି ବିଦ୍ୟୁତ ଖୁଣ୍ଟ ଥିବା ନେଇ ଆକଳନ କରାଯାଇଛି ।
ତେବେ ପରବର୍ତ୍ତୀ ସମୟରେ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ହଟାଇବା ପାଇଁ ହେବାକୁ ଥିବା ଖର୍ଚ୍ଚ ବାବଦରେ ଟିପିସିଓଡିଏଲ୍ ଏଷ୍ଟିମେଟ୍ କରାଯିବ । ତେବେ ଏହି ବିଦ୍ୟୁତ ଖୁଣ୍ଟ ହଟାଇବା ହେଲେ ଦୀର୍ଘ ଦିନ ଲାଗିପାରେ । ସେଥିପାଇଁ ଜନପଥରେ ଟ୍ରାଫିକ୍ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ତେବେ ବିଶେଷ ଭାବରେ ଏହି ସମସ୍ତ କାମ ପ୍ରାୟତଃ ରାତିରେ କରାଯିବ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର